ସୋନପୁର,୨୨/୭ : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ କର୍ତ୍ତଙ୍ଗ ଗାଁରେ କିଡନୀ ରୋଗ ଆତଙ୍କ ଦେଖାଯାଇଛି । ଗାଁକୁ ଜିଲା ସ୍ୱାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଦଳ ପହଞ୍ଚି କିଡନୀ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଓ ରକ୍ତ ପରୀକ୍ଷା କରିଛନ୍ତି । ସୂଚନା ଯୋଗ୍ୟ ଯେ, କର୍ତ୍ତଙ୍ଗ ଗାଁରେ କିଡନୀ ରୋଗ ଆତଙ୍କ ଦେଖାଯିବାପରେ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବେଶ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହକାରୀ ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡ. ରମେଶ ଚନ୍ଦ୍ର ସ୍ୱାଇଁ, ମହାଦେବପାଲି ସ୍ୱାସ୍ଥ୍ୟକେନ୍ଦ୍ରର ଡ.ପ୍ରସନ୍ନ କୁମାର ମିଶ୍ର, ଆଇଡିଏଚପିଡିଓ ନାରାୟଣ ରଥ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ପ୍ରମୁଖ ଗାଁରେ ପହଞ୍ଚି ୮ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରିଛନ୍ତି । ସେହିପରି ଗାଁର କୁମ୍ଭାରପଡାରେ ଥିବା ନଳକୁପ ସମେତ ଗାଁର ବିଭିନ୍ନ ସ୍ଥାନର ୫ଟି ନଳକୂପରୁ ପାଣି ନମୂନା ମଧ୍ୟ ସଂଗ୍ରହ କରିବା ସହ ଗ୍ରାମକୁ ଜଳଯୋଗାଣ ହେଉଥିବା ପାଣିର ନମୂନା ସଂଗ୍ରହ କରି ରାସାୟନିକ ପରୀକ୍ଷା ପାଇଁ ପଠାଯାଇଛି । ସେହିପରି ସଂଗୃହୀତ ରକ୍ତ ନମୂନା ମଧ୍ୟ ଜିଲ୍ଲା ଡାକ୍ତରଖାନା ପରୀକ୍ଷାଗାରକୁ ଆବଶ୍ୟକ ପରୀକ୍ଷା ପାଇଁ ପଠାଯାଇଛି । ଏହା ବ୍ୟତିତ ଏହି ଦଳ ଗାଁର ଜନସାଧାରଣଙ୍କ ମଧ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ କରି ଦୂଷିତ ପାଣି ନ ପିଇବା ସହ ବ୍ୟବହାର ନ କରିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି ।