ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶିପୁର: ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ନିମନ୍ତେ ରାୟଗଡା ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଏକ ପ୍ଲାଣ୍ଟସ୍ତରୀୟ ପରାମର୍ଶକାରୀ କମିଟି ବୈଠକ (ପିଏଲ୍ସିସି) ୨୦୨୨ ଜୁଲାଇ ୨୯ ତାରିଖରେ ଉତ୍କଳ ଆଲୁମିନାର ସହରାଞ୍ଚଳ ପରିସରରେ ଆୟୋଜିତ ହୋଇଯାଇଛି । ଜିଲ୍ଲାଗୁଡିକରେ ଏସଏମଇ ଉତ୍ପାଦଗୁଡିକର ଚାହିଦା ଓ ଯୋଗାଣ ସୁଯୋଗ ଅନୁଧ୍ୟାନ କରିବା ଏବଂ ଶିଳ୍ପସମୂହ ଓ ଏମଏସ୍ଏମଇଗୁଡିକ ମଧ୍ୟରେ କାର୍ଯ୍ୟକାରିତାଗତ ସମ୍ପର୍କକୁ ତ୍ବରାନ୍ବିତ କରିବା ସକାଶେ ଏମଏସ୍ଏମଇ ଓ ଶିଳ୍ପସମୂହ ମଧ୍ୟରେ ଏକ ସମ୍ପର୍କ ବିନ୍ଦୁ ସ୍ଥାପନ କରିବା ଏହାର ଉଦ୍ଦେଶ୍ୟ। ମୋଟାମୋଟି ଭାବରେ ଏମଏସ୍ଏମଇଗୁଡିକୁ ପ୍ରୋତ୍ସାହିତ କରି ଏହି ଅଞ୍ଚଳରେ ଔଦ୍ୟୋଗିକ ପରିବ୍ୟବସ୍ଥାକୁ ମଜଭୁତ କରିବା ଏହି ବୈଠକର ଉଦ୍ଦେଶ୍ୟ ଥିଲା ।

ବୈଠକରେ ରାୟଗଡା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ସ୍ଵଧା ଦେବ ସି ଅଧ୍ୟକ୍ଷତା କରିଥିବାବେଳେ ୟୁନିଟ ହେଡ୍ ଓ ପ୍ରେସିଡେଣ୍ଟ ଶ୍ରୀ ମଜହର ବେଗ୍ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଶ୍ରୀ ବିକାଶ ଚନ୍ଦ୍ର ବେନ, ଆରଆଇସି, ରାୟଗଡା ସଦସ୍ୟ ଆବାହକ ଭାବରେ ଏହି ବୈଠକ ଆହୂତ କରିଥିଲେ।

ଶ୍ରୀ ସୁଧାକର ବିଶ୍ଵାଳ, ଚିଫ୍ ଫାଇନାନ୍ସ ଅଫିସର, ଉତ୍କଳ ଆଲୁମିନା ଉକ୍ତ ବୈଠକରେ ଉତ୍କଳ ଆଲୁମିନା ପ୍ଲାଣ୍ଟ ସମ୍ପର୍କରେ ଏକ ମୋଟାମୋଟି ଚିତ୍ର ଉପସ୍ଥାପନ କରିବା ସହିତ ଏହି ଅଞ୍ଚଳର ଏମଏସଏମ୍ଇଗୁଡିକୁ ସମର୍ଥନ କରିବା ନେଇ ରହିଥିବା ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଥିଲେ। ସେ ମଧ୍ୟ ସରକାରଙ୍କୁ ରାଜସ୍ଵ ଓ ଆୟକର ଆକାରରେ ଏହି ପ୍ଲାଣ୍ଟର ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ।

ହେଡ୍-କମର୍ସିଆଲ,ଉତ୍କଳ ଆଲୁମିନା, ଶ୍ରୀ ଅମିତ ପଣ୍ଡା ଏମଏସ୍ଏମଇ ଗୁଡିକ ସହିତ ବ୍ୟବସାୟିକ ସହଭାଗିତା ସମ୍ପର୍କରେ ପ୍ରକାଶ କରିଥିଲେ । ସେ କମ୍ପାନୀର ଭେଣ୍ଡର ପଞ୍ଜିକରଣ ବ୍ୟବସ୍ଥା, ଆହରଣ ଯୋଗ୍ୟ ସାମଗ୍ରୀର ଶିଳ୍ପସ୍ତରରେ ଆବଶ୍ୟକତା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହିତ କମ୍ପାନୀ ପକ୍ଷରୁ ଫ୍ଲାଇ ଆଶ୍ ଏବଂ ଲାଇମ ଗ୍ରିଟ୍ ଯୋଗାଇ ଦିଆଯାଉଥିବା ଭେଣ୍ଡରମାନଙ୍କର ତାଲିକା ପ୍ରକାଶ କରିଥିଲେ।

ଉତ୍କଳ ଆଲୁମିନାର ଟିମ୍ ସି ଏସ ଆର ଏବଂ ସି ଆର୍ ଏଣ୍ଡ ସଷ୍ଟେନେବିଲିଟି ଗୋଷ୍ଠୀ ବିକାଶ ପ୍ରୟାସସମୂହ ଏବଂ ପ୍ରୋଜେକ୍ଟ ‘ ଉଦ୍ୟମୀ’ ଅଧୀନରେ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ସମ୍ଭାବନା ସମ୍ପର୍କରେ ପ୍ରକାଶ କରିଥିଲେ। ଉତ୍କଳ ଆଲୁମିନା ପକ୍ଷରୁ ଏହାର ପ୍ରୋଜେକ୍ଟ ‘ଉଦ୍ୟମୀ’ ଅଧୀନରେ ଏହାର ପାରିପାର୍ଶ୍ବକ ଅଞ୍ଚଳରେ କ୍ଷୁଦ୍ର ଶିଳ୍ପଗୁଡିକୁ ପ୍ରୋତ୍ସାହିତ କରିବା ଦିଗରେ ଯୋଗାଇ ଦିଆଯାଉଥିବା ସମର୍ଥନ ଆଲୋଚନା ବୈଠକରେ ଉପସ୍ଥିତ ଥିବା ଅଧିକାଂଶ ଅତିଥିଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ।

ଶ୍ରୀ କେ ନାରିନ୍ କୁମଦନ, ପ୍ରେସିଡେଣ୍ଟ, ଓଡ଼ିଶା ଆସେମ୍ମି ଅଫ ସ୍କୁଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍ (ଓଏଏସ୍ଏମଇ, ରାୟଗଡା) ଏବଂ ଶ୍ରୀ ଏ ଗୋବିନ୍ଦ ରାଓ, ପ୍ରେସିଡେଣ୍ଟ ଡିଷ୍ଟ୍ରିକ୍ଟ ସ୍କୁଲ ସ୍କେଲ ଇଣ୍ଡଷ୍ଟ୍ରିଜ ସେଣ୍ଟର (ଡିଏସଏସଆଇଏ, ରାୟଗଡା) ସହଯୋଗିତା ସ୍ଥାପନ ଦିଗରେ ଉତ୍କଳ ଆଲୁମିନା ସହିତ ସେମାନଙ୍କର ସହଯୋଗିତା ସମ୍ପର୍କରେ ପ୍ରକାଶ କରିବା ସହିତ ସ୍ଥାନୀୟ ଏମଏସଏମ୍ଇଗୁଡିକ ଯେଭଳି କମ୍ପାନୀର ଆବଶ୍ୟକତା ପୂରଣ କରିପାରିବେ, ସେଥ୍ପାଇଁ ସେମାନଙ୍କୁ ଅଗ୍ରାଧିକାର ଦେବାକୁ କମ୍ପାନୀକୁ ଅନୁରୋଧ କରିଥିଲେ। ଜିଲ୍ଲାଗୁଡିକର ଉଦ୍ୟୋଗୀମାନେ ଉକ୍ତ ମଞ୍ଚରେ ସେମାନଙ୍କର ରହିଥିବା ବିଭିନ୍ନ ପ୍ରସଙ୍ଗ ଏବଂ ଆଶଙ୍କା ସମ୍ପର୍କରେ ଆଲୋଚନା କରିଥିଲେ।

ଶ୍ରୀ ଭୀମସେନ ସବର, ସବ୍କଲେକ୍ଟର ଓ ଏସ୍ଡିଏମ୍ ରାୟାଗଡା, ଶ୍ରୀ ଧୀରେନ୍ଦ୍ର ନାଥ ବିହାରୀ, ଏଲ୍ଡିଏମ ରାୟଗଡା, ଶ୍ରୀ ସବ୍ୟସାଚୀ ସାହୁ, ଆଇପିଓ ରାୟଗଡା, ଉତ୍କଳ ଆଲୁମିନାର ବରିଷ୍ଠ ଅଧିକାରୀଗଣଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରକାଶ କରି ଉତ୍କଳ ଆଲୁମିନାର ୟୁନିଟ ହେଡ୍ ଦୋହାରାଇଥିଲେ ଯେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକ ଆମ ଅର୍ଥନୀତିର ମେରୁଦଣ୍ଡ। ଏଗୁଡିକୁ ମଜଭୁତ କରାଗଲେ ତାହାଦ୍ବାରା କେବଳ ସେମାନଙ୍କର ଉନ୍ନତି ସାଧୂତ ହେବନାହିଁ, ତାହାସହିତ ଏହି ଅଞ୍ଚଳର ସମୁଦାୟ ଔଦ୍ୟୋଗିକ ପରିବ୍ୟବସ୍ଥାରେ ରୂପାନ୍ତରଣ ହୋଇପାରିବ। ସେ ଉଲ୍ଲେଖ କରିଥିଲେ ଯେ ଉତ୍କଳ ଆଲୁମିନା ଏହି ଅଞ୍ଚଳର ଏମଏସଏମଇସମୂହ ଏବଂ ନବାଗତ ଉଦ୍ୟୋଗୀମାନଙ୍କୁ ସମର୍ଥନ କରିବାକୁ ପ୍ରତିବଦ୍ଧ ରହିଛି।

ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଆରଆଇସି, ରାୟଗଡା ଏବଂ ଉତ୍କଳ ଆଲୁମିନା ପକ୍ଷରୁ ପିଏଲ୍ସିସି ବୈଠକ ଆୟୋଜନକୁ ପ୍ରଶଂସା କରିଥିଲେ। ସେ ଏକ ସମତୁଲ କ୍ଷେତ୍ର ଯୋଗାଇଦେବା ଉପରେ ଗୁରୁତ୍ଵ ଦେଇଥିଲେ ଯେଉଁଠାରେ ଏମଏସ୍ଏମଇସମୂହ ଏବଂ କର୍ପୋରେଟ ସମ୍ମିଳିତ ଭାବରେ ସମୃଦ୍ଧି ହାସଲ ସହିତ ଉକ୍ତ ଅଞ୍ଚଳର ସାମାଜିକ-ଅର୍ଥନୈତିକ ସ୍ଥିତିରେ ରୂପାନ୍ତରଣ ଆଣିପାରିବେ ।

ଏକ ଦାୟିତ୍ଵସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ୍ ରାୟଗଡା ଓ କଳାହାଣ୍ଡି ଆଦି ଦୁଇଟି ଜିଲ୍ଲାରେ ତାହାର ସିଏସଆର ଆଣ୍ଡ ସିଆର୍ ଆଣ୍ଡ ସଷ୍ଟେନେବିଲିଟି ପ୍ରୟାସସମୂହ ଅଧୀନରେ ନିଜର ପାରିପାର୍ଶ୍ବକ ବିକାଶ କାର୍ଯ୍ୟଗୁଡିକ କାର୍ଯ୍ୟକାରୀ କରିବାରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ଏହି ଦୁଇ ଜିଲ୍ଲାରେ ଦୁଇଟି ବ୍ଲକ୍ର ୧୨ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୩୨ଟି ଗ୍ରାମକୁ ସେବା ଯୋଗାଇ ଦେଉଛି। ଏବିଜିର ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ, ଗ୍ରାମାଞ୍ଚଳ ଭିତ୍ତିଭୂମି ଏବଂ ସାମାଜିକ ପ୍ରସଙ୍ଗଗୁଡିକ ପ୍ରତି ଦୃଷ୍ଟିଦେଇ ସମାଧାନ କରିବା ଆଦି ୫ଟି ମୁଖ୍ୟ କ୍ଷେତ୍ର ଉପରେ ଦୃଷ୍ଟିନିବଦ୍ଧ ପ୍ରୟାସ ଅଧୀନରେ ୟୁଏଆଇଏଲ୍ ମୋଟାମୋଟି ଭାବରେ ୨,୦୦,୦୦୦ରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି। ୟୁଏଆଇଏଲ୍ର ବିବିଧ-ସହଭାଗୀ ଭିତ୍ତିକ ପ୍ରୟାସସମୂହ ଆଜକୁ ଦଶନ୍ଧିରୁ ଅଧ୍ବକ କାଳ ଧରି ଜନ ଜୀବନକୁ ସମୃଦ୍ଧ କରୁଛି।
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭାତ୍ରାଙ୍କ ରିପୋର୍ଟ OdiaBarta.in





