ହୋଲିର ଅନ୍ତରାଳେ

ଭାରତୀୟ ସଂସ୍କୃତିରେ ହୋଲି ଏକ ସାର୍ବଜନୀନ ଆନନ୍ଦ ଉଲ୍ଲାସର ଉତ୍ସବ ରୁପେ ଗୃହିତ ହୋଇଆସିଛି । ବସନ୍ତର ଆଗମନରେ ପ୍ରକୃତିର କମନୀୟ ଶୋଭା ସମ୍ଭାର ଜନମାନସରେ ଭରିଦିଏ ଅପୂର୍ବ ଉନ୍ମାଦନା । ରୂପ-ରସ-ରଙ୍ଗର ଅଫୁରନ୍ତ ମାଦକତା ମଧ୍ୟରେ ବସନ୍ତୋତ୍ସବ ହୋଲି ପ୍ରାଣରେ ସୃଷ୍ଟି କରେ ପ୍ରୀତିର ଅଜଣାପୁଲକ ।

Omkar Vasthu
Omkar Vasthu

ଏହାର ପ୍ରାଚୀନତା ମୂଳରେ ପୌରାଣିକତା ଯେପରି ଚମକପ୍ରଦ ଐତିହାସିିକତା ମଧ୍ୟ ତଦନୁରୂପ ତାତ୍ପର୍ଯ୍ୟପୂର୍ଣ୍ଣ । ଏହା ଏକ ଜାତୀୟ ମହୋତ୍ସବ ରୂପେ କେଉଁ ଅନାଦିକାଳରୁ ପାଳିତ ହେଇଆସୁଅଛି । ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ ନିର୍ବିଶେଷରେ ଧନୀ-ଦରିଦ୍ର ଉଚ୍ଚ-ନୀଚ୍ଚ-ବଡ଼-ସାନ ର ବିଚାର ନକରି ସମସ୍ତ ମାନବ ସମାଜ ଏହି ପର୍ବଟିକୁ ଅତି ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଭାରତୀୟ ପୌରାଣିକ ପରମ୍ପରାରେ ହୋଲି ସଂପର୍କରେ କେତୋଟି ଉପାଖ୍ୟାନ ଦେଖିବାକୁ ମିଳେ । ତନ୍ମଧ୍ୟରୁ ନୃସିଂହପୁରାଣରେ ହୋଲି ସଂବଧରେ ଥିବା ଉପାଖ୍ୟାନଟି ଏଠାରେ ପ୍ରଣିଧାନ ଯୋଗ୍ୟ । ଦୈତ୍ୟ ରାଜ ହିରଣ୍ୟକଶିପୁ ନିଜର ବିଷ୍ଣୁ ଭକ୍ତ ପୁତ୍ର ପ୍ରହଲ୍ଲାଦକୁ ବିଭିନ୍ନ ଉପାୟରେ ନିଧନ କରିବା ନିମନ୍ତେ ଚେଷ୍ଟା କରି ବିଫଳ ହେବା ପରେ ଶେଷରେ ଭଗ୍ନୀ ‘ହୋଲିକା’ର ସାହାଯ୍ୟ ନେଇଥିଲା ।

ହୋଲିକା ତପସ୍ୟା ବଳରେ ବ୍ରହ୍ମାଙ୍କଠାରୁ ଅଗ୍ନୀରେ ଦଗ୍ଧୀଭୂତ ହୋଇପାରୁନଥିବା ଏକ ଅଲୌକୀକ ପରିଧାନ ପାଇଥିଲା । ଭାଇ ହିରଣ୍ୟକଶିପୁର ଆଶା ଓ ଆକାଂକ୍ଷାକୁ ରୂପାୟିତ କରିବା ନିମନ୍ତେ ସେ ସେହି ଅଗ୍ନୀ ନିବାରକ ବସ୍ତ୍ର ପରିଧାନ ପୂର୍ବକ ପ୍ରହଲ୍ଲାଦକୁ କୋଳରେ ଧରି ଅଗ୍ନୀରେ ଯାଇ ବସିଥିଲା । କିନ୍ତୁ ଈଶ୍ୱର କୃପାରୁ ଫଳ ହେଲା ଓଲଟା ।

