ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ୯୫୦ରୁ ଉର୍ଦ୍ଧ ବରିଷ୍ଠ ନାଗରିକଙ୍କୁ ନେଇ ଶିରିଡି-ନାସିକ ଭଳି ତୀର୍ଥସ୍ଥାନର ଭ୍ରମଣ ନିମନ୍ତେ ଆଜି ରାୟଗଡାରୁ ବାହାରିଛି ସ୍ୱତନ୍ତ୍ର ଭାରତ ଗୌରବ ଟ୍ରେନ୍। ଯାହାକୁ ନେଇ ଆଜି ବରିଷ୍ଠ ନାଗରିକଙ୍କ ଗହଣରେ ଚଳଚଂଚଳ ହୋଇପଡିଥିଲା ରାୟଗଡା ରେଳ ଷ୍ଟେସନ। ତୀର୍ଥ ଭ୍ରମଣରେ ଯିବା ପାଇଁ ଆନନ୍ଦଉଲ୍ଲାସରେ ସ୍ୱତନ୍ତ୍ର ଟ୍ରେନରେ ନିଜ ନିଜ ସିଟରେ ବସି ପଡିଥିଲେ ବରିଷ୍ଠ ନାଗରିକମାନେ। ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଫିତା କାଟି ସବୁଜ ପତାକା ଦେଖାଇ ତୀର୍ଥଯାତ୍ରୀଙ୍କ ଏହି ତୀର୍ଥ ଯାତ୍ରାର ଶୁଭାରମ୍ଭ କରିଥିଲେ। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ରାୟଗଡା ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ତୀର୍ଥସ୍ଥାନ ଭ୍ରମଣର କାର୍ଯ୍ୟକ୍ରମ କରାଯାଇଛି। ଏହି କ୍ରମରେ ଦକ୍ଷିଣାପଶ୍ଚିମାଂଚଳର ରାୟଗଡା ସମେତ ଅନ୍ୟ ୫ଟି ଜିଲ୍ଳାର ୯୭୦ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଭ୍ରମଣରେ ବାହାରିଛନ୍ତି। ଏମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଲାରୁ ୨୧୦ ଜଣ, ନବରଙ୍ଗପୁର ଜିଲ୍ଳାରୁ ୧୩୯ ଜଣ, କୋରାପୁଟ ଜିଲ୍ଳାରୁ ୧୯୦ଜଣ, ମାଲକାନଗିରିରୁ ୯୭ ଏବଂ ନୂଆପଡା ଜିଲ୍ଳାରୁ ୯୧ ଜଣ ଜଣ ଏବଂ କଳାହାଣ୍ଡି ଜିଲ୍ଳାରୁ ୧୮୦ ଜଣ ତୀର୍ଥଯାତ୍ରୀ ଏବଂ ତାଙ୍କ ସହିତ ୩୦ଜଣ ଏସକର୍ଟ କର୍ମଚାରୀଙ୍କୁ ନେଇ ସର୍ବମୋଟ ୧୦୦୦ (ହଜାରେ) ଜଣ ଆଜି ରାୟଗଡାରୁ ତୀର୍ଥ ଭ୍ରମଣ ଆରମ୍ଭ କରିଛନ୍ତି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ବାଳମୁକୁନ୍ଦ ଭୂୟାଁ, ସହକାରୀ ନିର୍ଦ୍ଦେଶକ ସରୋଜ ଜେନା, ପ୍ରଦୀପ କୁମାର ପଟେଲ, ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଉପଦେଷ୍ଠା ଦୁର୍ଗା ପ୍ରସାଦ ସାମନ୍ତରାଏ, ବିଏସକେୱାଇ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାସ, ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝି, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ରାୟଗଡା ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ, ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ସମେତ ଭାରପ୍ରାପ୍ତ ଜିଲ୍ଳା ପର୍ଯ୍ୟଟନ ଅଧିକାରୀ ଭଗବାନ ଖରା, ଜିଲ୍ଲା ଜଳ ବିଭୀଜିକା ମିଶନ ଡ଼ଃ ଦୟାନିଧି ବାଗ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ହାଡିବନ୍ଧୁ ଭୋଇ, ଜିଲ୍ଲା ନିୟୋଜନ ଅଧିକାରୀ ତତ୍ତ୍ୱମସି ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଆଜି ରାୟଗଡା ରେଳବାଇ ଷ୍ଟେସନ ସମ୍ମୁଖରେ ତୀର୍ଥଯାତ୍ରୀମାନଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିବା ବେଳେ ଷ୍ଟେସନ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେସିଙ୍ଗ ମାଧ୍ୟମରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ବିଷୟରେ ବାର୍ତା ଦେଇ ତୀର୍ଥଯାତ୍ରୀଙ୍କ ଯାତ୍ରାର ଶୁଭମନାସି ଥିଲେ। ତୀର୍ଥଯାତ୍ରା ଯୋଜନାରେ ଆଜି ପର୍ଯ୍ୟନ୍ତ ୨୪ଟି ପର୍ଯ୍ୟାୟରେ ୨୩୬୬୯ ଜଣ ବରିଷ୍ଠ ନାଗରିକ ତୀର୍ଥସ୍ଥାନ ଭ୍ରମଣ କରିସାରିଥିବା ନେଇ ଉପଦେଷ୍ଠା ଶ୍ରୀ ସାମନ୍ତରାଏ ପ୍ରକାଶ କରିଥିବା ବେଳେ ବରିଷ୍ଠ ନାଗରିକଙ୍କୁ ତୀର୍ଥ ସ୍ଥାନ ଭ୍ରମଣ କରିବାର ସୁଯୋଗ ଦେଇ ବରିଷ୍ଠ ନାଗରିକଙ୍କ ମୁହଁରେ ହସ ଫୁଟାଇପାରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଛନ୍ତି।





