ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ସଚେତନତା ଶିବିର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ତିନୋଟି ନୂଆ ଅପରାଧିକ ଆଇନ ସୋମବାର ଠାରୁ କାର୍ଯ୍ୟକାରୀ ହୋଇଛି। ଏ ନେଇ ସଇଁତଲା ଥାନା ପରିସରରେ ଥିବା ଅଭ୍ୟର୍ଥନା କକ୍ଷରେ ଥାନା ଅଧିକାରୀ ସୁଶାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଇଁତଲା ଓକିଲ ସଂଘ ସଭାପତି ସୁବୋଧ କୁମାର ମିଶ୍ର, ସମ୍ପାଦକ ଫିରୋଜ କୁମାର ବଗର୍ତି, ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା, ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘ ସମ୍ପାଦକ ବିଶାଳ ଅଗ୍ରୱାଲ ଓ ସରପଞ୍ଚ ସଂଘ ସଭାପତି ଅଶୋକ ସାହୁ ଉପସ୍ଥିତ ଥିଲେ। ଏନେଇ ଅତିଥିମାନେ ବକ୍ତବ୍ୟରେ କହିଥିଲେ ଯେ, ନୂଆ ଆଇନରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସାର ତଦନ୍ତକୁ ପ୍ରାଥମିକତା ଦିଆଯାଇଛି। ନୂଆ ଅପରାଧ ଆଇନ ଅନୁଯାୟୀ ଫରେନସିକ୍ ବିଶେଷଜ୍ଞମାନେ ଗୁରୁତର ଅପରାଧ ଏବଂ ପ୍ରମାଣ ସଂଗ୍ରହ ପାଇଁ ଅପରାଧ ସ୍ଥଳ ପରିଦର୍ଶନ କରିବା ବାଧ୍ୟତାମୂଳକ କରାଯାଇଛି। ଏହି ତିନୋଟି ନୂଆ ଆଇନର ଆତ୍ମା ହେବ ଭାରତୀୟ ନାଗରିକମାନଙ୍କୁ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ସମସ୍ତ ଅଧିକାରର ସୁରକ୍ଷା କରିବା। ଏହାର ଉଦ୍ଦେଶ୍ୟ କାହାକୁ ଦଣ୍ଡ ଦେବା ନୁହେଁ ବରଂ ନ୍ୟାୟ ଦେବା। ଏହି ପ୍ରକ୍ରିୟାରେ ଅପରାଧ ନିବାରଣ ଭାବନା ସୃଷ୍ଟି କରିବା ପାଇଁ ଯେଉଁଠାରେ ଆବଶ୍ୟକ ସେଠାରେ ଦଣ୍ଡ ଦିଆଯିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଉକ୍ତ ସଭାରେ ସାମ୍ବାଦିକ, ଅଞ୍ଚଳର ଭଦ୍ରବ୍ୟକ୍ତି ତଥା ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.