ସ୍ମାରକୀ ଜାତୀୟ ନାଟକ ମହୋତ୍ସବ-୨୦୨୫ର ତୃତୀୟ ସନ୍ଧ୍ୟା: ମଞ୍ଚସ୍ଥ ହେଲା ନାଟକ “ସନ୍ଧ୍ୟାଛାୟା”

ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରାଜେଶ ଦାଶ ଏବଂ ଲିପ୍ସାରାଣୀ ବାରିକ ହେଲେ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ଭବାନୀପାଟଣା ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୫ ଅନୁଷ୍ଠିତ ହୋଇଯାଇଛି ।

ଆଜିକାର ତୃତୀୟ ସନ୍ଧ୍ୟାରେ କାର୍ଯ୍ୟକ୍ରମରେ ଅତିଥି ଭାବେ ସାମ୍ବାଦିକ ହରଜିନ୍ଦର ସିଂ, ବରିଷ୍ଠ ଅଭିନେତା ଅବଦୁଲ କାଦିର, ଗିରିଶଚନ୍ଦ୍ର ବେହେରା ବି ସି ସି ବି ବ୍ଯାଙ୍କ ସଭାପତି, ସମ୍ପାଦକ ମହାବୀର ସାଂସ୍କୃତିକ ଅନୁଷ୍ଠାନ ସତ୍ୟ ନାରାୟଣ ସିଂହ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମର ସଭାପତିତ୍ଵ କରିଥିଲେ ସ୍ମାରକୀ ନାଟ୍ୟ ସଂସ୍ଥାର ସଭାପତି ପ୍ରବୋଧ ରଥ।

ଏହି ଅବସରରେ ନାଟକ କ୍ଷେତ୍ରରେ କଳାହାଣ୍ଡି ମାଟିକୁ ବିଶେଷ ଅବଦାନ ପାଇଁ ଅଭିନେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅଭିନେତା ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରାଜେଶ ଦାଶ ଏବଂ ଲିପ୍ସାରାଣୀ ବାରିକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ତୃତୀୟ ସନ୍ଧ୍ୟାରେ ପରିବେଷିତ ହୋଇଥିଲା ନାଟକ “ସନ୍ଧ୍ୟାଛାୟା @ ୟୁଥ୍ ଜଙ୍କସନ୍”। ପରିବାର ଏବଂ ସମାଜର ଅବହେଳା ଯୋଗୁଁ ଆଜି ଯୁବପିଢ଼ି ଦିଗଭ୍ରଷ୍ଟ।

ଏହି ଦିଗଭ୍ରାନ୍ତରର ସୁଯୋଗ ଅନେକ ରାଜନୈତିକ ଦଳ ନିଅନ୍ତି। ଯୁବପିଢ଼ି ଅବହେଳିତ ପିଢ଼ି ପ୍ରତି ଘୃଣାରେ ପରିପୂର୍ଣ୍ଣ, ଯାହା ଏକ ନକାରାତ୍ମକ ରୂପ ନେଇଥାଏ। ନାଟକ “ସନ୍ଧ୍ୟାଛାୟା” ସମାପ୍ତ ଏବଂ ଅସମାପ୍ତ ମଧ୍ୟରେ ଏକ ସ୍ଥାନରେ ଛାଡି ଦିଆଯାଇଛି, ଯେଉଁଠାରେ ଏକ ନିର୍ଣ୍ଣାୟକ ଯୁଦ୍ଧ ବାକି ଅଛି ଏବଂ ଯୁବ ଶକ୍ତିର ଘୋଷଣା ସହିତ ଏହା ଏକ ଉଜ୍ଜ୍ୱଳ ଭବିଷ୍ୟତ ଏବଂ ଏକ ଉନ୍ନତ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଆଶା ଜାଗ୍ରତ କରେ।

ପାଥ୍, ଜାମସେଦପୁର ଦ୍ଵାରା ପ୍ରଦର୍ଶିତ ଏହି ନାଟକକୁ ବରିଷ୍ଠ ନାଟ୍ୟକାର ଡକ୍ଟର ଅରୂପ ମୋଇତ୍ରା ରଚନା କରିଥିବାବେଳେ ଅନୁବାଦ କରିଥିଲେ ଜ୍ୟୋତି – ନିଜାମ। ନାଟକକୁ ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ନିଜାମ। ଏଥିରେ ରୂପେଶ କୁମାର, ମହମ୍ମଦ ନିଜାମ, ରହମତ, ଛବି ଦାସ, ରାଜ କୁମାର ଦାସ, ରୂପେଶ ପ୍ରସାଦ, ଖୁର୍ସିଦ ଆଲମ ପ୍ରମୁଖ ଅଭିନୟ କରିଥିଲେ। ଏହି ନାଟକରେ ସଙ୍ଗୀତ ପରିଚାଳନା ନୀତୀଶ ରାୟ କରିଥିବାବେଳେ ସତ୍ୟମ୍ ଏବଂ ବିକାଶ କର୍ମକର ଆଲୋକ ସଞ୍ଚାଳନ କରିଥିଲେ।

ବେଶ ପୋଷାକରେ ସହାୟତା କରିଥିଲେ ଛବି ଦାସ । ବିକାଶ ଏବଂ ରୂପେଶ ପ୍ରସାଦ ମଞ୍ଚ ସାଜସଜ୍ଜା କରିଥିଲେ।ନାଟକଟି ବେଶ୍ ହୃଦୟସ୍ପର୍ଶୀ ହେବାସହ କଳାକାରଙ୍କ ଅଭିନୟ ଶେଷଯାଏଁ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଟାଉନ ହଲରେ ଅଗଣିତ ଦର୍ଶକଙ୍କ ଭିଡ ଏବଂ ଅଜସ୍ର କରତାଳି କଳାକାରଙ୍କୁ ଆହୁରି ଉତ୍ସାହିତ କରିଥିଲା। ଆଜିର କାର୍ଯ୍ୟକ୍ରମରେ ଯୁବ ଉଦଘୋଷକ ସୌରଭ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।

ଏଥିରେ ଏଥିରେ ପ୍ରଭାସ ଚନ୍ଦ୍ର ମିଶ୍ର, ଶୁଭେନ୍ଦୁ ମହାପାତ୍ର, ଦେବୀ ପ୍ରସାଦ ରଥ, ବିରଞ୍ଚି ନାରାୟଣ ମୁଣ୍ଡ, ଅବିନାଶ ଅଗସ୍ତି, ସୌରଭ ମହାପାତ୍ର, ଆଶୁତୋଷ ପୁରୋହିତ, ଆଲୋକ କୁମାର ସାହୁ, ଶୁଭମ ବେହେରା, ଶିବଶକ୍ତି ପୁରୋହିତ, ଅମରେନ୍ଦ୍ର ମହାନ୍ତି, ଆର୍ୟା ନାୟକ, ପୁଷ୍ପାଞ୍ଜଳି ଦୀପ, ଲିପ୍ସା ମହାରଣା, ଲିପ୍ସାରାଣୀ ବାରିକ, ଅନିଲ ବୈଠାରୁ, ସୁଶୀଲ ଆଚାର୍ଯ୍ୟ, ଗୋପିଧର ନାୟର, ରାଜେଶ ଦାଶ, ହେମନ୍ତ ଦଣ୍ଡସେନା ପ୍ରମୁଖ ସହାୟତା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.