ଘର ସାମ୍ନାରେ ବିପଦ ସଂକୁଳ ବିଦ୍ୟୁତ୍ ଖୁଣ୍ଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଦ୍ୟୁତ ବିଭାଗର ଖାମଖିଆଲ ନୀତି। କୌଣସି ସ୍ଥାନରେ ଲୋକେ ଆଘାତ ନହେବା ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀଙ୍କ ଚେତା ପଶିବ ନାହିଁ। ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ଲାଞ୍ଜିଗଡ଼ରୋଡ଼ ଗାଁରେ ଥିବା ପୂର୍ଣ୍ଣଚନ୍ଦ୍ର ଗଉଡ଼ଙ୍କ ଘର ସାମ୍ନାରେ ବହୁ ବର୍ଷରୁ ପୋତା ହୋଇଥିବା ପୁରୁଣା ଲୁହା ବିଦ୍ୟୁତ ଖୁଣ୍ଟ କଳଙ୍କି ଲାଗି ବିପଜ୍ଜନକ ଅବସ୍ଥାରେ ରହିଛି। ଏହା ଏକ ବଡ ଧରଣର ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛି। ପୂର୍ଣ୍ଣଚନ୍ଦ୍ର ଗଉଡ଼ଙ୍କ ସମେତ ଗାଁ ଲୋକେ ବାରମ୍ବାର ଅଭିଯୋଗ କରିବା ପରେ ବି କୌଣସି ପଦକ୍ଷେପ ନନେଇ ଚୁପ ବସି ରହିଛି ବିଶ୍ଵନାଥପୁର ବିଦ୍ୟୁତ ବିଭାଗ। ଯେତେ ଅଭିଯୋଗ କଲେ ବି ଫଳଶୂନ। ବିଦ୍ୟୁତ ଖୁଣ୍ଟର ଅବସ୍ଥା ଦେଖି ସେହି ରାସ୍ତାଦେଇ ଯାତାୟତ କରିବାକୁ ଲୋକେ ଭୟ କରୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଏହା ଭାଙ୍ଗିବା ସହ କାହାର ଘର ଉପରେ କିମ୍ବା ଏହା ଦ୍ବାରା ଜୀବନ ହାନି ହେବା ଆଶଙ୍କା ଦେଖାଦେଇଛି। ବିପଦ ସଂକୁଳ ବିଦ୍ୟୁତ ଖୁଣ୍ଟ ପରିବର୍ତ୍ତନ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ଅବଗତ କରାଗଲେ ମଧ୍ୟ ଏଥି ପ୍ରତି ବିଭାଗୀୟ ପଦାଧିକାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ବିଭାଗ ପକ୍ଷରୁ ତୁରନ୍ତ ଏହି ବିପଦ ସଂକୁଳ ଲୁହା ଖୁଣ୍ଟକୁ ହଟାଇ ସିମେଣ୍ଟ ପୋଲ ଲଗାଇବା ଆବଶ୍ୟକ ରହିଛି। କେବଳ ଘରୋଇ ସର୍ଭିସ୍ ଲାଇନ୍ ଯୋଗୁଁ ଲୁହାଖୁଣ୍ଟଟି ଝୁଲି ରହିଛି ପବନ ଆସିଲେ ଦୋହଲୁ ଥିବା ଜଣାପଡ଼ୁଛି। ଆଗାମୀ ଦିନରେ ବିଦ୍ୟୁତ ବିଭାଗ ଏଠାରେ ନୂଆଁ ଖୁଣ୍ଟ ନଲଗାଇଲେ ଗ୍ରାମବାସୀ ବିଦ୍ୟୁତ୍ ବିଲ୍ ଜମା କରିବେ ନାହିଁ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.