କଳାହାଣ୍ଡି: ୧୦ ଡକାୟତ ଗିରଫ, ୬ଲକ୍ଷ ୩୫ ହଜାର ଟଙ୍କା ସହ ସୁନାଗହଣା ଓ ମାରଣାସ୍ତ୍ର ଜବତ

ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜୟପାଟଣା ନାଏବ ସରପଞ୍ଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର/ ନବୀନ କିଶୋର ସାହୁ): କଳାହାଣ୍ଡି ପୋଲିସକୁ ମିଳିଲା ବଡ ସଫଳତା । ଗତ କିଛିଦିନ ହେଲା ଜିଲ୍ଲାରେ ଚୋରି ଡକାୟତି ଓ ଲୁଟ ତରାଜ କରି ଆତଙ୍କ ଖେଳାଇ ପୋଲିସର ନିଦ ହଜାଇ ଦେଇଥିବା ୧୦ ଜଣିଆ ଡକାୟତ ଗ୍ୟାଙ୍ଗ ଧରା ପଡିଛନ୍ତି । ଜିଲ୍ଲାର ଧର୍ମଗଡ ସବଡିଭିଜନ ଅଞ୍ଚଳର ଗୋଲାମୁଣ୍ଡା, ଧର୍ମଗଡ, କୋକସରା, ଜୟପାଟଣା ଓ ଆମପାଣି ଅଞ୍ଚଳରେ ଲୋକଙ୍କ ଘରେ ପଶି ବିଭିନ୍ନ ମାରଣାସ୍ତ୍ର ଦେଖାଇ ଚୋରି ଓ ଡକାୟତି କରିଥିଲେ । ପ୍ରକାଶ ଯେ, ପଡୋଶୀ ନବରଙ୍ଗପୁର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳର ୧୦ ଜଣ ଡକାୟତ ଏହି ଚୋରି ଡକାୟତି ସାମିଲ ଥିବା ବେଳେ ଗୋଲାମୁଣ୍ଡା , ଧର୍ମଗଡ, ଆମପାଣି , କୋକସରା ଓ ଜୟପାଟଣା ଥାନାରେ ଚୋରି ହୋଇଥିବା ମାମଲା ଦାୟର ହୋଇଥିଲା । ପୋଲିସ ଏହାର ତଦନ୍ତ କରି ଏହି ଘଟଣାରେ ସଂପୃକ୍ତ ଥିବା ୧୦ ଜଣ ଡକାୟତଙ୍କୁ ଗିରଫ କରିଛି ‌। ଡକାୟତମାନଙ୍କ ମଧ୍ୟରେ ଜୟପାଟଣା ପଞ୍ଚାୟତର ନାଏବ ସରପଞ୍ଚ ସାମିଲ ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ଏହି ଡକାୟତ ମାନଙ୍କ ନିକଟରୁ ବିଭିନ୍ନ ଅଞ୍ଚଳରୁ ଚୋରି କରିଥିବା ୬ ଲକ୍ଷ ୩୫ ହଜାର ୮୨୫ ଟଙ୍କା, ୫ ଗୋଟି ବାଇକ୍, ୧୧ ମୋବାଇଲ ଫୋନ, ୪୦.୩୯୨ ଗ୍ରାମ ସୁନା , ୪୪୭.୭୪୦ ଗ୍ରାମ ରୁପା, ଏଟିଏମ କାର୍ଡ, ପାସବୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଥିବା ବେଳେ ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ଚାଲୁ ରହିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କଳାହାଣ୍ଡି ଏସପି ଅଭିଳାଷ ଜି । ଏହା ପରେ ଅଞ୍ଚଳରେ ଚୋର ଆତଙ୍କ କମିଯିବା ଆଶା କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.