ଚମ୍ପାଦେଇପୁର କ୍ଲଷ୍ଟର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଚମ୍ପାଦେଇପୁର କ୍ଲଷ୍ଟରର ଯୋଡବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଚମ୍ପାଦେଇପୁର କ୍ଲଷ୍ଟର ଅନ୍ତର୍ଗତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟ ମୋଟ ୧୭ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। 

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କ ଅନ୍ତର୍ନିହିତ ଦକ୍ଷତାର ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କନିଷ୍ଠ ବର୍ଗ (୪ର୍ଥ ରୁ ୭ମ) ଏବଂ ବରିଷ୍ଠ ବର୍ଗ (୮ମ ରୁ ୧୦ମ) ନିମନ୍ତେ ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ସୁନ୍ଦର ହସ୍ତାକ୍ଷର ଓ ଶୃତଲିଖନ, ବକ୍ତୃତା, ପ୍ରବନ୍ଧ ଲିଖନ, ସଙ୍ଗୀତ, ବିତର୍କ, ପିଏମ୍ ପୋଷଣ ଚିତ୍ରକଳା/ଶିଳ୍ପକଳା , ନୃତ୍ୟ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। 

ସି.ଅର୍.ସି.ସି ସୌଭାଗ୍ୟ ରଞ୍ଜନ ସାହୁଙ୍କ ଅନୁରୋଧ କ୍ରମେ ସମସ୍ତ ବିଦ୍ୟାଳୟର ଶିକ୍ଷକ କାର୍ଯ୍ୟକ୍ରମରେ ମଞ୍ଚ ପରିଚଳନା ଠାରୁ ଆରମ୍ଭ କରି ପୁରସ୍କାର ବିତରଣ ପର୍ଯ୍ୟନ୍ତ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମୀପ୍ରିୟା ମୁଦୁଲି ଓ ସୁଢ଼ଳ ଦେବ ମୁଣ୍ଡ୍, ଚମ୍ପାଦେଇପୁର ଗ୍ରାମପଞ୍ଚାୟତର ସରପଞ୍ଚ ନରେନ୍ଦ୍ର ମାଝୀ ଯୋଗ ଦେଇଥିଲେ। 

ଯୋଡାବନ୍ଧ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋବର୍ଦ୍ଧନ ମାଝୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାଲାଜୀ ପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। 

ପ୍ରତିଯୋଗିତା ଶେଷରେ ପୁରସ୍କାର ବିତରଣ ହୋଇଥିଲା। ଶେଷରେ ବରିଷ୍ଠ ଶିକ୍ଷକ ପଦ୍ମଲୋଚନ ସୁନା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.