ପ୍ୟାରିସ ଅଲିମ୍ପିକ: ଭାରତୀୟ ଆଥଲେଟଙ୍କ ପ୍ରଭାବୀ ପ୍ରଦର୍ଶନ

ଓଡ଼ିଆ ବାର୍ତ୍ତା/ ପ୍ୟାରିସ: ଶୁଟିଂରେ ମନୁ ଭାକର ଭାରତ ପାଇଁ ପଦକ ଖାତା ଖୋଲିଦେବା ପରେ ଏବେ ଅନ୍ୟ ଆଥଲେଟମାନେ ଉତ୍ସାହିତ ହୋଇ ପଡିଛନ୍ତି । ଦ୍ୱିତୀୟ ଦିବସରେ ଷ୍ଟାର ମହିଳା ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ଗ୍ରେଟ ବ୍ରିଟେନର ଅନ୍ନା ହାର୍ସଙ୍କୁ ୪-୧ରେ ହରାଇଛନ୍ତି । ଏଥିସହ ସେ ରାଉଣ୍ଡ ଅଫ ୩୨ରେ ପ୍ରବେଶ କରିଛନ୍ତି । ମହିଳା ବକ୍ସିଂରେ ପଦକ ଦାବୀଦାର ନିଖତ ଜରୀନ ୫୦ କିଗ୍ରା ମୁକାବିଲାର ରାଉଣ୍ଡ ଅଫ ୩୨ରେ ଜର୍ମାନୀର ମ୍ୟାକ୍ସି କୋରିନାଙ୍କୁ ହରାଇ ପରବର୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି । ପରବର୍ତୀ ମୁକାବିଲାରେ ସେ ଚୀନର ଉ ୟୁଙ୍କୁ ଭେଟିବେ । ୧୦ ମିଟର ଏୟାର ରାଇଫଲ ପୁରୁଷ କ୍ୱାଲିଫିକେଶନ ରାଉଣ୍ଡରେ ଅର୍ଜୁନ ବାବୁତା ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ସନ୍ଦୀପ ସିଂ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି । ଟେବୁଲ ଟେନିସରେ ଶ୍ରୀଜା ଅକୁଲା ରାଉଣ୍ଡ ଅଫ ୬୪ରେ ସ୍ୱୀଡେନର କ୍ରିଷ୍ଟିନା କାଲବର୍ଗଙ୍କୁ ୪-୦ରେ ପରାସ୍ତ କରିଛନ୍ତି । ଅନ୍ୟ ମୁକାବିଲା ମଧ୍ୟରେ ୧୦ ମିଟର ଏୟାର ରାଇଫଲ ଇଭେଂଟର କ୍ୱାର୍ଟର ଫାଇନାଲରେ ରମିତା ଜିନ୍ଦଲ ପ୍ରବେଶ କରିଛନ୍ତି ।

ରୋଇଂରେ ବଲରାଜ ପଂୱାର ପୁରୁଷ ସିଙ୍ଗଲ୍ସ ସ୍କଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ସେ ଏହି ଇଭେଂଟର କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି ।ବ୍ୟାଡମିଂଟନରେ ପିଭି ସିନ୍ଧୁ ମାଲଡିଭର ଫାତିମାଥ ନାବାହଙ୍କୁ ହରାଇ ପଦକ ଅଭିଯାନ ଆରମ୍ଭ କରିଛନ୍ତି । ଭାରତର ଯୁବ ଟେନିସ ଖେଳାଳି ସୁମିତ ନାଗଲ ଆୟୋଜକ ଫ୍ରାନ୍ସର କୋରେଂଟେନ ମୋଉଟେନଙ୍କ ନିକଟରୁ ୬-୨, ୨-୬ ଓ ୫-୭ରେ ହାରି ଯାଇଛନ୍ତି । ମହିଳା ତୀରନ୍ଦାଜ ଟିମ ରିକର୍ଭ କାଟାଗୋରୀରେ କ୍ୱାର୍ଟରଫାଇନାଲ ମୁକାବିଲା ହାରି ଯାଇଛନ୍ତି । ଏହିସହ ଏହି ଇଭେଂଟରେ ଭାରତର ପଦକ ଆଶା ସମାପ୍ତ ହୋଇଛି । ନେଦରଲାଣ୍ଡ ଟିମ ଭାରତକୁ ହରାଇଥିଲା ।ସନ୍ତରଣରେ ଭାରତର ଅଭିଯାନ ଶେଷ ହୋଇଯାଇଛି । ଶ୍ରୀହରି ନଟରାଜ ଓ ଧିନିଧି ଦୋସିଙ୍ଗୁ ଯଥାକ୍ରମେ ୧୦୦ ମିଟର ପୁରୁଷ ବ୍ୟାକ ଷ୍ଟ୍ରୋକ ଓ ମହିଳା ୨୦୦ ମିଟର ଫ୍ରଷ୍ଟାଇଲ ଇଭେଂଟରେ ପରବର୍ତୀ ରାଉଣ୍ଡକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି । ଟିଟିରେ ଶରଥ କମଲଙ୍କୁ ରାଉଣ୍ଡ ଅଫ ୬୪ରେ ସ୍ଲୋଭେନିଆର କୋଜୁଲ ଡେନି ୪-୨ରେ ପରାସ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.