ହୋଲିକାର ଅଗ୍ନୀନିବାରକ ବସ୍ତ୍ର ଆଚ୍ଛାଦନ କଲା କୋମଳମତି ପ୍ରହ୍ଲାଦର ଲାବଣ୍ୟପିତୁଳା ଶରୀରକୁ । ପ୍ରଚଣ୍ଡ ଅଗ୍ନୀରେ ଭସ୍ମୀଭୂତ ହେଲା ଦାନବୀ ‘ହୋଲିକା’ । ଏହାଦ୍ୱାରା ଶ୍ରୀହରି ବିଷ୍ଣୁଙ୍କ ଇଚ୍ଛା ପରିପୂର୍ଣ୍ଣ ହେଲା । ପ୍ରହଲ୍ଲାଦ ଅକ୍ଷତ ଅବସ୍ଥାରେ ଅଗ୍ନୀରୁ ଶୁଦ୍ଧ ସୁବର୍ଣ୍ଣ ଭଳି ବାହାରି ଆସିଲା । ଏହି ସ୍ମୃତିରେ ସ୍ମାରକୀ ଭାବେ ‘ହୋଲି’ ପର୍ବ ସାରା ଭାରତରେ ପାଳନ କରାଯାଏ ବୋଲି କେତେକଙ୍କ ମତ ।

ଦୋଳ ଓ ହୋଲି ଉତ୍ସବ ପାଳନର ଅନ୍ତରାଳରେ ଅନ୍ୟଏକ କିମ୍ବଦନ୍ତୀ ହେଲା, ଅସୁର ରାଜା କଂସ ଶୂନ୍ୟବାଣୀ ଶୁଣିବାକୁ ପାଇଥିଲା । ତାର ପ୍ରକୃତ ହତ୍ୟାକାରୀ ଗୋପପରୁରେ ବଢୁଛି । ତେଣୁ ମଥୁରାଧିପତି କଂସ ସମସ୍ତ ଶିଶୁଙ୍କୁ ହତ୍ୟା କରିବା ନିମନ୍ତେ ପୂତନା ନାମକ ରାକ୍ଷସୀକୁ ଗୋପପୁରକୁ ପଠାଇଥିଲା ।

ଏହି ଦିନ ଗୋପପୁରରେ ଛଳନାମୟୀ ରାକ୍ଷସୀ ପୂତନା କୃଷ୍ଣଙ୍କୁ ମାରିବା ନିମନ୍ତେ ହଳାହଳ ବିଷ ପୂର୍ଣ୍ଣ ସ୍ତନ୍ୟପାନ କରାଇବାବେଳେ ସେ ଦୁଗ୍ଧ ସହ କ୍ରୃର କର୍ମଣୀ ପୁତନାର ପଞ୍ଚ ପ୍ରାଣକୁ ଶୋଷଣ କରିବା ଫଳରେ ତାର ପ୍ରାଣହାନୀ ଘଟିଥିଲା । ପୂତନାର ବିରାଟକାୟ ମୃତ ଶରୀରକୁ ଗୋପବାସୀ କାଷ୍ଠ ଓ ତୃଣ ସାହାଯ୍ୟରେ ଦଗ୍ଧୀଭୂତ କରିଥିଲେ । ଏହାର ସ୍ମାରକୀ ଭାବେ ହୋଲି ବା ଦୋଳେତ୍ସବ ପାଳିତ ହୁଏ ବୋଲି ଲୋକ ବିଶ୍ୱାସ ରହିଛି ।


