ସୋନପୁର,୩୦/୧୦ : ସୋନପୁର ଜିଲ୍ଲା ତରଭା ଏନଏସି ଅଞ୍ଚଳରେ ରହୁଥିବା ରାସ୍ତା ଗୁଡିକ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଯାହାଫଳରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଧନଜୀବନ ନଷ୍ଟ ହେଉଛି । ତଥାବି ମଧ୍ୟ ସୁବର୍ଣ୍ଣପୁର ଜିଲା ଆର୍ଡି ବିଭାଗ କିମ୍ବା ପିଡବ୍ଲୁଡି ବିଭାଗ ଅଧିକାରୀ ମାନେ ଜାଣି ନଜାଣିଲା ପରି ରହିଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀ ବିଭିନ୍ନ ସ୍ଥାନରେ କଟୁ ସମାଲୋଚନା କରୁଛନ୍ତି । ଗତ ଅଗଷ୍ଟ ମାସ ୧୩ ତାରିଖ ବନ୍ୟାରେ ରାସ୍ତା ଘାଟ ସବୁ ଧୋଇ ହୋଇ ଯାଇଥିଲା । ତା’ଉପରେ ଆଖିଠାର ପରି କ୍ରସର ଗୁଣ୍ଡ ପକାଇ ରାସ୍ତାରେ ଯା’ଆସ କରିବା ପାଇଁ ସୁବିଧା ପିଡବ୍ଲୁଡି ଓ ଆର୍ଡି ବିଭାଗ କରିଥିଲେ । ହେଲେ ଗତ ଅଢେଇ ମାସ ହେଲା ସେହି ରାସ୍ତା ଉପରେ ସମ୍ପସର୍ଣ୍ଣ ଭାବରେ ମରାମତି ନ କରି ପୁଣି ଖାଲ ଢି ଜାଗା ମାନଙ୍କୁ କ୍ରସର ଗୁଣ୍ଡ ପକାଇ ଦେଉଛନ୍ତି । ତରଭା କଲେଜ ଗେଟ ଠାରୁ ଆରମ୍ଭ କରି ଶିଶୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ବନ୍ୟା ଜଳରେ ଧୋଇ ହୋଇଯାଇଥିଲା । ତାହା ଉପରେ କ୍ରସର ଗୁଣ୍ଡ ପକାଇ ମରାମତି କରାଯାଇଛି । ଯାହାଫଳରେ ଖାଲଢିରେ ପୂର୍ଣ୍ଣ ଥିବାରୁ ରାସ୍ତାରେ କିଛି ଦିନ ପୂର୍ବରୁ ଦୁର୍ଘଟଣା ଘଟି ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଏହି ରାସ୍ତା ଦେଇ ପ୍ରତ୍ୟହ ତୁଷୁରା, ଚାରଭଟା, ବାଲିଖମାର, କମସରା, ସରଗଜକୁ ବେସରକାରୀ ବସ୍ ସହିତ ଛୋଟ ବଡ ଯାନବାହନ ଚଳାଚଳ କରୁଥିବା ବେଳେ କଲେଜକୁ ଛାତ୍ରଛାତ୍ରୀ, ସରସ୍ୱତୀ ଶିଶୁ ମନ୍ଦିରକୁ ଯାଉଥିବା ଛାତ୍ରଛାତ୍ରୀ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେହିପରି ତରଭା ନୂଆଁପଡା ରାସ୍ତା, ବାଇପାସ ରାସ୍ତା ସମ୍ପସର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି । ତରଭା ନୂଆଁପଡା ରାସ୍ତା ବାଳିକା ହାଇସ୍କୁଲ ଠାରୁ ନିବୃତି ଜୋର ଶବଦାହ ଗୃହ ପର୍ଯ୍ୟନ୍ତ ନିର୍ମାଣଧୀନ ଥିବା ଭୁତଳ ନାଳା ଯୋଗୁଁ ରାସ୍ତାଟି ବନ୍ଦ ରହିଛି । ସେହିପରି ବାଇପାସ ରାସ୍ତା ପେଟ୍ରୋଲ ପମ୍ପ ଠାରୁ କଦଳୀପାଲି ଛକ, ଫଟାମୁଣ୍ଡା, ନବୋଦୟ ରାସ୍ତାଟି ବହୁତ ସ୍ଥାନରେ ଖାଲଢିରେ ପରିପୂର୍ଣ୍ଣ ରହିଛି । ବନ୍ୟାରେ ପେଟ୍ରୋଲ ପମ୍ପ ଠାରୁ ବାପୁଜୀ କ୍ଲବର ରାସ୍ତା ଧୋଇ ହୋଇଯାଇଥିଲା । ତା’ ଉପରେ ପଥର ଗୁଣ୍ଡ ପକାଇ ରାସ୍ତା ମରାମତି କରାଯାଇଛି । ଫଟାମୁଣ୍ଡାରୁ ସିଲାଟିମୁଣ୍ଡା ଛକରୁ ନବୋଦୟ ରାସ୍ତା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିଲା । କିନ୍ତୁ ୧୦ଟନରୁ ଊଦ୍ଧ୍ୱର୍ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତାଟି ଖାଲଢିପରେ ପରିପୂର୍ଣ୍ଣ ହୋଇଯିବାରୁ ସିଲାଟିମୁଣ୍ଡା, ଦେଗାଁ, ଲକ୍ଷ୍ମୀମୁଣ୍ଡା ପ୍ରଭୃତି ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯଥାଶିଘ୍ର ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ରାସ୍ତା ମରାମତିର ବ୍ୟବସ୍ଥା କରିବା ପାଇଁ ଜନସାଧାରଣରେ ଦାବି ହେଉଛି ।