କାଶୀପୁର, ୨୫|୮ (ଆଲାରାମ ଭତ୍ରା): ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଦୁର୍ଗମ ଅଞ୍ଚଳ ସଙ୍କରଡ଼ା ପଞ୍ଚାୟତ ଅନ୍ତର୍ଗତ ବଡ଼ ପୁକେଲ ଗ୍ରାମର ବାପ ଛେଉଣ୍ଡ ଆଦିବାସୀ ଯୁବକ ଦିଉଡୁ ମାଝି (୧୮) ୪ ବର୍ଷ ଧରି ଏକ ଅସାଧ୍ୟ ରୋଗରେ ପୀଡିତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି। ବିଧବା ମାଆ ସୋଦ୍ରୀ ଧାର କରଜ କରି ପୁଅର ଚିକିତ୍ସା ପାଇଁ କାଶୀପୁର ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ନେଇଥିଲେ ମଧ୍ୟ ଚିକିତ୍ସାରେ ସଫଳ ହେଇ ନ ଥିବାବେଳେ ସ୍ୱାସ୍ଥ୍ୟ ବିଭାଗକୁ ଅନେକ ଗୁହରୀ ସତ୍ବେ ନିରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି। ଦିଉଡୁଙ୍କ ବାପାଙ୍କର ମୃତ୍ୟୁ ପରେ ମାଆ ସୋଦ୍ରୀ ଅତି କଷ୍ଟରେ ପୁଅର ଲାଳନ ପାଳନ କରୁଛନ୍ତି। ଡଙ୍ଗର ଚାଷ ସହ ଜଙ୍ଗଲରୁ କାଠ ସଂଗ୍ରହ କରି ଟିକିରିରେ ବିକ୍ରି କରି ଯାହା ରୋଜଗାର ହୁଏ ଏଥିରେ ମାଆ ପୁଅ ବଞ୍ଚିଥାନ୍ତି। ଏଭଳି ସ୍ଥିତିରେ ୪ ବର୍ଷ ପୂର୍ବରୁ ଦିଉଡୁଙ୍କ ମେରୁଦଣ୍ଡ ଓ ଅଣ୍ଟା ଉପରକୁ ଏକ ଛୋଟିଆ ମାଂସ ପିଣ୍ଡୁଳା ଟିଏ ଦେଖିବା କୁ ମିଳିଥିଲା। ପରବର୍ତ୍ତୀ ସମୟରେ ଏହା ଆକାର ବୃଦ୍ଧି ହେବା ସହ ଯନ୍ତ୍ରଣା ଆରମ୍ବ ହେବାରେ ଲାଗିଲା। ଅଭାବ ଅନାଟନ ସତ୍ବେ ମଧ୍ୟ ମା ସୋଦ୍ରୀ ଅଣ୍ଟା ଭିଡ଼ିଥିଲେ ପୁଅର ଚିକିତ୍ସା ପାଇଁ। ଗାଁ ଲୋକଙ୍କ ଠାରୁ ଧାର କରଜ କରି ପ୍ରଥମେ ରାୟଗଡା ନେଇଥିଲେ। ଡ଼ାକ୍ତରଖାନାରେ ଏହି ମାଂସପିଣ୍ଡୁଳା ଟ୍ୟୁମର ବୋଲି ଜଣାପଡିଥିଲା। ଏହାପରେ ଦୁଉଡୁଙ୍କୁ କୋରାପୁଟ ବ୍ରହ୍ମପୁର ଓ ଭୁବନେଶ୍ୱର ସ୍ଥିତ ଏମ୍ସକୁ ମଧ୍ୟ ନେଇଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟ ତାଙ୍କର ଚିକିତ୍ସା ବଦଳରେ କେବଳ ଉଚ୍ଚ ଚିକିତ୍ସାର ଆବଶ୍ୟକତା କହି ଘରକୁ ଫେରେଇ ଦିଆଗଲା।
ବର୍ତ୍ତମାନ ଅନ୍ୟୋପାୟ ହୋଇ ଘରେ ରହି ଜୀବନ ସହ ସଂଘର୍ଷ କରୁଛନ୍ତି ଦିଉଡୁ। ପୁଅର ଏଭଳି ଅବସ୍ଥା ଦେଖି ଭାଙ୍ଗି ପଡିଛନ୍ତି ମାଆ ସୋଦ୍ରୀ। ସେ ପୁଅର ଉଚ୍ଚତର ଚିକିତ୍ସା ପାଇଁ ସରକାରୀ ଓ ବେସରକାରୀ ସାହାଯ୍ୟ ଭିକ୍ଷା କରିଛନ୍ତି। ଅନ୍ୟପକ୍ଷରେ ଦିଉଡୁଙ୍କ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ହେଉଥିବା ବେଳେ ଅସହ୍ୟ ଯନ୍ତ୍ରଣା ସାଙ୍ଗକୁ ଏପଟେ ପେଟର ଚିନ୍ତା ଉଭୟଙ୍କୁ ଘରିଛି। ପାଗଳାମି ଭଳି ଦିଉଡୁ ଲୋକଙ୍କୁ ଦେଖି ତାଙ୍କ ଜୀବନ ବଞ୍ଚେଇବାକୁ ଆକୁଳ ନିବେଦନ କରୁଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଦିଉଡୁର ଚିକିତ୍ସା ବ୍ୟବସ୍ଥା କରାଇବା ପାଇଁ ସ୍ଥାନୀୟ ଜନତା ଦାବୀ କରିଛନ୍ତି।