ମହିଳା ଆୟୋଗ ପକ୍ଷରୁ ଆଇନ ସଚେତନତା କାର୍ଯକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ କଳାହାଣ୍ଡି କୃଷି ମହାବିଦ୍ୟାଳୟ ସମ୍ମିଳନୀ ଗୃହରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ତଥା ଜିଲ୍ଲା ସମାଜ ମଙ୍ଗଳ ବିଭାଗର ଆନୁକୁଲ୍ୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡ଼ ମିନତୀ ବେହେରା, ସଭ୍ୟ ସ୍ନେହାଞ୍ଜଳି ମହାନ୍ତି, ଅନ୍ୟତମ ସଭ୍ୟ ସ୍ବର୍ଣ୍ଣଲତା ସାମଲ, ଭବାନୀପାଟଣା ପୈରପାଲିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତାରା ଜସ୍ମିନ ଦୁରିଆ, ପରାମର୍ଶଦାତା ଡ଼ ଏନ୍ ଟୁନା ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ସମାଜରେ ମହିଳା ମାନଙ୍କ ଆତ୍ମସମ୍ମାନ, ଅଧିକାର, ନ୍ୟାୟକୁ ସାବ୍ୟସ୍ତ କରିବା ତଥା ମହିଳାମାନଙ୍କ ପ୍ରତି ହିଂସା, ନିର୍ଯାତନା ଓ ଦମନକୁ ପ୍ରତିରୋଧ କରିବା ପାଇଁ ଆଇନ ପ୍ରଣୟନ, ଶାସନ ପ୍ରକ୍ରିୟା ଓ ସମାଜରେ ପୁରୁଷ ମାନଙ୍କ ଭଳି ନାରୀଙ୍କୁ ସମାନ ଅଧିକାର ଦେବା ପାଇଁ ଅଙ୍ଗୀକାରବଦ୍ଧକୁ ସଚେତନତା ବାର୍ତ୍ତା ଦ୍ଵାରା ସବୁ ସ୍ତରରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା । ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଦ୍ଵାରା ପ୍ରସ୍ତୁତ “ମହିଳା ମାନଙ୍କ ଜାଣିବା ନିମନ୍ତେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ” ପୁସ୍ତକ ମହିଳା ମାନଙ୍କ ଅଧିକାର ଓ ନ୍ୟାୟ ପାଇଁ ୨୪ ଟି ଆଇନର ବ୍ୟାଖ୍ୟା କରାଯାଇଛି ଏବଂ ତାହା ମହିଳା ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟକ୍ତି ବିଶେଷ, ଗଣମାଧ୍ୟମଙ୍କୁ ପ୍ରଦାନ କରାଯାଇଥିଲା । ସମାବେଶର ମୁଖ୍ୟ ଅତିଥି ପୁଷ୍ପେନ୍ଦ୍ର କୁମାର ସିଂଦେଓ ନିଜ ବକ୍ତବ୍ୟରେ ମହିଳା ମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ପାଳନ କରୁଛନ୍ତି ଏବଂ ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ମିସନ ଶକ୍ତି, ସ୍ଵୟଂ ସହାୟକ ଗୋଷ୍ଠୀ, କର୍ମ ସଂସ୍ଥାନର ବିଭିନ୍ନ ସ୍କିମ୍ ପ୍ରଣୟନ କରିଛନ୍ତି ବୋଲି ମତବ୍ୟକ୍ତ କରିବାସହ କୋଭିଡ ମହାମାରୀ ସମୟରେ ନିଜ ଜୀବନକୁ ବିପନ୍ନ କରି କାର୍ଯ୍ୟ କରିଥିବା ଅଙ୍ଗନୱାଡ଼ି କର୍ମୀ, ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ, ଡାକ୍ତର, ପ୍ରଶାସନ, ପୋଲିସ,ପୌର କର୍ମଚାରୀ ଓ ଗଣମାଧ୍ୟମଙ୍କ ଭୂୟସୀ ପ୍ରଶଂସା କରିଥିଲେ । ଝିଅମାନେ କୌଣସି ଗୁଣରେ କମ ନୁହନ୍ତି ଆଜି ଶିକ୍ଷା, ଗବେଷଣା, ଜନସେବା, ବ୍ୟବସୟ ସବୁ କ୍ଷେତ୍ରରେ ଆଗଉଛନ୍ତି ଏବଂ ସେମାନଙ୍କୁ ସହଯୋଗ କରିବା ତଥା ସୁରକ୍ଷା ଦେବା ଆମର ପ୍ରଧାନ କର୍ତ୍ତବ୍ୟ ହେଉ ବୋଲି କହିଥିଲେ ଶ୍ରୀ ସିଂଦେଓ । ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ପୁରୁଷର ମାନସିକତାର ପରିବର୍ତନ ହେଲେ ଆପେ ଆପେ ମହିଳା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ କମିଯିବ ବୋଲି କହିଥିବା ବେଳେ ମହିଳାଙ୍କ ପ୍ରତି ହିଂସା, ଯୌନ ନିର୍ଯାତନା, ଲିଙ୍ଗ ଗତ ଅସମାନତା, ମାନବ ଚାଲାଣକୁ ରୋକିବା ପାଇଁ ଆଇନର ଶକ୍ତ ପ୍ରଣୟନ ଓ ସମାଜର ଦୃଷ୍ଟିଭଙ୍ଗୀ ଉପରେ ଆଲୋକପାତ କରିଥିଲେ ।ମହିଳା ଆୟୋଗ ଅଧ୍ୟକ୍ଷା ଓ ସଭ୍ୟ ରାଜ୍ୟ ମହିଳା ଆୟୋଗ ଦ୍ଵାରା ନିଆଯାଇଥିବା ପଦକ୍ଷେପ ଓ ଆଇନ ଉପରେ ବିଶେଷ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ କୋଭିଡ ମହାମାରୀ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୧୦ ଜଣଙ୍କୁ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଆଶା କର୍ମୀ ସ୍ବପ୍ନ ଶବର, ଡ଼ ସଦାନନ୍ଦ ପାଣିଗ୍ରାହୀ, ଭବାନୀପାଟଣା ଥାନା ଅଧିକାରୀ ପ୍ରଦୀପ ଦୁରିଆ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ସମାଜସେବୀ ଯଶୋବନ୍ତ ରଣା, ଆଇନଜୀବୀ ଦୀପ୍ତି ରାଣୀ ପଟ୍ଟନାୟକ, ବାଲ୍ୟ ବିବାହ ନିରୋଧ ଅଧିକାରୀ ଦୀପ୍ତି ମାର୍ଗାରେଟ ଖଣ୍ଡପାଣି, ଅଙ୍ଗନବାଡ଼ି କର୍ମୀ ଅହଲ୍ୟା ସାହୁ, ସ୍ୱୟଂ ସହାୟକ ଗୋଷ୍ଠୀର ପାର୍ଥ ସାରଥି , ୱାନ୍ ଷ୍ଟପ୍ କେନ୍ଦ୍ରର ବନିତା ଦାସଙ୍କୁ ସମ୍ମାନିତ କରାଯାଇଥିଲା । ସଭାଟିକୁ ଡିଏସ୍ ଡବ୍ଲୁଓ ଜ୍ୟୋସ୍ନାରାଣୀ ପାତ୍ର ସଞ୍ଚାଳନ କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡିଆଇପିଆରଓ ମନୋଜ ବେହେରା, ଏଡିଏସଡବ୍ଲୁଓ ଅଶୋକ ମୁଣ୍ଡ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ସରପଞ୍ଚ, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ସମାଜସେବୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା, ନାରୀ ନେତ୍ରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.