ରାସ୍ତାର୍ପାଶ୍ବ ଜଳଖିଆ ଓ ଫାଷ୍ଟଫୁଡ ଦୋକାନ ଖାଦ୍ୟର ମାନ ଯାଞ୍ଚ ହେଉ ନାହିଁ

ରାୟଗଡ ଜିଲ୍ଳାରେ ଖାଦ୍ୟ ନିରାପତା ଅଧିକାରୀ ଥାଇ ମଧ୍ୟ ନ ଥିବା ସଙ୍ଗେ ସମାନ

ରାୟଗଡ,୨/୮ : ରାୟଗଡ ସହରର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ବିଭିନ୍ନ ଛକ, ଗଳିକନ୍ଦିର ରାସ୍ତା ପାର୍ଶ୍ବ ଜନସ୍ୱାସ୍ଥ୍ୟ ବିଭାଗର ବିନା ପଂଜୀକରଣରେ ଛତୁ ଫୁଟିଲା ପରି ବହୁ ଉଠା ବ୍ୟବସାୟୀମାନଙ୍କ ଦ୍ୱାରା ହୋଟେଲ ଓ ଜଳଖିଆ ଦୋକାନ ସାଙ୍ଗକୁ ଠେଲାଗାଡିରେ ଭଳିକି ଭଳି ଖାଦ୍ୟ ବିକ୍ରି ହେଉଛି । ତେବେ ଏସବୁ ଖାଦର ମାନ କିପରି ରହୁଛି ଏ ବିଷୟରେ କେବେ ହେଲେ ଗ୍ରାହକ ଜାଣିବାକୁ ଚାହିଛନ୍ତି ନା ଜାଣିବାକୁ ପ୍ରୟାସ କରିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ । ଫଳରେ ଏହାର ଫାଇଦା ଉଠାଇ ବହୁ ବ୍ୟବସାୟୀ ନିମ୍ନମାନର ଓ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ସାମଗ୍ରୀ ପସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ଦୀର୍ଘ ଦିନରୁ ଅଭିଯୋଗ ଆସୁଥିଲେ ମଧ୍ୟ ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ସହରବାସୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ମୂଳ କାରଣ ହୋଇଛି ।

ଯାହାକୁ ନେଇ ସହରର ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ସହରର କିଛି ନିର୍ଦ୍ଦଷ୍ଟ ହୋଟେଲଗୁଡିକକୁ ଛାଡି ଦେଲେ ବାକିତକ ବହୁ ବ୍ୟବସାୟୀ ଖାଦ୍ୟ ପଦାର୍ଥ ପ୍ରସ୍ତୁତରେ ଯତ୍ନଶୀଳ ରହୁ ନ ଥିବା ପରିଲିକ୍ଷିତ ହେଉଛି । ଅସ୍ୱାସ୍ଥ୍ୟକର ପରିବେଶରେ ବିକ୍ରି କରାଯାଉଛି ଜଳଖିଆ ଠାରୁ ଆରମ୍ଭ କରି ଫାଷ୍ଟ ଫୁଡ, ମଧ୍ୟାହ୍ନ ଓ ରାତ୍ର ଭୋଜନ । ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ଖାଦ୍ୟ ପ୍ର୍ରସ୍ତୁତି ବେଳେ ଯେତିକି ସତର୍କତା ଅବଲମ୍ବନ କରିବା କଥା ତାହା ଆଦୈା ନ କରି ଅସ୍ୱସ୍ଥ ତଥା ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରାଯାଉଛି । ଅନେକ ସମୟରେ ଠେଲାଗାଡିଗୁଡିକ ହେଉ ଅଥବା ଜଳଖିଆ ହୋଟେଲଗୁଡିକରେ ଯେଉଁ ପାତ୍ରରେ ଗ୍ରାହକଙ୍କୁ ଖାଦ୍ୟ ପରଷା ଯାଉଛି ତାହାକୁ ଠିକ୍ ଭାବେ ସଫା ଓ ପରିଷ୍କାର କରାଯାଉ ନ ଥିବ ଦେଖିବାକୁ ମିଳିଛି ।

