ଅବ୍ୟବସ୍ଥା ଘେରରେ ଲାଖବାହିଲି, ଭୂର୍ତି ଓ ଭଟାଙ୍ଗପଦର ସ୍ବାସ୍ଥ୍ୟ ଉପକେନ୍ଦ୍ର

ତୃଣମୂଳ ସ୍ଥରରେ ଭୂଷୁଡି ପଡିଛି ଲାଞ୍ଜିଗଡର ସ୍ବାସ୍ଥ୍ୟ ବ୍ୟବସ୍ଥା

ଲାଞ୍ଜିଗଡ଼,୨୮/୭ : ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟ ସୁବିଧା ପାଇଁ ସରକାର ଅନେକ ପଦକ୍ଷେପ ଓ ଯୋଜନା ପ୍ରଣୟନ କରିଛନ୍ତି । ପ୍ରାଥମିକ ସ୍ଥରରେ ଲୋକଙ୍କୁ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ପାଇଁ ରାଜ୍ୟର ଅନେକ ସ୍ଥାନରେ ସ୍ଥାପିତ ହୋଇଛି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର । ତେବେ କେତେକ ସ୍ଥାନରେ ଠିକାଦାର ପୋଷଣ ନିତି ଓ ଖାମଖିଆଳି ମନୋବୃତ୍ତି ଯୋଗୁଁ ଏହି ସ୍ବାସ୍ଥ୍ୟକେନ୍ଦ୍ର ସବୁ ଅବହେଳିତ ହୋଇ ପଡିରହିଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଅନେକ ସ୍ବାସ୍ଥ୍ୟ ଉପକେନ୍ଦ୍ର ଅବହେଳିତ ହୋଇ ପଡିଥିବାବେଳେ ଲାଖବାହିଲି, ଭୂର୍ତି ଓ ପଟାଙ୍ଗପଦର ସ୍ବାସ୍ଥ୍ୟ ଉପକେନ୍ଦ୍ରର ଅବସ୍ଥା ଦେଖିଲେ ଲାଗୁଛି ସତେ ଯେମିତି ତୃଣମୂଳ ସ୍ଥରରେ ଭୂଶୁଡି ପଡିଛି ଏହି ବ୍ଲକର ପ୍ରାଥମିକ ସ୍ବାସ୍ଥ୍ୟସେବା ।

ଲାଖବାହିଲି ଗ୍ରାମରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଆଜିକି ୪ବର୍ଷ ହେଲା କାମ ସମ୍ପୂର୍ଣ୍ଣ ହୋଇ ଥିଲେ ମଧ୍ୟ ଠିକାଦାର ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରି ନ ଥିବା ସୂଚନା ମିଳିଛି। ପ୍ରକାଶ ଯେ, ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଲାଖବାହିଲି ପଞ୍ଚାୟତରେ ପ୍ରାୟ ୨୫ରୁ ଉର୍ଦ୍ଧ ଗାଁ ଥିବା ବେଳେ ବିଶୁଦ୍ଧ ପାନୀୟ ଜଳ ଅଭାବରେ ନାଳ ପାଣି ବ୍ୟବହାର ସହିତ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଅଧିକାଂଶ ସମୟରେ ମେଲେରିଆ, ଡାଇରିଆ, କିଡନି, ପାଇରିଆ ଆଦି ରୋଗରେ ପଡିଥାନ୍ତି । ରାସ୍ତାଘାଟର ଅବ୍ୟବସ୍ଥା ଯୋଗୁଁ ଅନେକ ସମୟରେ ଗର୍ଭବତୀ ଓ ପ୍ରସୂତି ମହିଳାମାନେ ସ୍ୱାସ୍ଥ୍ୟସେବା ସଠିକ ଭାବରେ ପାଇପାରନ୍ତି ନାହିଁ। ଏହି ଅଞ୍ଚଳ ବଣ ପାହାଡଘେରା ଅଞ୍ଚଳ ହୋଇଥିବା ହେତୁ ମଶାଙ୍କ ପାଦୁର୍ଭାବ ମଧ୍ୟ କମ ନୁହଁ ତେଣୁ ଅନେକ ସମୟରେ ଲୋକେ ଜ୍ବରରେ ପଡିଥାନ୍ତି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ସରକାର ଗତ ୨୦୧୫ ମସିହାରେ ଲାଖବାହିଲି ଠାରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ଥାପନ ପାଇଁ ଅନୁମତି ଦେଇଥିଲେ। ଅନୁମତି ମୁତାବକ ସ୍ୱାସ୍ଥ୍ୟ ଉପକେନ୍ଦ୍ର କୋଠା ନିର୍ମାଣ ହୋଇଥିଲା । ହେଲେ ଭବାନୀପାଟଣାର ଏକ ଠିକାଦାର ନିମ୍ନମାନର କାମ କରି ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରି ନଥିବା ଯୋଗୁଁ ତାହା ବର୍ତ୍ତମାନ ଭୁତ କୋଠରୀ ପାଲଟି ଭୁଶୁଡି ବାରେ ଲାଗିଲାଣି। ଯାହା ଫଳରେ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ କର୍ମୀ (ଏଏନଏମ) ଭେକ୍ସିନ ଦେବା ପାଇଁ କେତେବେଳେ କାହା ବାରଣ୍ଡାରେ ତ କେତେବେଳେ ଗଛମୂଳର ସାହାରା ନେଇଥାନ୍ତି। ସେଣ୍ଟର ନଥିବା ଯୋଗୁଁ ଏହି କର୍ମଚାରୀ ରହିବାକୁ ଅସୁବିଧା ହୁଏ  ଫଳରେ ଲୋକ ହଠାତ କ’ଣ ହେଲେ ପ୍ରାଥମିକ ସୁବିଧା ନ ପାଇ ନାହିଁନଥିବା ଅସୁବିଧା ଭୋଗୁଥିବା ଅଞ୍ଚଳ ବାସୀ କହିଛନ୍ତି।

