କଳାହାଣ୍ଡି ନବରଙ୍ଗପୁରକୁ ଯୋଡିବ ଅଠରନଳା ଘାଟି ରାସ୍ତା
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାର ଗୋତମୁଣ୍ଡାଠାରୁ ନବରଙ୍ଗପୁର ଜିଲ୍ଲାର ଡାହିମାଲକୁ ସଂଯୋଗ କରୁଥିବା ନୂତନ ରାସ୍ତାର ଭିତ୍ତିପ୍ରସ୍ତର ଶନିବାର ସ୍ଥାପନ ହୋଇଛି। ଏହାକୁ ଆମପାଣି ଜୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଛନ୍ତି। ସାନ ପୋଡାଗୁଡା ସରପଞ୍ଚ ଜୟରାମ ନାଏକ, ଧର୍ମଗଡ ପୂର୍ବତନ ବ୍ଳକ ଅଧ୍ୟକ୍ଷ ବଳରାମ ପୁଝାରୀ, ସୁରେଶ ଚନ୍ଦ୍ର ସାହୁ, ଭବେଶ ଗଇନ୍ତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଦଣ୍ଡପାଟ ଅଞ୍ଚଳବାସୀ ତରଫରୁ ଦିର୍ଘ ୨୩ ବର୍ଷ ପରେ ଗୋତମୁଣ୍ଡାଠାରୁ ନବରଙ୍ଗପୁର ଜିଲ୍ଲାର ଡାହିମାଲକୁ ରାସ୍ତା ସଂଯୋଗୀକରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ‘୫-ଟି’ ଅଧ୍ୟକ୍ଷ ଭି . କାର୍ତ୍ତିକେୟାନ ପାଣ୍ଡିଆନ, ଧର୍ମଗଡ ବିଧାୟକ ମୌଷଧି ବାଗ,ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ସାଂସଦ ରମେଶ ଚନ୍ଦ୍ର ମାଝୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ପ୍ରମୁଖଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଅର୍ପଣ କରିଛନ୍ତିି। ପୂର୍ବରୁ ଏହି ରାସ୍ତାରେ ଧର୍ମଗଡ଼, ଦଣ୍ଡପାଟ ଅଞ୍ଚଳ ଓ କୋକସରା ବ୍ଲକର ହଜାର ହଜାର ଲୋକ ନବରଙ୍ଗପୁର, ଚନ୍ଦାହାଣ୍ଡି, ଝରିଗାଁ, ଉମରକୋଟ ଅଞ୍ଚଳକୁ ଯିବାକୁ ହେଲେ ଦିର୍ଘ ୭୦ରୁ ୮୦କିମି. ଦୂର ଆମପାଣି, ମୈଦଲପୁର ଦେଇ ଯିବାକୁ ପଡୁଥିଲା। ନଚେତ୍ ଛତିଶଗଡ ଅଞ୍ଚଳ ଦେଇ ଯିବାକୁ ପଡିଥିବାବେଳେ କମ୍ ରାସ୍ତା ଯୋଗୁଁ ଏହି ଜଙ୍ଗଲିଆ ରାସ୍ତାରେ ଲୋକେ ବିପଦପୂର୍ଣ୍ଣ ଯାତ୍ରା କରୁଥିଲେ। ୭କୋଟି ୫୧ଲକ୍ଷ ୩୨ ହଜାର ୮୨୧ ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଏହି ରାସ୍ତା ନିର୍ମାଣ ହେବ। ଉକ୍ତ ରାସ୍ତା ସମ୍ପୂର୍ଣ୍ଣ ହେଲେ ୨୫ରୁ ୩୦ ମିନିଟ ମଧ୍ୟରେ ଏହି ସବୁ ଅଞ୍ଚଳକୁ ଲୋକେ ସହଜରେ ଗମନାଗମନ କରିପାରିବେ। ଏହା ଦ୍ବାରା ସ୍ଥାନୀୟ ଅଞ୍ଚଳର ପ୍ରାୟ ୫୦ ଖଣ୍ଡ ଗାଁର ଲୋକେ ଉପକୃତ ହୋଇ ପାରିବେ। ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ପାର୍ଥବ ମାଝୀ, ବିନୋଦ କୁମାର ସିଂ, ପୂର୍ଣ୍ଣଚନ୍ଦ୍ର ନାଏକ, ପିଣ୍ଟୁ ମାଝୀ, ସୁଭାଷ ଚନ୍ଦ୍ର ଖର୍ସେଲ, ବଲିଆର ସିଂ ମରେଇ, ହିମାଞ୍ଚଲ ପୁଝାରୀ, ନିରଞ୍ଜନ ବାଗ ସମେତ ଦଣ୍ଡପାଟ ଅଞ୍ଚଳର ଅନେକ ଲୋକ ଉପସ୍ଥିତ ଥିଲେ।