ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ସଦର ମହକୁମା ଏସ.ପିଙ୍କ କାର୍ଯ୍ୟାଳୟ ନିକଟରେ ଥିବା ସିଂ ପଡା ଠାରେ ଭାଲୁ ଆତଙ୍କ ଦେଖାଦେଇଛି। ମୁଖି ମହାରଥା (୫୫) ନାମକ ଜଣେ ମହିଳା ଆଜି ସକାଳ ୫ଟା ସମୟରେ ଫୁଲ ତୋଳିବାକୁ ଯିବା ସମୟରେ ଭାଲୁ ତାଙ୍କୁ ଅଚାନକ ଆକ୍ରମଣ କରିଛି। ଉକ୍ତ ମହିଳାଙ୍କୁ ଭାଲୁ ଆକ୍ରମଣ କରିବାରୁ ସେ ଜୋରରେ ଚିତ୍କାର କରିଥିଲେ। ଯାହାଫଳରେ ପରିବାର ଲୋକେ ଘଉଡ଼ାଇ ଦେବାରୁ ଭାଲୁ ନୂଆପଡା ୩୫୩ ଜାତୀୟ ରାଜାପଥକୁ ପଳାଇଯାଇଥିଲା। ସେଠାରେ ଏନ.ଏ.ସି କର୍ମଚାରୀ ଗୀତା ନେତାମ (୩୮) ଓ ହିନା ସୁନାନୀ (୨୬) ରାସ୍ତାକଡ଼ରେ ସଫେଇ କାର୍ଯ୍ୟ କରୁଥିଲେ। ଭାଲୁ ସେମାନଙ୍କୁ ମଧ୍ୟ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଯାହାଫଳରେ ସେମାନେ ମଧ୍ୟ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମୁଖି ମହାରଥାଙ୍କ କାନ ପାଖରେ ଗଭୀର ଆଘାତ ଲାଗି ଥିବାରୁ ସେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ବର୍ତ୍ତମାନ ସୁଦ୍ଧା ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ଏହି ଭାଲୁ ଆକ୍ରମଣ ଖବର ସମ୍ପୂର୍ଣ୍ଣ ନୂଆପଡା ସହରବାସୀଙ୍କୁ ଆତଙ୍କିତ କରିଦେଇଛି। ଲୋକେ ସକାଳୁ ପ୍ରତିଦିନ ବ୍ୟାୟାମ, ମର୍ଣ୍ଣିଙ୍ଗ ୱାକ କରିବାପାଇଁ ଘରୁ ବାହାରୁଥିବା ବେଳେ ଭାଲୁ ଆତଙ୍କ ଦ୍ୱାରା ସହରବାସୀ ନିଜକୁ ଅସୁରକ୍ଷିତ ମନେ କରୁଥିବା ଚର୍ଚ୍ଚା ହେଉଛି। ଏହି ଭାଲୁ ନୂଆପଡା ନଗର ଆଖପାଖ ଅଂଚଳରେ ରହୁଛି ଓ ଖାଦ୍ୟ ପାଇଁ ସହରମୁଖା ହେଉଥିବାର ଅନେକ ଥର ଲୋକେ ବନ ବିଭାଗକୁ ସୂଚନା ଦେବା ପରେ ମଧ୍ୟ ବନ ବିଭାଗ ସୁପ୍ତ ଅବସ୍ଥା ଗ୍ରହଣ କରିଥିବାର ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।





