ରୁପ୍ରାରୋଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ମଶାଙ୍କ ବଂଶ ବୃଦ୍ଧି

କଳାହାଣ୍ଡି, ୨୮|୮ (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ରୁପ୍ରାରୋଡ ବସ୍ତିରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ି ଥିବା ବେଳେ ଏବେ ମଶାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଫଳରେ ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି । ପ୍ରଶାସନିକ ଉଦାସୀନତା ଯୋଗୁଁ ପରିମଳ ବ୍ୟବସ୍ଥାରେ ସୁଧାର ଆସୁନଥିବା ଏବଂ ନିୟମିତ ବ୍ୟବଧାନରେ ବ୍ଲିଚିଙ୍ଗ ପାଉଡର ସିଞ୍ଚନ କରାଯାଉ ନଥିବାରୁ ମଶା ବଂଶ ବୃଦ୍ଧି ଭଳି ସମସ୍ୟା ଦେଖାଦେଉଥିବା କୁହାଯାଉଛି । ଫଳରେ ରୋଗ ବୃଦ୍ଧି ଦେଖାଦେବାର ଆଶଙ୍କା ସୃଷ୍ଟି କରିଛି । ଏହା ସତ୍ତ୍ବେ ସ୍ୱାସ୍ଥ୍ୟ ବିଭାଗ କିମ୍ବା ପ୍ରଶାସନର ନିରବତାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ରୁପ୍ରାରୋଡ ବସ୍ତିର ଡ୍ରେନ୍ ଭଲ ଭାବରେ ସଫା କରାଯାଉନଥିବାରୁ ଘରର ଅପରିଷ୍କାର ପାଣି ଜମା ହୋଇ ରାସ୍ତା ଉପରକୁ ଆସିଯାଉଛି । ଏହାଦ୍ବାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଅପରିଷ୍କାର ପରିବେଶ ମଶା ବଂଶ ବୃଦ୍ଧି କରିବାରେ ସହାୟକ ହେଉଛି । ରାତି କଥା ଛାଡ଼ନ୍ତୁ ଦିନବେଳେ ମଧ୍ୟ ମଶା କାମୁଡାରେ ଲୋକେ ଅତିଷ୍ଠ ହୋଇ ଉଠୁଛନ୍ତି । ତେବେ ମଶା ବଂଶ ବୃଦ୍ଧି ରୋକିବାକୁ ବ୍ୟବହୃତ ହେଉଥିବା ବିଭିନ୍ନ ଗ୍ୟାସ ଏବଂ ଔଷଧ ଏପର୍ଯ୍ୟନ୍ତ ରୁପ୍ରାରୋଡ ବସ୍ତିରେ ଉପଲବ୍ଧ ହୋଇପାରି ନାହିଁ । ଫଳରେ ମଶା ବଂଶ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ମଶା, ମାଛି ବଂଶକୁ ନିପାତ କରିବାକୁ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.