ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ପରିସରରେ ଥାନା ଅଧିକାରିଣୀ କଳ୍ପନା ବେହେରାଙ୍କ ଅଧ୍ୟକ୍ଷତାରେ ଶନିବାର ନିଶା ମୁକ୍ତ ଭାରତ ଓ ସାଇବର କ୍ରାଇମ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ଵନାଥପୁର ମା’ ହୀରାନୀଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ତନମଣି ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ନିଶା କେବଳ ଜଣେ ବ୍ୟକ୍ତିକୁ ନୁହେଁ, ଗୋଟିଏ ପରିବାର ଓ ଗୋଟିଏ ସମାଜକୁ ଧ୍ୱଂସ କରିଦିଏ। ଯୁବପିଢ଼ି ନିଶାଠାରୁ ଦୂରେଇ ରହିଲେ ହିଁ ସୁସ୍ଥ ଓ ସୁନ୍ଦର ସମାଜ ଗଢ଼ି ହେବ। ମୁଖ୍ୟ ବକ୍ତା ଭାବେ ଉକ୍ତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡଃ ରମେଶ ଚନ୍ଦ୍ର ସାହୁ ଯୋଗ ଦେଇ ମୋବାଇଲ୍ କିଭଳି ଯୁବପିଢ଼ି ତଥା ଛାତ୍ରଛାତ୍ରୀଙ୍କୁ ଅବାଟରେ ନେଇ ବିପଥଗାମୀ କରୁଛି ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ, ମୋବାଇଲ୍ ଭଲ କାମରେ ଲଗାଇଲେ ଜ୍ଞାନ ବଢ଼େ, କିନ୍ତୁ ଅପବ୍ୟବହାର କଲେ ପାଠପଢ଼ା ନଷ୍ଟ ହୁଏ ଓ ସାଇବର ଠକାମିର ଶିକାର ହେବାକୁ ପଡ଼େ। ଅଜଣା ଲିଙ୍କ୍, ଅଜଣା କଲ୍, ଲଟେରୀ ଓ ପୁରସ୍କାର ଲୋଭରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ। ନିଜର ଓଟିପି, ପାସ୍ୱାର୍ଡ ଓ ବ୍ୟାଙ୍କ ତଥ୍ୟ କାହାକୁ ନ ଦେବାକୁ ମଧ୍ୟ ସେ କହିଥିଲେ।ସମ୍ମାନିତ ଅତିଥି ଭାବେ ମା’ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମହାପାତ୍ର ନିଜ ଜୀବନର ଅନୁଭୂତି ସମ୍ପର୍କିତ ସାଇବର କାହାଣୀ ଉପସ୍ଥାପନ କରି କହିଥିଲେ, ଟିକିଏ ଅସାବଧାନତା ବଡ଼ ଆର୍ଥିକ କ୍ଷତି ଆଣିପାରେ। ତେଣୁ ସବୁବେଳେ ସତର୍କ ରହିବା ଜରୁରୀ। ଏହି କାର୍ଯ୍ୟକ୍ରମରେ ଏସ୍ଆଇ ପ୍ରବୀଣ କୁମାର ରଥ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ମା’ ହୀରାନୀଳା ସ୍ନାତକ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ପୁଷ୍ପାଞ୍ଜଳୀ ନାୟକ, ଶ୍ରୀମତୀ କନକଲତା ବେହେରା, ଅଧ୍ୟାପିକା ଶ୍ରୀମତୀ ମୌସୁମୀ ଭୋଇ, ଖେଳ ଶିକ୍ଷକ ଶ୍ରୀ ଶ୍ରୀନିବାସ ଦାସ, ଡି.ଇ.ଓ. ଶ୍ରୀମତୀ ରୀତାରାଣୀ ବାରିକ, ଶ୍ରୀମତୀ ରତନୀ ମାଝୀ ଓ ସାମ୍ବାଦିକ ଶ୍ରୀ ବି. ତିରୁପତି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ୩ ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସହିତ ସ୍ଥାନୀୟ ବିଶ୍ୱନାଥପୁର ଗ୍ରାମବାସୀ ଯୋଗ ଦେଇଥିଲେ। ଶେଷରେ ସମସ୍ତେ ନିଶାଠାରୁ ଦୂରେଇ ରହିବା ଓ ସାଇବର ଠକାମି ବିରୋଧରେ ଅନ୍ୟମାନଙ୍କୁ ସଚେତନ କରାଇବାକୁ ଶପଥ ନେଇଥିଲେ। ଥାନାର ସମସ୍ତ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।





