ଲାଞ୍ଜିଗଡ଼,୧୧/୬: ଜଳ ଯୋଗାଣ ବନ୍ଦ ହେବାର ୧୧ ଦିନରେ ପାଣି ପାଇଲେ ଲାଞ୍ଜିଗଡବାସୀ । ସପ୍ଲାଇ ପାଣି ବନ୍ଦ ହୋଇଯାଇଥିବା ଯୋଗୁଁ ସବୁଠାରୁ ଅସୁବିଧା ଭୋଗୁଥିଲେ ଲାଞ୍ଜିଗଡ଼ ବଡ଼ ପଡ଼ାର ୮ ଶହରୁ ଅଧିକ ଲୋକ । ଏମାନେ ଏହି ପାନୀୟ ଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା ବେଳେ ୧୦ଦିନ ହେଲା ଏଥିରୁ ବଞ୍ଚିତ ହୋଇଥିଲେ । ଯାହା ଫଳରେ ପଡାବାସୀ ବଂଶୀଧାର ନଦୀରୁ ଦୂଷିତ ପାଣି ସଂଗ୍ରହ କରି ପାନୀୟ ଜଳ ରୂପେ ବ୍ୟବହାର କରୁଥିଲେ । ପଡ଼ାରେ ନଳକୂପ ୩ଟି ଥିଲେ ମଧ୍ୟ ସେଥିରୁ ୨ଟି ଅଚଳ ଅଛି । ଆଉ ଗୋଟିଏରେ ଠିକ୍ ଭାବରେ ପାଣି ବାହାରୁନାହିଁ । ଏନେଇ ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରି ସୁଫଳ ପାଇପାରୁନାହାଁନ୍ତି ବୋଲି ଗଣମାଧ୍ୟମ ଆଗରେ ବଡ଼ପଡାବାସୀ ଅଭିଯୋଗ କରିଥିଲେ। ଏହି ଖବର ଶନିବାର ଦିନ ଓଡିଆ ବାର୍ତ୍ତାରେ ପ୍ରକାଶ ପାଇଥିଲା । ପରେ ଲାଞ୍ଜିଗଡ ବ୍ଲକ ପ୍ରଶାସନ ଘଟଣା ସ୍ଥଳକୁ ଆସି ପୋଡି ଯାଇଥିବା ପାଣି ମୋଟର ଓ ଫାଟି ଥିବା ପାଣି ପାଇପ ଗୁଡିକୁ ଓଲଡିଂ କରିବା ପରେ ଲାଞ୍ଜିଗଡ ଅଞ୍ଚଳବାସୀ ପାଣି ପାଇପାରିଲେ। ହେଲେ ଲାଞ୍ଜିଗଡ ବଂଶୀଧାରା ନଦୀରୁ ଆସିଥିବା ସପ୍ଲାଇ ପାଣି ପାଇପ ନିମ୍ନ ମାନର ଯୋଗୁଁ ବାରମ୍ବାର ଫାଟି ମାସକୁ ୫ ରୁ ୧୦ ଦିନ ଜଳ ଯୋଗାଣ ବନ୍ଦ ରହୁଥିବା ଯୋଗୁଁ ଲୋକେ ପାନୀୟ ଜଳରୁ ବଞ୍ଚିତ ରହୁଥିବା ପ୍ରକାଶ କରିଛନ୍ତି। ଆଗକୁ ବର୍ଷା ଦିନ ଆସୁଥିବା ଯୋଗୁଁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।