ତଥାପି ସକାଳେ ଜଳଖିଆ ଦୋକାନ ଗୁଡିକରେ, ମଧ୍ୟାହ୍ନ ଓ ରାତ୍ରରେ ହୋଟେଲଗୁଡିକରେ ଭୋଜନ ସାଙ୍ଗକୁ ବିଶେଷ କରି ସଂଧ୍ୟା ସମୟରେ ରାସ୍ତାକଡରେ ଫାଷ୍ଟଫୁଡରେ ବିକ୍ରି ହେଉଥିବା ଗରିଷ୍ଠ ଖାଦ୍ୟଗୁଡିକ ଖାଇବାରେ ଲୋକଙ୍କୁ ଏକ ପ୍ରକାର ଅଭ୍ୟାସରେ ପରିଣତ ହେଇ ଯାଇଥିବା ଯୋଗୁଁ ଏଗୁଡିକରେ ପ୍ରବଳ ମାତ୍ରାରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଥାଏ । ବିଭିନ୍ନ ରାସାୟନିକ ରଙ୍ଗ, ସହ ବାସି ଖାଦ୍ୟଗୁଡିକକୁ ମଧ୍ୟ ଲୋକଙ୍କ ଚାହିଦା ମୁତାବକ ମିଶାଇ ଦିଆଯାଇ ସେଗୁଡିକକୁ ବିକ୍ରି କରି ଦିଆଯାଉଥିବା ଅଭିଯୋଗ ହେଉଛି । ଏପରିକି ରାସ୍ତା ପାଶ୍ୱର୍ରେ ବିକ୍ରି କରାଯାଉଥିବ ବିଭିନ୍ନ ଭଳିକି ଭଳି ଖାଦ୍ୟ ପ୍ରସ୍ତୁତ ନିମନ୍ତେ ବ୍ୟବହାର କରାଯାଉଥିବା ପାଣି ମଧ୍ୟ କେଉଁ ସ୍ଥାନରୁ ଅଣାଯାଇ ଏଥିରେ ବ୍ୟବହାର କରାଯାଉଛି ଏବଂ ଗ୍ରାହକଙ୍କୁ ପାନୀୟ ଜଳ ଭାବେ ପିଇବାକୁ ଦିଆଯାଉଥିବାରୁ ତାହା ବିଭିନ୍ନ ରୋଗର କାରଣ ହେଉଛି ବୋଲି ସାଧାରଣରେ ପ୍ରକାଶ ପାଉଛି । ଏପରି କାର୍ଯ୍ୟକଳାପରେ ନିଜ ବ୍ୟବସାୟ ଯୋଗେ ଲୋକଙ୍କୁ ନିମ୍ନମାନର ଖାଦ୍ୟ ଦେଇ ନିଜର ମୁନାଫା କରୁଥିବା ବ୍ୟବସାୟୀମାନଙ୍କ ବିଷୟରେ ଜିଲ୍ଳା ପ୍ରଶାସନ ତଥା ଜନସ୍ୱାସ୍ଥ୍ୟ ବିଭାଗ ପାଖେ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ଜିଲ୍ଳାରେ ଖାଦ୍ୟ ନିରାପତା ଅଧିକାରୀଙ୍କ ଉପସ୍ଥିତି ନେଇ ଖୋଦ୍ ବିଭାଗ ଦ୍ୱନ୍ଦରେ ପଡିଛି । ଏ ନେଇ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଭାରପ୍ରାପ୍ତ ସିଡିଏମଓ ଡାକ୍ତର ଶକ୍ତିବ୍ରତ ମହାନ୍ତିଙ୍କୁ ପଚାରିବାରୁ ପୂର୍ବରୁ ଗଜପତି ଜିଲ୍ଳାର ଜଣେ ମହିଳା ଅଧିକାରୀଙ୍କୁ ଖାଦ୍ୟ ନିରାପତା ଅଧିକାରୀ ଭାବେ ରାୟଗଡ ଜିଲ୍ଳାର ମଧ୍ୟ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଅଧିକାରୀ ଜଣଙ୍କ ରାୟଗଡ ଜିଲ୍ଳାକୁ ମାସ ମାସ ଧରି ତଦାରଖ କରିବାକୁ ଆସୁନାହାନ୍ତି ।

ତେବେ ଗତ କିଛି ଦିନ ତଳେ ରାୟଗଡ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଡାକ୍ତର ସଂଦୀପ ମହାନ୍ତିଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାୟଗଡ ଜିଲ୍ଳା ଖାଦ୍ୟ ନିରାପତା ଅଧିକାରୀ (ଏଫଏସଓ) ଭାବେ ବିନା ତାଲିମ ଦିଆଯାଇ ଘୋଷଣା କରାଯାଇଛି ତେଣୁ ଏହି ପଦବୀ ନିମେନ୍ତ ଜଣେ ଅନୁଭବୀ ଅଧିକାରୀଙ୍କୁ ଚୟନ କରାଯାଉ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ଅପରପକ୍ଷେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିୟୋଜିତ ହୋଇଥିବା ନୂଆ ଖାଦ୍ୟ ନିରାପତା ଅଧିକାରୀ ଡା.ସଂଦୀପ ମହାନ୍ତିଙ୍କୁ ପଚାରିବାରୁ ସେ ଏହି ପଦବୀର ଦାୟିତ୍ୱ କଣ, ଅଧିକାର କଣ ଓ ସରକାରଙ୍କ କ’ଣ ନିୟମ ଆଇନ ରହିଛି ସେ ସଂପର୍କରେ ସେ ଅବଗତ ନ ଥିବା ବେଳେ ବିନା ତାଲିମ ତଥା ବିନା ଅନୁଭବରେ ସେ ଏ ଦାୟିତ୍ୱ କିପରି ନିଭାଇ ପାରିବେ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି ଜିଲ୍ଳାରେ ଖାଦ୍ୟ ନିରାପତା ଅଧିକାରୀ ନିୟୋଜିତ ହୋଇ ମଧ୍ୟ ନ ଥିବା ସହ ସଙ୍ଗେ ସମାନ । ଯାହା ଫଳରେ ନିୟମତି ଭାବେ ଏପରି ବ୍ୟବସାୟୀମାନଙ୍କ କାର୍ଯ୍ୟକଳାପକୁ ନେଇ ଚଢାଉ କରାଯାଇପାରୁନାହିଁ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarra.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.