ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର, ଚିନ୍ତାରେ ଅଭିଭାବକ
ଶିକ୍ଷକ ନିଯୁକ୍ତି ଦେବା ବିଭାଗର କାମ –ପ୍ରଧାନ ଶିକ୍ଷୟତ୍ରୀ
ରାୟଗଡ,୧/୧୧ : ରାୟଗଡ ଜିଲ୍ଳାରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା କୋଲନରା ବ୍ଳକ ଅଂଟାମୁଡା ଠାରେ ଥିବା ଆଶ୍ରମ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀ ନଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ ରହିଥିବା ନେଇ ଚିନ୍ତାରେ ରହିଛନ୍ତି ଅଭିଭାବକମାନେ । ତେବେ ଶିକ୍ଷକ ନିଯୁକ୍ତି ଦେବା ବିଭାଗର କାମ ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତି ସୁଲତା ପଣ୍ଡା ପ୍ରକାଶ କରିଛନ୍ତି ଓ ନିକଟସ୍ଥ ରିଭଲକଣା, ଖେଦାପଡା ଆଦି ବିଦ୍ୟାଳୟଗୁଡିକରେ ମଧ୍ୟ ଏହି ସମସ୍ୟା ଲାଗି ରହିଛି ବୋଲି ସେ କହିଛନ୍ତି । ଅଂଟାମୁଡା ଆଶ୍ରମ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଧ୍ୟୟନରତ ଅଛନ୍ତି । ଏଥିରେ ୧୯୨ଜଣ ଛାତ୍ରୀ ଓ ୨୬୨ଜଣ ଛାତ୍ରୀ ଅନ୍ତେବାସୀ ରହୁଥିବା ବେଳେ ୪୪ଜଣ ଡେ ସ୍କଲର ପିଲାମାନେ ପାଠ ପଢୁଛନ୍ତି । ତେବେ ନବମ ଶ୍ରେଣୀରେ ୩୭ ଓ ଦଶମ ଶ୍ରେଣୀରେ ୨୬ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଦୀର୍ଘ ଦିନ ହେବ ଏହି ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଳା କଲ୍ୟାଣ ବିଭାଗ ପକ୍ଷରୁ ଶିକ୍ଷକ ପଦବୀଗୁଡିକ ପୂରଣ କରାଯାଉ ନ ଥିବାରୁ ବର୍ତମାନ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାରରେ ରହିଛି । ବର୍ତମାନ ଅର୍ଦ୍ଧବାର୍ଷିକ ପରୀକ୍ଷା ଚାଲୁ ରହିଥିବା ବେଳେ ଆସନ୍ତା ୪ମାସ ପରେ ବାର୍ଷିକ ପରୀକ୍ଷା ହେବାକୁ ଯାଉଛି କିନ୍ତୁ ଛାତ୍ରଛାତ୍ରୀମାନଙ୍କ ପାଠପଢା ନିମନ୍ତେ ଶିକ୍ଷକଶିକ୍ଷୟତ୍ରୀଙ୍କ ଘୋର ଅଭାବ ଏମାନଙ୍କ ଉଜ୍ଜଳ ଭବିଷ୍ୟତକୁ ଅନ୍ଧାରରେ ଠେଲି ଦେଇଛି । ତେବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟ ହୋଇ ବିଦ୍ୟାଳୟରେ ଥିବା ୭ଜଣ ମାଟ୍ରିକ ସିଟି ଶିକ୍ଷକଶିକ୍ଷୟତ୍ରୀମାନେ ଶିକ୍ଷାଦାନ କରୁଥିବା ବେଳେ ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବାରେ ଏମାନେ ସମୟ ପାଇ ପାରୁନାହାନ୍ତି । ଏଭଳି ସ୍ଥିତିରେ ଜିଲ୍ଳା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳଙ୍କୁ ଜିଲ୍ଳାରେ ଥିବା ୧୭ ଗୋଟି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ/ବାଳିକା ଉଚ୍ଚ ବିଦ୍ୟାଳୟଗୁଡିକରେ ବି.ଏ.ବି.ଇଡି ଓ ବି.ଏସସି.ବିଇଡି ଶିକ୍ଷକ ପଦବୀ ପୂରଣ ନେଇ ପଚାରିବାରୁ ନିଯୁକ୍ତି ନିମନ୍ତେ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ନଭେମ୍ବର ମାସର ପ୍ରଥମ ସପ୍ତାହ ସୁଦ୍ଧା ତାଲିକା ପ୍ରକାଶିତ କରାଯିବ ଯାହାଫଳରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନକୁ ନେଇ ସମାଧାନ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି, ରାୟଗଡ ଜିଲ୍ଳାପାଳ ତଥା ଜିଲ୍ଳା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟର ଅନୁସୂଚିତ ଜାତି ଓ ଅନୁୂସୂଚିତ ଜନଜାତି ବିଭାଗର ବିଞାପନ ସଂଖ୍ୟା ୨୧୧୭ ତା.୨୫/୦୬/୨୦୧୮ ରିଖରେ ରାୟଗଡ ଜିଲ୍ଳା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ/ବାଳିକା ଉଚ୍ଚ ବିଦ୍ୟାଳୟରେ ଚୁକ୍ତି ବିଷୟକ ଆଧାର ସଦୃଶ ନିଯୁକ୍ତି ପ୍ରକିୟାରେ ଖାଲି ପଡିଥିବା ୧୧୦ଟି ଅଧ୍ୟାପନା (ଟିଚିଂ) ଓ ୬୨ଟି ଅଣଅଧ୍ୟାପନା (ନନ୍ ଟିଚିଂ) ନିମନ୍ତେ ସମୁଦାୟ ୧୭୨ଟି ପଦବୀ ପାଇଁ ବିଜ୍ଞାପନ ବାହାର କରାଯାଇଥିଲା । ଏଥି ନିମନ୍ତେ ବିଭିନ୍ନ ପଦବୀ ପାଇଁ ପାଖାପାଖି ୬ହଜାରଟି ଆବେଦନ କରାଯାଇଥିଲା । ତେବେ ଗତ ୨୦୧୮ ମସିହା ଜୁନ ୨୫ତାରିଖରେ ବିଞାପନ ବାହାରିବା ପରେ ଏଥି ନିମନ୍ତେ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରି ଆଜକୁ ୧୫ମାସରୁ ବିତିଯାଇଥିଲେ ମଧ୍ୟ ତାଲିକା ପ୍ରକାଶିତ ହୋଇନାହିଁ । ଜିଲ୍ଳା ମଙ୍ଗଳ ବିଭାଗ ଅଧୀନରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ/ ବାଳିକା ଉଚ୍ଚ ବିଦ୍ୟାଳୟରେ ହଜାର ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ସୁଦ୍ଧା ଶିକ୍ଷକ ଅଭାବରୁ ସେମାନଙ୍କୁ ସଠିକ୍ ଭାବେ ଶିକ୍ଷାଦାନ କରାଯାଇ ପାରୁନାହିଁ । ଅପରପକ୍ଷେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଖୋଦ ରାୟଗଡ ଜିଲ୍ଳା ମଙ୍ଗଳ ବିଭାଗର ସମସ୍ତ କାର୍ଯ୍ୟକଳାପ ଉପରେ ଅବଗତ ରହିଥିଲେ ମଧ୍ୟ ନୀରବଦ୍ରଷ୍ଟା ସାଜୁଥିବା ନେଇ ଆଶାୟୀ ପ୍ରାର୍ଥୀ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।