ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବେହେରାପାଟି ଗ୍ରାମରେ ରହିଥିବା ଶ୍ରୀରାମ ମନ୍ଦିରରେ ଚାଲିଛି ଶ୍ରୀରାମ ନବମୀ କାର୍ଯ୍ୟକ୍ରମ । ଗତ ରବିବାର ଦିନଠୁ ଶ୍ରୀରାମ ନବମୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପୂର୍ବ ଦିନ ଶନିବାର ସାନ୍ଦୁଲ ନଦୀରୁ ଗ୍ରାମର ଆବାଳ ବୃଦ୍ଧ ବନିତା କଳସ ଯାତ୍ରାରେ ସାମିଲ ହୋଇ କଳସ ଆଣି ମନ୍ଦିରରେ ସ୍ଥାପନା କରିଥିଲେ । ପ୍ରତ୍ୟହ ମଙ୍ଗଳ ଆଳତୀ, ବାଳଭୋଗ, ସାନ୍ଧ୍ୟ ଆଳତୀ ସାଙ୍ଗକୁ ରାମାୟଣ ପଠନ ଚାଲିଛି । ମହିଳା ଓ ପୁରୁଷ ଭକ୍ତ ଶ୍ରୀରାମ ଜୀଉଙ୍କ ସମ୍ମୁଖରେ ବସି ରାମାୟଣ ପର୍ବର ଆଦ୍ୟକାଣ୍ଡ, ସୁନ୍ଦରାକାଣ୍ଡ ପ୍ରଭୃତି ପର୍ବ ଶ୍ରବଣ କରୁଥିବା ଦେଖିବାକୁ ମିଳୁଛି । ନିତ୍ୟ ସନ୍ଧ୍ୟା ସମୟରେ ଭଜନ ସଂକୀର୍ତ୍ତନ ଚାଲୁଥିବା ବେଳେ ଶ୍ରୀରାମ ନବମୀର ଅଷ୍ଟମ ସନ୍ଧ୍ୟାରେ ସ୍ବାଧୀ ସଦାନନ୍ଦାଙ୍କ କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନ୍ଦିର ନିର୍ମାଣ ସମିତିର ସମ୍ପାଦକ ପ୍ରଦୀପ କୁମାର ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି ପାରାୟଣ କଥାମୃତ କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ପ୍ରବଚନ କଥାମୃତ ଶୁଣିଥିଲେ । ପୂଜକ ପଣ୍ଡିତ ଭାବରେ ମଦିରର ସ୍ଥାୟୀ ପୂଜକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ପୂଜନ କାର୍ଯ୍ୟ ସମ୍ପାଦନ କରୁଥିବା ଜଣାପଡିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ବେହେରାପାଟିର ଶ୍ରୀରାମ ନବମୀ ବହୁ ପୁରାତନ ଓ ବହୁ ପ୍ରସିଦ୍ଧ । ୧୯୫୬ ମସୀହାରୁ ଏଠାରେ ପୂଜା ପାଇ ଆସୁଛନ୍ତି ଶ୍ରୀରାମ ଲାଲା । ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ବନ୍ଦ ହୋଇ ପଡ଼ିଥିଲା ଶ୍ରୀରାମ ନବମୀ ମେଳା । କେବଳ ବିଧିକୁ ପୂଜାର ରୀତିନୀତି କରାଯାଉଥିଲା । ଅନ୍ୟପକ୍ଷେ ରାମଲାଲାଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି । ଏସବୁକୁ ନେଇ ଅଞ୍ଚଳ ବାସୀ ଜନସାଧାରଣଙ୍କ ମଧ୍ୟରେ ଅନେକ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି । ମଙ୍ଗଳବାର ସକାଳେ ଶ୍ରୀରାମ ନବମୀର ପୂର୍ଣାହୂତି ପଡିବ ବୋଲି କମିଟି ସୂତ୍ରରୁ ଜଣାପଡିଛି ।