ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଭାରତମାତା ପୂଜନ ଓ ଅଖଣ୍ଡ ଭାରତ ସଂକଳ୍ପ ଦିବସ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜାତୀୟ ଏକତା, ସ୍ଵାଭିମାନ ଓ ଦେଶପ୍ରେମର ପବିତ୍ର ବାର୍ତ୍ତା ନେଇ, ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ସଂସ୍କୃତି ପ୍ରଚାର ସମିତିର ମିଳିତ ଆନୁକୁଲ୍ୟରେ ବିଶ୍ବବିଦ୍ୟାଳୟ ପରିସରରେ “ଭାରତମାତା ପୂଜନ ଓ ଅଖଣ୍ଡ ଭାରତ ସଂକଳ୍ପ ଦିବସ” ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଭାରତମାତାଙ୍କ ଫୋଟଚିତ୍ରକୁ ମାଲ୍ୟାର୍ପଣ, ପୁଷ୍ପାର୍ଚ୍ଚନା, ସହ ଧ୍ୟାନୋପାସନା ତଥା ବନ୍ଦେ ମାତରମ୍ ଧ୍ୱନିରେ ପରିବେଶ ଦେଶଭକ୍ତିରେ ପରିପୂର୍ଣ୍ଣ ହୋଇଯାଇଥିଲା।

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା।
ଏହି ସ୍ଵତନ୍ତ୍ର ଦିବସ ପାଳନ ଅବସରରେ ଉଦବୋଧନ ପ୍ରଦାନ କରି ସେ କହିଥିଲେ, “ଭାରତମାତାଙ୍କ ପୂଜନ ହେଉଛି ଆମର ମାଟି, ଆମର ସଂସ୍କୃତି, ଆମର ଗୌରବର ପୂଜନ। ଅଖଣ୍ଡ ଭାରତ ଗଠନ ସଂକଳ୍ପରେ ଯେତେବେଳେ ଯୁବପିଢ଼ି ନିଜ ନାଗରିକତ୍ବ ପ୍ରତିପାଦନ କରି ସାମିଲ ହୁଏ, ସେତେବେଳେ ଦେଶର ଉଜ୍ଜ୍ବଳ ଭବିଷ୍ୟତ ଦୃଢ ଭାବରେ ପ୍ରତିବିମ୍ବିତ ହୁଏ”। ‘ବସୁଧୈବ କୁଟୁମ୍ବକମ୍’କୁ ମାନିବା ସହ ଆମେ ଭାରତୀୟତାର ପରିଚୟ ସହ ଅଗ୍ରସର ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ଯ ଅତିଥି ଭାବେ ଅଖିଳ ଭାରତୀୟ ସଦ୍ଭାବନା ପ୍ରମୁଖ ଡକ୍ଟର ଗୋପାଳ ପ୍ରସାଦ ମହାପାତ୍ର ଯୋଗଦେଇ, ଭାରତର ଅନାଲୋଚିତ ଇତିହାସ ସଂପର୍କରେ ଆଲୋକପାତ କରିଥିଲେ। ‘ସର୍ବୋପରି ରାଷ୍ଟ୍ର’ ର ମନୋଭାବ ନେଇ ବ୍ୟକ୍ତିଗତ ଭାବେ କର୍ତ୍ତବ୍ଯ ପାଳନର ଆହ୍ବାନ ଦେଇ, ସମ୍ବିଧାନର ପାଳନ ସହ ବିଶ୍ବକଲ୍ୟାଣ ଦିଗରେ ସମର୍ପଣଭାବ ପୋଷଣ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

ଏଥିସହ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ – ବାଲେଶ୍ବର ବିଭାଗର ମୁଖ୍ଯ ପ୍ରଚାରକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ନାୟକ, ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ଯରେ ଉତ୍ସାହଜନକ ଉଦବୋଧନ ପ୍ରଦାନ କରିଥିଲେ। ଦେଶକୁ ଜାଣିବା ଓ ମାନିବା, ଦେଶ ପାଇଁ ନିଜକୁ ପ୍ରସ୍ତୁତ କରିବା ସହ ଦେଶ ଗଠନରେ ନିଜର ମୂଲ୍ୟବାନ ଯୋଗଦାନର ମହତ୍ତ୍ବକୁ ବୁଝାଇଥିଲେ। ଶିକ୍ଷା- ରାଷ୍ଟ୍ରର ହିତ ସାଧନ ନିମନ୍ତେ ହେବା ଆବଶ୍ୟକ ଓ ଜୀବନ ସଫଳ ହେବାଠାରୁ ସାର୍ଥକ ହେବା ଉଚିତ ବୋଲି ଉଲ୍ଲେଖ କରିଥିଲେ।
ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ନିଜ ଅଭିଭାଷଣରେ, ଭାରତମାତାଙ୍କ ପୂଜନ କେବଳ ପରମ୍ପରା ନୁହେଁ, ଏହା ଆମର ଅଭିନ୍ନ ସମର୍ପଣର ପ୍ରତୀକ। ଦେଶର ସ୍ୱାଧୀନତା, ସାମ୍ପ୍ରଦାୟିକ ସମ୍ମିଳନ ଓ ଭବିଷ୍ୟତର ଉଜ୍ଜ୍ୱଳ ପଥ ପାଇଁ ଯୁବଶକ୍ତିଙ୍କୁ ଏହି ସଂକଳ୍ପ ପ୍ରେରଣା ଦେବାନେଇ ମତପୋଷଣ କରିଥିଲେ।

ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକାବୃନ୍ଦ ଓ ପ୍ରଶାସନିକ କର୍ମଚାରୀମାନେ ଏକ ସ୍ୱରରେ “ଜାତୀୟ ଏକତା, ଦେଶର ସମ୍ମିଳନ ଓ ଅବିଚ୍ଛିନ୍ନ ସଂଘଟନ” ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ସମସ୍ତଙ୍କ ହୃଦୟରେ ଦେଶପ୍ରେମ ଭାବ ଜାଗ୍ରତ କରିଥିବା ଏହି କାର୍ଯ୍ୟକ୍ରମରେ, ସାମୁହିକ ‘ବନ୍ଦେ ମାତରମ୍’ ସଙ୍ଗୀତ ଗାନ ସହ ଦେଶାତ୍ମବୋଧକ ସଙ୍ଗୀତ ‘ଏ ମେରେ ବତନ୍ କେ ଲୋଗୋ’ ଗାନ କରାଯାଇଥିଲା।

କାର୍ଯ୍ୟକ୍ରମକୁ ସଂସ୍କୃତ ବିଭାଗର ଛାତ୍ରୀ ଅଭିପ୍ସା ଆଚାର୍ଯ୍ଯ ସଂଚାଳନ କରିଥିଲେ ଓ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ- ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ ଶ୍ରୀ ହରିଚନ୍ଦନ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ। ଫକୀରମୋହନ ବିଶ୍ୱବିଦ୍ୟାଳୟର ଏହି ପବିତ୍ର ଦିବସ ପାଳନ ସହ ଛାତ୍ରଛାତ୍ରୀଙ୍କ ମନୋବଳକୁ ଦେଶପ୍ରେମ, ସାମାଜିକ ଦାୟିତ୍ୱ ଓ ଜାତୀୟ ସମର୍ପଣର ନୂତନ ପଥରେ ପ୍ରେରିତ କରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.