ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ଅଧିନ ଟିକ୍ରାପଡ଼ା ଗ୍ରାମକୁ ବ୍ଲକ କରାଯିବା ଦାବିରେ ସାଂସଦ ପ୍ରତିନିଧି ଅକ୍ଷୟ ରଣାଙ୍କ ଆବାହକତ୍ବ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତି ସନ୍ୟାସୀ ରାଜପଲିଆଙ୍କ ଅଧ୍ୟକ୍ଷତାରେ ଟିକ୍ରାପଡ଼ା ସ୍ଥିତ ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି | ଭୌଗୋଳିକ ଦୃଷ୍ଟିକୋଣରୁ ଓ ଆବଶ୍ୟକ ସମସ୍ତ ମାପଦଣ୍ଡକୁ ପୂର୍ଣ୍ଣ କରୁଥିବା ହେତୁ ବ୍ଲକ ଗଠନ ପାଇଁ ଟିକ୍ରାପଡ଼ା ସମ୍ପୂର୍ଣ୍ଣ ଯୋଗ୍ୟ | ଏଠାରୁ ବ୍ଲକ ସଦର ମହକୁମା ସଇଁନ୍ତଳାର ଦୂରତ୍ୱ ଦୀର୍ଘ ୩0 କିଲୋମିଟର ତଥା ଉପାନ୍ତ ଅଞ୍ଚଳ ଭାବେ ସର୍ବଦା ସବୁ ଦୃଷ୍ଟିରୁ ଅବହେଳା ଓ ପ୍ରତାରଣାର ଶିକାର ହେଉଥିବା ପରିପ୍ରେକ୍ଷୀରେ ଟିକ୍ରାପଡ଼ା ବ୍ଲକ ଗଠନ ଅପରିହାର୍ଯ୍ୟ ହୋଇପଡିଛି ବୋଲି ସଭାରେ ମତ ପ୍ରକାଶ ପାଇଥିଲା | ଅବସରପ୍ରାପ୍ତ ଶିକ୍ଷକ ଅରବିନ୍ଦ ସୁପକାର, ଚନ୍ଦ୍ରମଣି ସିଂ ଦେଓ, ସ୍ଥାନୀୟ ସରପଞ୍ଚ ନରେନ୍ଦ୍ର କଲେତ, ସତ୍ୟନାରାୟଣ ରାଜପଲିଆ, ସାନ ରାଜପଲିଆ, ଅଦିପ ପାତ୍ର, ଅନ୍ତର୍ଯ୍ୟାମୀ ରାଜପଲିଆ, ଗୋପାଳ ବଗର୍ତ୍ତୀ, ଗଦାଧର ବଗର୍ତ୍ତୀ, ସଜନୀକାନ୍ତ ଦାସ, ହାଡୁ ଘିଭେଲା, କରୁଣାସିନ୍ଧୁ ପଶାୟତ, ଅରୁଣ ରାଜପଲିଆ, ଗୌତମ ବରିହା, ସୁରେଶ ଦନ୍ତା, ଗୋବିନ୍ଦ ବାଗ, ଜନ୍ମେଜୟ ରାଜପଲିଆ, ରଜନୀକାନ୍ତ ରାଜପଲିଆ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ | ପରବର୍ତ୍ତୀ ସଭା ପାଇଁ ଆଗାମୀ ୨୬ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା | ଆନନ୍ଦ ପାତ୍ର ସଭାର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ | ଶେଷରେ ସାମ୍ବାଦିକ ରମାକାନ୍ତ ରାଜପଲିଆ ଧନ୍ୟବାଦ ଅର୍ପଣ କରିଥିଲେ |