ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ର ବହୁ ପୁରାତନ ନବରାତ୍ର ଦୁର୍ଗାପୂଜା ରେ ପ୍ରତ୍ୟହ ବେଶ ଭିଡ ଜମୁଛି। ଶାନ୍ତି ଶୃଙ୍ଖଳାରେ ଚାଲିଛି ନବରାତ୍ରୀ ପୂଜା। ବିଶେଷ କରି ରୁପ୍ରାରୋଡ ପୂଜାରେ ସାନ୍ଧ୍ୟ ଆଳତି ସମୟରେ ପ୍ରବଳ ଭକ୍ତ ସମାଗମ ପରିଲକ୍ଷିତ ହେଉଛି। ରୁପ୍ରାରୋଡ ତଥା ଆଖ ପାଖ ଗାଁ ବିଲାଟ, ବଲବସପୁର, ଲାଖଗୁଡ଼ା, ଭିମକେଲା, ପଲସାପଡା, ଛତାମୂଲ, ରକସୀ, ବୁଢ଼ୀପଦର, ସରିଆଁ, ଗୋଖରା ସମେତ ୧୨ ରୁ ଉର୍ଦ୍ଧ୍ବ ଗାଁ ଗୁଡ଼ିକର ଲୋକେ ଏଇଠିକି ଆସି ଦୁର୍ଗାପୂଜା ଉପଭୋଗ କରୁଛନ୍ତି। ନବରାତ୍ର ପୂଜା କମିଟିର ସଭାପତି ଓମ ପ୍ରକାଶ ଅଗ୍ରୱାଲ ଓ ସାଧାରଣ ସମ୍ପାଦକ ନୀରଜ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାରେରେ ଗତ ଶନିବାର ୧୦ ତାରିଖ ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ରାତିରେ ଅଧିବାସ ଓ ରବିବାର ସକାଳୁ ଆରମ୍ଭ ହୋଇଥିଲା ନବରାତ୍ରୀ ପୂଜା। ଆଜି ପୂଜା ଷଷ୍ଠ ଦିନରେ ପହଞ୍ଚିଛି। ପ୍ରତ୍ୟହ ସୂର୍ଯ୍ୟପୂଜା, ମଙ୍ଗଳ ଆଳତି, ମହାସ୍ନାନ, ଚଣ୍ଡୀପାଠ, ଅନ୍ନଭୋଗ, ସାନ୍ଧ୍ୟ ଆଳତୀ ପ୍ରଭୃତି ଚାଲୁଥିବା ମୁଖ୍ୟ ପଣ୍ଡିତ ଶ୍ରୀ ଶର୍ମା ସୂଚନା ଦେଇଛନ୍ତି। ପୀଠରେ ପୂଜା ଦିନକୁ ଦିନ ଆଗେଇ ଚାଲିଥିବା ବେଳେ ପ୍ରତ୍ୟହ ଭକ୍ତ ସମାଗ ମଧ୍ୟ ବଢିବାରେ ଲାଗିଛି। ରୁପ୍ରାରୋଡ ବସ୍ତିର ସାର୍ବଜନୀନ ଦୁର୍ଗାପୂଜା ଏଥର ୬୭ ବର୍ଷରେ ପଦାର୍ପଣ କରିଛି। ଏନେଇ ଅଞ୍ଚଳରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖାଯାଇଛି। ସ୍ଥାୟୀ ଦୁର୍ଗା ମଣ୍ଡପରେ ଚାଲିଛି ଦେବୀ ଦଶଭୂଜାଙ୍କ ମୃଣ୍ମୟ ମୂର୍ତ୍ତିର ଆରାଧନା। ପୂଜା କମିଟି ସଭାପତି ଓମପ୍ରକାଶ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜା କାର୍ଯ୍ୟ ଚାଲିଥିବା ବେଳେ କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟବୃନ୍ଦ ସହଯୋଗ କରୁଛନ୍ତି।ନବରାତ୍ରୀ ପୂଜାର ଆଜି ଶନିବାର ଷଷ୍ଠ ଦିନ। ଚଳିତବର୍ଷ ପାର୍ଥ ଦତ୍ତା ପୂଜା କର୍ତ୍ତା ଥିବାବେଳେ ପୂଜକ ପଣ୍ଡିତ ସୁରେନ୍ଦ୍ର ପ୍ରସାଦ ଶର୍ମା ଓ ସହଯୋଗୀ ବିଷ୍ଣୁ ଶର୍ମା ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି। ପ୍ରତି ଦିନ ସନ୍ଧ୍ୟା ସମୟରେ ଘୁମୁରା, କୀର୍ତ୍ତନ ଆଦି ବାଦ୍ୟନାଦ ଚାଲିଛି।ରାତ୍ରି ସମୟରେ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ନାଟକ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବରେ ନବରାତ୍ରୀ ପୂଜା ଚାଲିଥିବାରୁ ସଭାପତି ଶ୍ରୀ ଅଗ୍ରୱାଲ ଓ ସାଧାରଣ ସମ୍ପାଦକ ନୀରଜ ଶର୍ମା କମିଟିର ସମସ୍ତ ସଦସ୍ୟ ଓ ଅଞ୍ଚଳବାସୀ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି।





