କଳାହାଣ୍ଡି,୨୬/୭ : ଆଜି ମ.ରାମପୁର – ତୁମୁଡିବନ୍ଧ ଜାତୀୟ ରାଜପଥ ୫୯ ହରଲଙ୍ଗା ପାଖରେ ଅନେକ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଯାହାକି ଉର୍ଲାଦାନୀ ସିଆରପିଏଫ କ୍ୟାମ୍ପରୁ ମାତ୍ର ୪ କିମି ଦୂର । ସିପିଆଇ ମାଓବାଦୀ କେକେବିଏନ (କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼ ) ଡିଭିଜନ ପକ୍ଷରୁ ଜାରି ହୋଇଥିବା ଏହି ପୋଷ୍ଟରରେ ଆସନ୍ତା ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଶହୀଦ ସପ୍ତାହ ପାଳନ କରିବାକୁ ସାଧାରଣ ଜନତାଙ୍କୁ ଆହ୍ବାନ ଦେଇଛନ୍ତି ମାଓ ସଂଘଠନ । ପୋଷ୍ଟରରେ ଜଙ୍ଗଲ ଜମି ଅଧିକାର ପାଇଁ ଲଢେଇ ତଥା ଧାର୍ମିକ ମୌଳବାଦୀ ସଂଗଠନକୁ ବିରୋଧ କରିବାକୁ ଆହ୍ବାନ ଦିଆଯାଇଛି ।
ଏହାସହ ଅନ୍ୟଏକ ପୋଷ୍ଟରରେ ଅଗଷ୍ଟ ୨ ତାରିଖ ଦିନ ବିଶ୍ବ ଆଦିବାସୀ ଦିବସ ପାଳନ କରିବାକୁ କହିଛନ୍ତି ମାଓବାଦୀ । ପୋଷ୍ଟରରେ ଉଲ୍ଲେଖଅଛି ଯେ ୧୬ ରାଜ୍ୟର ୧୩ ଲକ୍ଷରୁ ଅଧିକ ଆଦିବାସୀ ଓ ପାରଂପାରିକ ବନବାସୀ ମାନଙ୍କୁ ବେଦଖଳ କରିବାକୁ ସୁପ୍ରିମ କୋର୍ଟ ନେଇଥିବା ନିଷ୍ପତ୍ତି ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ କରିବାକୁ ଆହ୍ବାନ ଦେଇଛି କେକେବିଏନ ଡିଭିଜନ ସିପିଆଇ (ମାଓବାଦୀ) ।
ସୂଚନା ଯୋଗ୍ୟ ଯେ ଗତ ୨୧ ତାରିଖରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବାହାଡପଦର ହାଟରେ ଦିନ ଦ୍ବିପହରରେ ଠିକାଦାର ରାଜିନ୍ଦ୍ର ସାହୁ ଓ ସେହିଦିନ ରାତିରେ ବାବୁପଦରର ଭୀମ ଦୋରାକୁ ଗୁଳିକରି ହତ୍ୟା କରିଥିଲେ ମାଓବାଦୀ । ଅପରପକ୍ଷରେ ୨୩ ତାରିଖରେ କୋଟବୁଣ୍ଡେଲ ନିକଟରେ ପୋଲିସ -ମାଓବାଦୀ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ମାଓ ଦମନ ପାଇଁ କଳାହାଣ୍ଡି ଏସପି ଓ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ ଜାରି ରହିଥିବା ଜଣାପଡିଛି । ତେବେ ସହିଦ ସପ୍ତାହ ପାଳନ ଯୋଗୁଁ ରକ୍ତମୂଖା ହୋଇଛନ୍ତି ମାଓବାଦୀ । ଯେ କୌଣସି ସମୟରେ କିଛି ଅଘଟଣ ଘଟିବା ଆଶଙ୍କାରେ ଆତଙ୍କିତ ହୋଇପଡିଛନ୍ତି ସଂପୃକ୍ତ ଅଞ୍ଚଳବାସୀ ।
Report by : Hemanta Sahu, Special Correspondent odiabarta.in