ରକେଟ ପପୁଲେସନ ଏଣ୍ଡ ସ୍ପେସ ଇଞ୍ଜିନିୟରିଂରେ ପଢିବା ପାଇଁ ଇଚ୍ଛୁକ ହେମନ୍ତ: ଅର୍ଥ ସାଜିଛି ବାଧକ

● ମିଳୁନାହିଁ ଷ୍ଟଡି ଲୋନ୍, ଜିଲ୍ଲା ପ୍ରଶାସନ ସହଯୋଗ କରିବା ଜରୁରୀ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଟିପିଗୁଡା ପଞ୍ଚାୟତ କୋଟମେର ଗାଁର ମେଧାବୀ ଛାତ୍ର ହେମନ୍ତ ମହାନନ୍ଦଙ୍କ ଉଚ୍ଚଶିକ୍ଷା ପାଇଁ ଅର୍ଥ ବାଧକ ସାଜିଛି । ରକେଟ ପପୁଲେସନ ଏଣ୍ଡ ସ୍ପେସ ଇଞ୍ଜିନିୟରିଂରେ ନିଜ ନାମ ରେଜିଷ୍ଟ୍ରେସନ କରିସାରିଥିଲେ ହେଁ ଅର୍ଥାଭାବରୁ ସେ ଆଡ଼ମିଶନ କରିପାରୁ ନାହାନ୍ତି। ହେମନ୍ତ ଜଣେ ମେଧାବୀ ଛାତ୍ର । କାଙ୍କେରି ସ୍ଥିତ ବୋର୍ଡ଼ର କଲେଜ ରେ ଯୁକ୍ତ ଦୁଇ ଶିକ୍ଷା ସଫଳତା ସହ ଉତ୍ତୀର୍ଣ୍ଣ ହେଲାପରେ ସେ ଭୁବନେଶ୍ୱରରେ ଏରୋନଟିକାଲ ଇଞ୍ଜିନିୟରିଂ ରେ ବିଟେକ ପଢିଥିଲେ । ଯୁକ୍ତଦୁଇ ପଢ଼ିବା ସମୟରେ ରାଜ୍ୟର ଯେଉଁ କେତେଜଣ ଛାତ୍ର ସରକାରଙ୍କ ଲାପଟପ ଯୋଜନାରେ ସାମିଲ ହୋଇଥିଲେ ତନ୍ମଧ୍ୟରୁ ହେମନ୍ତ ଜଣେ । କାଙ୍କେରି କଲେଜରେ ପଢିବା ସମୟରେ ତାଙ୍କ ମେଧା ଓ ପାଠ ପଢିବା ପ୍ରତି ଆଗ୍ରହ ଦେଖି ବର୍ତ୍ତମାନ ପଞ୍ଚାୟତ କଲେଜରେ ଅଧ୍ୟାପକ ଥିବା କାର୍ତିକ ସାହୁ ଭୁବନେଶ୍ୱରରେ ତାଙ୍କ ବିଟେକ ସମୟର ସମସ୍ତ ଖର୍ଚ୍ଚ ବହନ କରିଥିଲେ । ବର୍ତ୍ତମାନ ଏମଟେକ ପାଇଁ ଅର୍ଥ ବାଧକ ସାଜିଛି । ସରକାର ଉଚ୍ଚତର ଶିକ୍ଷାପାଇଁ ବ୍ୟାଙ୍କ ଗୁଡିକ ଋଣ ଦେବେ ବୋଲି ଘୋଷଣା କରିଥିଲେ ହେଁ ହେମନ୍ତଙ୍କ କ୍ଷେତ୍ରରେ ତାହାର ବିପରୀତ ଦେଖିବାର ମିଳୁଛି । ସ୍ଥାନୀୟ ବ୍ୟାଙ୍କ ଗୁଡିକ ବାପାଙ୍କ ବ୍ୟାଙ୍କ ଆକାଉଣ୍ଟ ସ୍ଲିପ କିମ୍ବା ସମ୍ପତ୍ତି ଗ୍ୟାରେଣ୍ଟି ମଗୁଥିବା ବେଳେ ହେମନ୍ତଙ୍କ ବିଶେଷ କିଛି ସମ୍ପତ୍ତି ନ ଥିବାରୁ ସେ ପଇଠ କରିପାରୁନାହାନ୍ତି । ହେମନ୍ତଙ୍କ ବାପା ଜଣେ ଦିନ ମଜୁରିଆ । ଏପରି ସ୍ଥଳେ ଆଡ଼ମିଶନ ପାଇଁ ଅର୍ଥ ଯୋଗାଡ଼ କରିବାକୁ ହେମନ୍ତ ନିଜ ଚେଷ୍ଠାରେ ମିଳାପ ଫଣ୍ଡ ସହ ବିଭିନ୍ନ ସୋସିଆଲ ମିଡିଆରେ ନିବେଦନ କରିଥିଲେ ମଧ୍ୟ ବିଶେଷ କିଛି ଫଳପ୍ରଦ ହୋଇନଥିବା କହିଛନ୍ତି । ପ୍ରଶାସନ ଏହି ବିଷୟ ରେ ଧ୍ୟାନ ଦେଇ ହେମନ୍ତକୁ ଆର୍ଥିକ ସହାୟତା ପ୍ରଦାନ କରିବା କିମ୍ବା ବିନା ଗ୍ୟାରେଣ୍ଟିରେ ଋଣ ପ୍ରଦାନ କରି ଉଚ୍ଚଶିକ୍ଷା ନେବାରେ ସହାୟକ ହେବାକୁ ଦାବି ହେଉଛି ।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.