ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଶନିବାର ମଧ୍ୟାହ୍ନରେ ହୋଇଥିବା ଅଦିନିଆ ଝଡ ବର୍ଷା ଯୋଗୁଁ କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ତଳେ ପଡ଼ିଯାଇଛି। ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ପବନ ଯୋଗୁଁ କାଉଡୋଲା ଗ୍ରାମର ଗଣେଶ ସତନାମିଙ୍କ ଘରେ ଗଛ ପଡ଼ିଯାଇଛି। ସେହିପରି ବ୍ଲକ ସଦର ମହକୁମା ବଜାର ପଡ଼ିଆରେ ମଧ୍ୟ ଗଛ ଗୁଡ଼ିକ ଭାଙ୍ଗି ରାସ୍ତା ଓ ଲୋକଙ୍କ ଘରେ ପଡ଼ିଥିବା ଦେଖିବାକୁ ମିଳୁଛି। ନିକଟରେ ଥିବା ବିଦ୍ୟୁତ୍ ଖୁଣ୍ଟ ଓ ତାର ମଧ୍ୟ ତଳେ ପଡ଼ିଯାଇଛି। ଏହା ବ୍ୟତୀତ ବ୍ଳକର ବିଭିନ୍ନ ସ୍ଥାନରେ ଗଛ ଗୁଡ଼ିକ ଭାଙ୍ଗି ଥିବାବେଳେ ଅନେକ ସମୟ ଧରି ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି। କୋକସରା ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ବାଗଙ୍କ ନେତୃତ୍ବରେ ଅଗ୍ନିଶମ କର୍ମଚାରୀ ଦିଗାମ୍ବର ଶବର, ମନୋଜ ବିଶ୍ବାଳ, ରାଧେଶ୍ୟାମ ପ୍ରଧାନୀ, ଶ୍ୟାମଲାଲ ଗଣ୍ଡ, ସତ୍ୟମ୍ ମାଝୀ ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି।