● ସରପଞ୍ଚ ୧୦୩, ସମିତି ସଦସ୍ୟ ୧୧୭ ଓ ୱାର୍ଡ ମେମ୍ବର ୪୩୦
କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତ୍ରୀ-ସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ପ୍ରକୀୟା ଆରମ୍ଭ ହୋଇଯାଇଛି । ଗତ ୧୭/୧ ରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଦସ୍ୟ ଓ ୱାର୍ଡ ସଦସ୍ୟ ପାଇଁ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ପ୍ରକ୍ରୀୟା ୨୧/୧ ଶୁକ୍ରବାର ଅପରାହ୍ନ ୪ ଟାଏଁ ଚାଲିଥିଲା । ଆଜି ଶନିବାର ୨୨/୧ ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡ ସଦସ୍ୟ ମାନଙ୍କ ପ୍ରାର୍ଥିପତ୍ର ଗୁଡିକ ଯାଞ୍ଚ ଚାଲିଥିବା ବେଳେ ପଞ୍ଚାୟତ ସମିତିର ସମ୍ମେଳନ କକ୍ଷରେ ସମିତି ସଦସ୍ୟ ମାନଙ୍କ ପ୍ରାର୍ଥିପତ୍ର ଯାଞ୍ଚ ହେଉଛି । ଗ୍ରାମ ପଞ୍ଚାୟତ ଗୁଡିକରେ ଦାଇତ୍ୱରେ ରହିଥିବା ନିର୍ବାଚନ ଅଧିକାରୀ ମାନେ ଏବଂ ଗ୍ରାମ ପଞ୍ଚାୟତ କର୍ମଚାରୀ ମାନେ ଏହି ପ୍ରାର୍ଥୀପତ୍ର ଯାଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଦେଖିବାକୁ ମିଳୁଛି । ସେହିଭଳି ନର୍ଲା ପଞ୍ଚାୟତ ସମିତିରେ ନିର୍ବାଚନ ଅଧିକାରୀ ଭାବରେ ବିଡିଓ ମାନସ ରଂଜନ ତ୍ରିପାଠୀ, ଏବିଡିଓ ଦେବେନ୍ଦ୍ର ସାମଲ, ଜିପିଇଓ କ୍ଷୀତିଶ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହି ପ୍ରାର୍ଥୀପତ୍ର ଯାଞ୍ଚ କରୁଥିବା ଜଣାପଡିଛି । ନର୍ଲା ବ୍ଲକ୍ ଅଧିନସ୍ଥ ୨୬ ଗୋଟି ଗ୍ରାମ ପଞ୍ଚାୟତ ର ୨୬ ଗୋଟି ସରପଞ୍ଚ ପଦବୀ ନିମନ୍ତେ ୧୦୩ ଗୋଟି, ୨୬ ସମିତି ସଦସ୍ୟ ପାଇଁ ୧୧୭ ଓ ୩୨୩ ୱାର୍ଡ ସଦସ୍ୟ ପାଇଁ ୪୩୦ ଜଣ ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ଆସନ୍ତା ୨୫/୧ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରୀୟା ରହିଛି । ଏହାପରେ ମଇଦାନରେ ରହି ବିଭିନ୍ନ ପଦବୀ ନିମନ୍ତେ ଲଢେଇ କରିବା ପାଇଁ ଯାଉଥିବା ପ୍ରାର୍ଥି ମାନଙ୍କୁ ନିର୍ବାଚନ ସଙ୍କେତ ପ୍ରଦାନ କରାଯିବ । ନର୍ଲା ବ୍ଲକ ଅଧ୍ୟକ୍ଷ ଆସନ ଗତଥର ଭଳି ଏଥରକ ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ନର୍ଲା ବ୍ଲକ୍ ଅଧ୍ୟକ୍ଷ ଆସନ ହାତେଇବା ପାଇଁ କଳ, ବଳ ଓ କୌଶଳ ଆରମ୍ଭ ହୋଇଗଲାଣି । ସଂରକ୍ଷିତ ଆସନ ହେଉ କିମ୍ବା ଅଣ ସଂରକ୍ଷିତ ଆସନ । ଚଳିତ ତ୍ରୀ- ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚନୀ ମୈଦାନରେ ସରପଞ୍ଚ ଓ ସମିତି ସଦସ୍ୟ ପଦବୀ ନିମନ୍ତେ ସଂଖ୍ୟାଧିକ ପ୍ରାର୍ଥୀ ଲଢେଇ କରିବା ପାଇଁ ପ୍ରସ୍ତୁତ ରହିଥିବା ଦେଖିବାକୁ ମିଳୁଛି । ବିଶେଷ କରି ରୁପ୍ରାରୋଡ ଓ ସର୍ଗିଗୁଡା ଗ୍ରାମ ପଞ୍ଚାୟତରେ ସଂଖ୍ୟାଧିକ ସରପଞ୍ଚ ଓ ସମିତି ସଦସ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଛି । ପୂର୍ବ ତ୍ରୀ-ସ୍ତରୀୟ ନିର୍ବାଚନ ଗୁଡିକରେ ୱାର୍ଡ ସଭ୍ୟ/ ସଭ୍ୟା ପଦବୀ ସବୁ ପାଇଁ ପ୍ରତିଦ୍ୱନ୍ଦିତା ହେଉନଥିଲା । ହେଲେ ଚଳିତ ନିର୍ବାଚନରେ ୱାର୍ଡ ସଭ୍ୟ ପାଇଁ ମଧ୍ୟ ତ୍ରୀମୁଖି ଲଢେଇ ପାଇଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖିବାକୁ ମିଳୁଛି । ସେହିଭଳି ନର୍ଲାରେ ରହିଥିବା ତିନିଗୋଟି ଜିଲ୍ଲା ପରିଷଦ ଜୋନ ଗୁଡିକ ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ତରଫରୁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ସେବୁଗୁଡିକର ମଧ୍ୟ ଭବାନୀପାଟଣା ଉପଜିଲ୍ଲାପାଳଙ୍କ ଅଫିସରେ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନଙ୍କର ପ୍ରାର୍ଥୀପତ୍ର ଯାଞ୍ଚ ହେଉଥିବା ଜଣାପଡିଛି । ଜିଲ୍ଲା ପରିଷଦ ଜୋନ୍-୨୬ (ନର୍ଲା-୧ ରୁପ୍ରା ମହିଳାଙ୍କ ପାଇଁ ସଂରକ୍ଷିତ ଆସନ) ପାଇଁ ବିଜେପି ପ୍ରାର୍ଥୀନୀ ଭାବରେ ସଞ୍ଜୁ ସାହୁ, ବିଜେଡି ତରଫରୁ ନମ୍ରତା ସାହୁ ଓ କଂଗ୍ରେସ ପାର୍ଟି ତରଫରୁ ଜ୍ୟୋତି ବେହେରା ପ୍ରାର୍ଥୀନୀ ରହିଥିବା ବେଳେ ଜିଲ୍ଲା ପରିଷଦ ଜୋନ୍-୨୭ (ନର୍ଲା-୨ ସରିଆଁ ଅନୁସୂଚୀତ ଜନଜାତି ପାଇଁ ସଂରକ୍ଷିତ ଆସନ) ଜୋନ୍ ପାଇଁ ବିଜେପି ତରଫରୁ ଗତଥର ନିର୍ବାଚିତ ହୋଇଥିବା ସୁଶ୍ରୀ ରୀନା ଭୋଇ, ବିଜେଡି ତରଫରୁ ହରିଶଙ୍କର ମାଝୀ ଓ କଂଗ୍ରେସ୍ ତରଫରୁ ରୋଶନ କୁମାର ମାଝୀ ପ୍ରାର୍ଥୀ ରହିଛନ୍ତି । ସେହିଭଳି ଜିଲ୍ଲା ପରିଷଦ ଜୋନ ନଂ-୨୮ ନର୍ଲା- ୩ ଅନୁସୂଚୀତ ଜାତୀ ମହିଳାଙ୍କ ପାଇଁ ସଂରକ୍ଷିତ ଆସନ) ନିମନ୍ତେ ବିଜେପି ତରଫରୁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରୀନାଥ ନାଏକଙ୍କ ବୋହୁ ଶ୍ରୀମତୀ ପ୍ରଣତି ମହାନନ୍ଦ, ବିଜେଡି ପାର୍ଟି ତରଫରୁ ବାଗପୁର ର ସରପଞ୍ଚ ଶ୍ରୀମତୀ ଲିଲି ଦୀପ ଓ କଂଗ୍ରେସ ତରଫରୁ ଶ୍ରୀମତୀ ସୁନୀତା ନାଏକ ପ୍ରାର୍ଥୀନୀ ରହିଛନ୍ତି ।ଗ୍ରାମ ପଞ୍ଚାୟତ ନିର୍ବାଚନକୁ ନେଇ ନର୍ଲା ରାଜନୀତି ବେଶ ସରଗରମ ହୋଇ ଉଠିଥିବା ବେଳେ ଗ୍ରାମ ପଞ୍ଚାୟତ ସ୍ତରରେ ସଂଖ୍ୟାଧିକ ପ୍ରାର୍ଥୀ ପ୍ରାର୍ଥୀନୀ ଯୋଗୁଁ ଭୋଟର୍ସ ସନ୍ଦୀହାନ ହେବାର ଆଶଙ୍କାକୁ ଏଡେଇ ଦିଆଯାଇ ନପାରେ ।