ପଲାକୁ ଗାଇ ଖାଇଗଲା ବୋଲି କଥା କଟାକଟି ପରେ ଚରମ ନିଷ୍ପତ୍ତି
କଳାହାଣ୍ଡି,୪/୭: ଆଜି ଦୁଟା ଗାଁରେ ଜଳିଛି ବାପ ପୁଅଙ୍କ ଚିତା । ସ୍ତବ୍ଧ ହୋଇ ଯାଇଛି ଅଞ୍ଚଳ । ଆତ୍ମିୟଙ୍କ ବୁକୁଫଟା କରୁଣ କ୍ରନ୍ଦନରେ ସିକ୍ତ ହୋଇଯାଇଛି ଗାଁ ମାଟି । ଗୋଟିଏ ଛୋଟ ଘଟଣାକୁ ନେଇ ବାପ ପୁଅଙ୍କ ଏହି ଚରମ ନିଷ୍ପତ୍ତି ସମସ୍ତଙ୍କ ମନକୁ ବ୍ୟଥିତ କରିଛି । ଘଟଣା ହେଉଛି ମ.ରାମପୁର ଥାନା ଦୁଟା ଗାଁର ।
ସବୁକିଛି ଠିକ ଠାକ ଚାଲିଥିଲା । ବାପା ସବୁଦିନ ପରି ନିଜ ଚାଷ ଜମିକୁ ଯାଇଥିଲେ । ଶୁକ୍ରବାର ଚାଷ ଜମିରେ ପଲାରୋପିବାର ଥିଲା । ଗୁରୁବାର ବାପା ଜମିକୁ ଯାଇ ଦେଖିଲା ଯେ, ଧାନ ତଳିକୁ ଗାଈ ଖାଇଯାଇଛି । ନିଜର ପୁଅ ଏହି ତଳି ଜଗୁଥିଲା କାରଣ ଏବେ ଯାଏଁ ଗାଁ ଗୁଡ଼ିକରେ ଗାଈଗୋରୁ ଚରାହେଉନଥିବା କାରଣରୁ ନିଜକୁ ହିଁ ଜମିରେ ନିଜର ତଳିକୁ ସୁରକ୍ଷିତ ରଖିବାକୁ ହେଇଥାଏ । ବାପା ଧାନ ପଲ୍ହା ଗାଈ ଖାଇଥିବାଦେଖି ଘରକୁ ପ୍ରାୟ ଦିନ ୧୧ଟାରେ ଫେରିବା ପରେ ଘରେ ପୁଅ ସହିତ କଥା କଟାକଟି ହେଇଥିଲା । ଏଥିରେ ଉତ୍କ୍ଷିପ୍ତ ହେଇ ପ୍ରଥମେ ପୁଅ ଜୟ ଦାଶ (୩୦) ବିଷପାନ (କୀଟନାଶକ) କରିଦେଇଥିଲେ , ଏହାଦେଖି ବାପା ଦୀନବନ୍ଧୁ ଦାଶ (୬୦) ପ୍ରାଣ ବିକଳରେ ମୋର ଗୋଟିଏ ପୁଅ ମରିଯିବ, ମୁଁ ବଂଚି କଣ କରିବି କହି ତା ହାତରୁ କୀଟନାଶକ ଛଡ଼ାଇ ନିଜେପାନ କରିଥିଲେ । ପ୍ରଥମେ ଉଭୟଙ୍କୁ ମ.ରାମପୁର ଡ଼ାକ୍ତରଖାନାକୁ ଅଣାଯାଇଥିଲେ ହେଁ ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଉଭୟ ବାପପୁଅଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ଓ ଜନ୍ମମାଟି ଡୁଟା ଗାଁରେ ଦୁଇଟି ଚିତାରେ ବାପ ପୁଅଙ୍କ ଶବ ସଂସ୍କାର କରାଯାଇଛି ।
ତେବେ ବାପ-ପୁଅଙ୍କ ବିଷପାନରେ ମୃତ୍ୟୁ ଘଟଣା ଅଂଚଳରେ ଚାଞ୍ଚଲ୍ୟସୃ୍ଷ୍ଟି କରିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଦୀନବନ୍ଧୁଙ୍କ ଏକମାତ୍ର ପୁଅ ଥିଲେ ଜୟ । ଏବେ ପରିବାରରେ ରୋଜଗାରକ୍ଷମ ଦୁଇ ବାପପୁଅଙ୍କ ମୃତ୍ୟୁ ପରେ ଜୟଙ୍କ ଦୁଇଝିଅ, ଗୋଟିଏ ପୁଅ, ପତ୍ନୀ ଓ ମାଁ ବେସାହାରା ପାଲଟି ଯାଇଛନ୍ତି । ଗାଁରେ ଶୋକର ଛାୟା ଖେଳିଯାଇଛି ।