୫ ମାସ ହେଲା ଦରମା ପାଇନାହାନ୍ତି କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା ‘ଆତ୍ମା’ର ୪୦ କର୍ମଚାରୀ

ରାୟଗଡ, ୨୬|୮ (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମା) ଅଧିନରେ ଜିଲ୍ଳାର ୧୧ ଗୋଟି ବ୍ଳକରେ ୪୦ ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ତେବେ ଗତ ଏପ୍ରିଲ ଠାରୁ ଅଗଷ୍ଟ ମାସ ଶେଷ ହେବାକୁ ବସିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ୫ମାସ ଧରି ଦରମା ନ ପାଇବାରୁ ହନ୍ତସନ୍ତ ହୋଇ ରହିଛନ୍ତି ଏହି ୪୦ଜଣ କର୍ମଚାରୀ । ଏଥିସହ ସରକାରଙ୍କ ଦ୍ୱାରା ପ୍ରାପ୍ତ ଅନ୍ୟାନ୍ୟ ସୁବିଧାଗୁଡିକ ମଧ୍ୟ ନ ପାଇଥିବା ଅଭିଯୋଗ ନେଇ ଆଜି କାର୍ଯ୍ୟରତ ଆତ୍ମା କର୍ମଚାରୀମାନେ ଭୁବନେଶ୍ୱର ଠାରେ ଥିବା ମୁଖ୍ୟ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଜିଲ୍ଳା ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁଶାସନ ପ୍ରହରାଜଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆତ୍ମା କାର୍ଯ୍ୟ ସହ କୃଷି ତଥା ଆନୁସାଙ୍ଗିକ କୃଷି କ୍ଷେତ୍ରରେ ହେଉଥିବା ସମସ୍ତ କାର୍ଯ୍ୟକୁ ଜିଲ୍ଳାର ୪୦ଜଣ ଆତ୍ମା କର୍ମଚାରୀ ତଦାରଖ କରୁଛନ୍ତି । ଚାଷୀଙ୍କ ନିମନ୍ତେ ଉଦ୍ଦିଷ୍ଠ ଥିବା ସରକାରଙ୍କ କାଳିଆ ଯୋଜନା, ବଳରାମ ଯୋଜନା, କୃଷି ଓଡିଶା, ମୃତିକା ପରୀକ୍ଷା ପ୍ରଶିକ୍ଷଣ ଶିବିର, ରାଜ୍ୟ ଯୋଜନା, ଜାତୀୟ ଖାଦ୍ୟ ନିରାପତା ମିଶନ, ପୂର୍ବ ଭାରତର ଦ୍ୱିତୀୟ ସବୁଜ ବିପ୍ଳବ, ବିହନ ବିଶୋଧନ, କୃଷକ ପଂଜୀକରଣ, ସମ୍ମନ୍ୱିତ କୃଷି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପ୍ରଧାନମନ୍ତ୍ରୀ କିଶାନ ଯୋଜନା, ମୋ ସରକାର ଇତ୍ୟାଦି କାର୍ଯ୍ୟକୁ ସୁଚାରୁରୂପେ ତୁଲାଇ ଆସୁଛନ୍ତି । କିନ୍ତୁ ମହାମାରୀ କୋଭିଡ୍ ଭଳି ସଙ୍କଟ ସମୟରେ ଦୀର୍ଘ ୫ମାସ ଧରି ସେମାନଙ୍କ ଦରମା ପ୍ରଦାନ କରାଯାଇ ନ ଥିବାରୁ କର୍ମଚାରୀମାନଙ୍କ ଆର୍ଥିକବସ୍ଥାରେ ଜଟିଳତା ଦେଖାଦେଇଛି । ସେହିପରି ଆତ୍ମା ଗାଇଡଲାଇନ ପ୍ରକାରେ ଦୀର୍ଘ ୯ବର୍ଷ ବିତିଯାଇଥିଲେ ସୁଦ୍ଧା ଏହି କର୍ମଚାରୀମାନେ ମହଙ୍ଗା ଭତା ପାଇବାରୁ ବଂଚିତ ହୋଇଛନ୍ତି । ତେଣୁ ଦରମା ପ୍ରଦାନ ସହ ଅନ୍ୟାନ୍ୟ ସୁବିଧାଗୁଡିକୁ ଯଥାଶୀଘ୍ର ଉପଲବ୍ଧ କରିବା ଦିଗରେ ମୁଖ୍ୟ ନିର୍ଦ୍ଦେଶକ ଦୃଷ୍ଟି ଦେବାକୁ ଏବଂ ସମସ୍ୟାର ସମାଧାନ କ୍ଷେତ୍ରରେ ପଦକ୍ଷେପ ନେବାକୁ ଆଜି ଜିଲ୍ଳା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ କାର୍ଯ୍ୟରତ ଆତ୍ମାର କର୍ମଚାରୀମାନେ ଏକତ୍ରିତ ହୋଇ ଦାବିପତ୍ର ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.