ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜନ୍ମଦିନରେ ଲୋକେ ପାର୍ଟି କରିବା, ମନ୍ଦିର ଯାଉଥିବା ବେଳେ ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଯୁବ ଶିକ୍ଷକ ଜିତେନ୍ଦ୍ର କୁମାର ସାହୁ। ନିଜ ଜନ୍ମଦିନରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଯୁବକଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ ସାହୁ ନର୍ଲା ବ୍ଲକ ଅଧିନସ୍ଥ ବଲବସପୁର ଗ୍ରାମର ଅଧିବାସୀ ଅଟନ୍ତି। ସମ୍ପ୍ରତି ସେ ଜଣେ ସରକାରୀ ଶିକ୍ଷକ ଭାବେ ଲାଖପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ। ଜନ୍ମଦିନର ରକ୍ତଦାନକୁ ନେଇ ସେ ବହୁତ ଖୁସି ଥିବା ବେଳେ ସମସ୍ତ ଯୁବପିଢି ଅନ୍ତତଃ ନିଜର ଗୁରୁତ୍ୱପୂର୍ଣ୍ଣ ଦିନମାନଙ୍କରେ ଏଭଳି କାର୍ଯ୍ୟ କଲେ, ସମାଜ ମଙ୍ଗଳ ଦିଗରେ ବିଶେଷ ସହାୟକ ହେବ ବୋଲି କହନ୍ତି ଶ୍ରୀ ସାହୁ। ତାଙ୍କର ଏହି କାର୍ଯ୍ୟକୁ ନର୍ଲାର ସାଧାରଣ ମହଲରେ ପ୍ରଶଂସା କରାଯାଉଛି।