ଠିକ ସେହିପରି ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଲାଞ୍ଜିଗଡ଼ ବ୍ଲକ ଭୁର୍ତି ଠାରେ ମଧ୍ୟ ୨୦୦୭ ମସିହାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ଥାପିତ ହୋଇଥିଲା। ଏହି କୋଠା କାମକୁ ମଧ୍ୟ ଭବାନୀପାଟଣାର ଜଣେ ଠିକାଦାର ନିର୍ମାଣ କରି ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିଥିଲେ। ହେଲେ ଉପକେନ୍ଦ୍ର ହସ୍ତାନ୍ତର କରିବା ସମୟରେ ଗୃହକୁ ତଦାରଖ କରିନ ଥିଲେ ତତ୍କାଳୀନ ଲାଞ୍ଜିଗଡ଼ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ । ମାସକ ପରେ ଭୁର୍ତି ଯାଇ ଦେଖିଲାବେଳେ ଗୃହ ନିମ୍ନ ମାନର କାମଯୋଗୁଁ ଅଧା ଭୁଶୁଡି ଯାଇ କବାଟ ଝରକା ମଧ୍ୟ ନଥିବା ପ୍ରକାଶ କରିଛନ୍ତି। ଏଠାରେ ମଧ୍ୟ ସ୍ୱାସ୍ଥ୍ୟ କର୍ମୀ ରହିବାକୁ ଚାହୁଁଥିଲି ମଧ୍ୟ ସମ୍ଭବ ହେଉନାହିଁ। ଏହି ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ଭେକ୍ସିନ ଦିଆ ଯାଇଥାଏ । ଆଖପାଖର ପ୍ରାୟ ୧୭ରୁ ଉର୍ଦ୍ଧ ଗାଁ ଲୋକେ ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ପ୍ରାଥମିକ ଚିକିତ୍ସାର ସୁବିଧା ନପାଇ ରୋଗୀମାନେ ୨୫କିମି ଦୂର ନର୍ଲା ଡାକ୍ତରଖାନାକୁ ଯାଇଥାନ୍ତି।

ଅନ୍ୟ ଆଉ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏହି ବ୍ଲକର ଭଟାଙ୍ଗପଦର ଠାରେ ଅବସ୍ଥିତ। ସେଠିକାର କୋଠାର ଅବସ୍ଥା ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଛି। ଏହାକୁ ନେଇ ୧ବର୍ଷ ପୂର୍ବରୁ ଭଟାଙ୍ଗ ପଦର ପଞ୍ଚାୟତବାସୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଲାଞ୍ଜିଗଡ଼ ବ୍ଲକ ସ୍ୱାସ୍ଥ୍ୟ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିଲା ନାହିଁ। ଦାଇତ୍ୱରେ ଥିବା ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଲାଞ୍ଜିଗଡ଼ ସ୍ୱାସ୍ଥ୍ୟ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ। ଏଠାରେ ରାସ୍ତା ଉପରେ ଭେକ୍ସିନ ଦେଉଥିବା ଲୋକେ କହୁଥିବା ବେଳେ ୧୮ରୁ ଅଧିକ ଗାଁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି।

ଅନେକ ସମୟରେ ବ୍ଲକର ଗର୍ଭବତୀ ମହିଳା ମାନଙ୍କ ସ୍ବାସ୍ଥ୍ୟସେବା ଓ ମମତା ଯୋଜନା କାର୍ଡର ସଠିକ ବ୍ୟବହାର ହୋଇନପାରି ମା’ ଓ ଶିଶୁମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।ଏହିସବୁ ଅସୁବିଧା ସବୁ ଲାଗିରହୁଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଲାଞ୍ଜିଗଡ ବ୍ଲକ ସ୍ବାସ୍ଥ୍ୟ ଉପକେନ୍ଦ୍ର ସବୁର ସୁଧାର ଆଣିବାକୁ ସାଧାରଣରେ ଦାବୀ ହେଉଛି ।

ଲାଞ୍ଜିଗଡ ବ୍ଲକ ପ୍ରତିନିଧି ଦୂଃଖିଶ୍ୟାମ ନାଗ(ନିଲେଶ) ଙ୍କ ରିପୋର୍ଟ odiabarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.