ଢଂଢୁୁଲା ନାମକ ଗୋଟିଏ ରାକ୍ଷସୀ ଶିବଙ୍କ ଅମରବରରେ ବଳୀୟାନ ହୋଇ ଲୋକମାନଙ୍କୁ ଭୀଷଣ କଷ୍ଟ ଦେଉଥିଲା । ସତ୍ୟଯୁଗର ପ୍ରଜାପାଳକ ରାଜା ପୃଥୁ ବଶିଷ୍ଠଙ୍କ ଆଦେଶରେ ରାଜ୍ୟସାରା ବାଳକ ବାଳିକାମାନଙ୍କୁ ଫାଲଗୁନ ପୂର୍ଣ୍ଣିମାରେ ବିଭିନ୍ନ ବିଭତ୍ସ ଆଚରଣ କରିବା ସହିତ ଅଳିଆ ଆର୍ବଜନାକୁ ଏକାଠି କରି ଜାଳିବା, ଅଗ୍ନୀର ଉସ୍ମ ଦେହରେ ବୋଳି ହୋଇ ନାଚିବା ଆଦିକର୍ମ କରିବା ନିମନ୍ତେ ପ୍ରୋତ୍ସାହନ ଦେଇଥିଲେ ।

ବାଳକବାଳିକା ମାନେ ଏପରି କରିବା ଦ୍ୱାରା ଢଂଢୁଲା ରାକ୍ଷସୀ ଭୟରେ ରାଜ୍ୟଛାଡ଼ି ପଳାଇଥିଲା ଓ ଦେଶବାସୀ ତା’ର ଉପଦ୍ରବରୁ ରକ୍ଷା ପାଇଥିଲେ, ତେଣୁ ଏହି ପରମ୍ପରାକୁ ବଜାୟ ରଖିବା ନିମନ୍ତେ ହୋଲି ଦିନଟିକୁ ସମସ୍ତେ ନାନା ଉତ୍ସୃଙ୍ଖଳତା ମଧ୍ୟରେ ପାଳନ କରିଥାନ୍ତି ।


ହୋଲି ଉତ୍ସବକୁ ଭାରତର ସର୍ବତ୍ର ମହାସମାରୋହରେ ଦୋଳ ପୂର୍ଣ୍ଣିମା ପରଦିନ ପାଳନ କରିଥାନ୍ତି । ଏହି ଦିନ ପରସ୍ପରକୁ ବିଭିନ୍ନ ରଙ୍ଗରେ ରଙ୍ଗାୟିତ କରି ଆନନ୍ଦିତ ହୋଇଥାନ୍ତି ।

ବ୍ରହ୍ମବୈବର୍ତ୍ତ ପୁରାଣ ଆଦିରେ ବର୍ଣ୍ଣିତ ଅଛି ଗୋପାଙ୍ଗନାଙ୍କ ସହିତ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ରଙ୍ଗଖେଳଠାରୁ ଆନନ୍ଦ ଉଲ୍ଲାସ ମଧ୍ୟରେ ଅତିବାହିତ କରିଥିବାରୁ ତାହାର ସ୍ମାରକୀ ଭାବେ ଉକ୍ତ ଦିନଟି ରଙ୍ଗର ମହୋତ୍ସବ ‘ହୋଲି’ରୂପେ ପରିଚିତ ।


କେତେକ ଅଂଚଳରେ ଏହି ରଙ୍ଗଖେଳ ପାଇଁ ଲୋକମାନେ ନୂତନ ବସ୍ତ୍ର ମଧ୍ୟ ପରିଧାନ କରୁଥିଲେ । ଏହାର ଅନ୍ତରାଳରେ ଥିଲା କେତେକ ବୈଜ୍ଞାନିକ କାରଣ ସେଥିମଧ୍ୟରୁ ଗୋଟିଏ ହେଲା ଫଗୁ ବୋଳି ହେବ ଦ୍ୱାରା ବସନ୍ତର ବିସ୍ପୋଟକ ପ୍ରବଳ ଭାବରେ ବାହାରି ଶରୀରର ସୌନ୍ଦର୍ଯ୍ୟ ହାନୀ କରେ ନାହିଁ ।

 

