ଉଲୁଣ୍ଡା,୬/୧ (ଶାନ୍ତନୁ କର୍ଣ୍ଣ) : ଗୋଟେ ପଟେ ମଣ୍ଡିରୁ ଉଠୁନି ଧାନ, ଅନ୍ୟପଟେ ଅଦିନିଆ ବର୍ଷା । ଏମିତି ମଝାମଝି ଅବସ୍ଥାରେ ଘଣ୍ଟି ହେଉଛନ୍ତି ଚାଷୀକୁଳ । ଗତକାଲିଠୁ ପାଗରେ ପରିବର୍ତ୍ତନ ସହ ଅଦିନିଆ ବର୍ଷା ହୋଇଯାଇଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅଂଚଳରେ । ବ୍ଲକର ବିଭିନ୍ନ ମଣ୍ଡିରେ ଖୋଲା ଆକାଶ ତଳେ ପଡି ରହିଥିବା ଶହ ଶହ କୁଇଣ୍ଟାଲ ଧାନ ଭିଜି ଗଜା ହେବାକୁ ବସିଲାଣି ।
ଚାଷୀମାନେ ସେମାନଙ୍କର ଧାନକୁ ସରକାରୀ ଦରରେ ବିକ୍ରି କରିବାକୁ ବ୍ଲକର ବିଭିନ୍ନ ମଣ୍ଡିରେ ଆଠ ରୁ ଦଶ ଦିନ ହେଲା ଆଣି ରଖିଥିବାବେଳେ ଆଜିର ଏ ଅଦିନିଆ ବର୍ଷା ରେ ଧାନ ଭିଜିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଟୋକାନ ସମସ୍ୟା ଓ ମିଲର୍ସଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଧାନ ବିକ୍ରି କରିପାରିନଥିବା ଚାଷୀ ଏବେ ବର୍ଷାରେ ହଇରାଣ ହେଉଛନ୍ତି ।
ଏଭଳି ସ୍ଥିତିରେ ଅନେକ ଚାଷୀଙ୍କର ଅନଲାଇନ ଟୋକନ ସମୟସୀମା ଶେଷ ହୋଇଯାଇଥିବାବେଳେ ଏପଟେ ଚାଷୀଙ୍କ ପେଟରେ ଲାତ ମାରିଛି ଅଦିନିଆ ବର୍ଷା । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଆଗକୁ ଆହୁରି ବର୍ଷା ଥିବା ପାଣିପାଗ ବିଭାଗ ସୂଚନା ଦେଉଥିବାରୁ ଚାଷୀଙ୍କ ମଧ୍ୟରେ ଭଲେଣି ପଡ଼ିଗଲାଣି ।
୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