ଅନ୍ୟଏକ କାରଣ ହେଲା ଶୀରଋତୁରେ ପ୍ରବଳ ଶୀତ ହେତୁ କେତେକ ଶରୀରକୁ ପରିସ୍କାର କରିବା ନିମନ୍ତେ କୁଣ୍ଠା ପ୍ରକାଶ କରିଥାନ୍ତି । ଫଳରେ ଶରୀରରେ ମଇଳା ଜମି ବିଭିନ୍ନ ଚର୍ମରୋଗ ହେବାର ସମ୍ଭାବନା ଥାଏ । ତେଣୁ ଏହି ଚର୍ମରୋଗ ସମ୍ଭାବନାରୁ ନିଜକୁ ଦୂରେଇ ରଖିବା ଅନ୍ତରାଳରେ ହୋଲି ରଙ୍ଗ ମହୋତ୍ସବର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।


କିନ୍ତୁ ଏହି ମହତ୍ ପରମ୍ପରାକୁ ଲୋକମାନେ ଭୂଲିଯାଇ ଆଧୁନିକ ଯୁଗରେ ରଙ୍ଗ-ରସ-ନାମରେ ନାନା କୁତ୍ସିତ ତଥା ଅପ୍ରୀତିକର କାର୍ଯ୍ୟ ସହିତ ବିଭିନ୍ନ କ୍ଷତିକାରକ ପଦାର୍ଥରେ ଅର୍ଥାତ କୋଲଟାରଠାରୁ ଆରମ୍ଭ କରି ରାସାୟନିକ ଏସିଡ଼ର ବ୍ୟବହାର କରିବା ଫଳରେ ଏହା ସମାଜର ଅଧିକ କ୍ଷତି ସାଧନ କରୁଛି ।

ସ୍ନେହ-ଶ୍ରଦ୍ଧା-ପରିବର୍ତ୍ତେ ଶତୃତାର ଅଙ୍କୁରୋଦଗମ ହେଉଛି । ସାମ୍ୟ,ମୈତ୍ରୀ ବଦଳରେ ଯୁବ ପ୍ରାଣରେ ଉତ୍ସୃଙ୍ଖଳତା ବୃଦ୍ଧି ପାଉଛି । ଯାହା ଦ୍ୱାରା ପ୍ରତ୍ୟେକ ବର୍ଷ ହୋଲି ପରେ କାହାର ଆଖି ଖରାପ ତ କାହାର ଚର୍ମରେ ବିଭିନ୍ନ ପ୍ରକାର କ୍ଷତ ଆଦି ସୃଷ୍ଟି ହେଉଛି ଓ କେଉଁଠି ହୋଲିରୁ ସଂଘର୍ଷ ର ସୂତ୍ରପାତ ହେବାର ସମ୍ବାଦ ପତ୍ରପତ୍ରିକାର ପୃଷ୍ଠା ମଣ୍ଡନ କରୁଛି ।


ପରିଶେଷରେ ଏତିକି କହିଲେ ଯଥେଷ୍ଟ ହେବ ଯେ,ଆମ ସଂସ୍କୃତିର ଅନ୍ତରାଳରେ ଥିବା ସୁମହତ ପରମ୍ପରାକୁ ଆମ ଯେତେବେଳେ ତ୍ୟାଗ କରି ତା ଦେହରେ ଆଧୁନିକତାର ପ୍ରଲେପ ଦେଇ ପାଳନ କରୁଛୁ ତାହା କେତେକ ସ୍ଥଳରେ ସାମାନ୍ୟ ଉପକାର କରୁଛି କି ନାହିଁ ବରଂ ବିଶେଷ କ୍ଷତି ସାଧନ କରୁଛି କହିଲେ ସତ୍ୟର ଅପଳାପ ହେବ ନାହିଁ ।

ଅଧ୍ୟାପିକା, ଓଡ଼ିଆବିଭାଗ
ମ.ରାମପୁର ମହାବିଦ୍ୟାଳୟ
ମ.ରାମପୁର, କଳାହାଣ୍ଡି

For latest news & views update

Click on bell button and subscribe to notifications.

Like us on facebook 👇

http://facebook.com/odiabarta

Subscribe us on youtube 👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.