ମୌସୁମୀ ଉଭାନ, ଗଜା ମରୁଡି ଆଶଙ୍କା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ କୋକସରା ବ୍ଲକ ସମେତ କଳାହାଣ୍ଡି ଜିଲ୍ଲାରେ ବର୍ଷାର ଅଭାବ ଦେଖାଦେଇଛି। ଫଳରେ ଚାଷୀ ଚାଷ ଆରମ୍ଭରୁ ହତାଶ ହୋଇ ପଡିଛି। ଆଷାଢ଼ ପୂର୍ଣ୍ଣିମା ହେଲାଣି କିନ୍ତୁ ନଇ ନାଳରେ ପାଣି ଟିକିଏ ନାହିଁ। ପ୍ରାକ ମୌସୁମୀ ଦେଖି ଚାଷୀ ଉତ୍ସାହିତ ହୋଇ କ୍ଷେତ୍ରରେ ଧାନ ବୁଣିବା ସହ ତଲି ପକାଇଥିଲା। ଅସହ୍ୟ ଗରମ ସହ ବର୍ଷା ହେଉ ନଥିବାରୁ ବୁଣା ଧାନ ଓ ତଲି ପ୍ରତି ସଂକଟ ଦେଖାଯାଇଛି। ଏସବୁ ଆରମ୍ଭରୁ ନଷ୍ଟ ହେବାକୁ ବସିଛି। କେତେକ ଚାଷୀ ଟେଙ୍କର ଲଗାଇ ତଲିଘାରିକୁ ବଞ୍ଚାଇବା ପାଇଁ କସରତ କରୁଛନ୍ତି ତ’ କେତେକ ଚାଷୀ କିଛି ଉପାୟ ନପାଇ ବର୍ଷାକୁ ଅନେଇ ରହୁଛନ୍ତି। ବର୍ଷାଭାବ ଯୋଗୁଁ ଚାଷ ଜମିରେ ଲଟା, ବୁଦା, ଘାସ ବଢିବାରେ ଲାଗି ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି। ଅନେକ ସ୍ଥାନମାନଙ୍କରେ ହଳ ମଧ୍ୟ ବୁଲି ପାରିନାହିଁ। ଜମି ଗୁଡିକ ପଡିଆ ରହିଛି। ଆଉ କେତେକ ଜମିରେ ଧାନ ସହ ଗଜା ମରୁଡି ଆଶଙ୍କା ଦେଖାଯାଉଛି। ବର୍ଷା ଅଭାବ ଯୋଗୁଁ କୋକସରା ବ୍ଲକ ଅଞ୍ଚଳରେ ନଇ ନାଳ ଶୁଖିଲା ପଡିଛି। ଯେଉଁ ସ୍ଥାନରେ ଉଠା ଜଳସେଚନ ବ୍ୟବସ୍ଥା ରହିଛି ସେଠାରେ ଚାଷୀମାନେ ଧାନ ଚାଷ ବଞ୍ଚାଇବା ପାଇଁ ପାଣି ମଡାଇବା ଉଦ୍ୟମ ଚଳାଇଛନ୍ତି। ଏଭଳି ପରିସ୍ଥିତି ଯୋଗୁଁ ଚାଷ କାର୍ଯ୍ୟ ଆଗକୁ ଆଗେଇ ନପାରି ଠପ୍ ହୋଇ ପଡି ରହିଛି। ଚାଷୀମାନେ ଚାଷ ପାଇଁ ପ୍ରସ୍ତୁତ ଥିବାବେଳେ ବର୍ଷା ଅଭାବରୁ ମଞ୍ଜି ମଧ୍ୟ ରୋପଣ କରିପାରୁନାହାନ୍ତି। କେବଳ ଧାନ ଚାଷ ନୁହଁ ମୌସୁମୀର ଲୁଚକାଳି ଖେଳ ଯୋଗୁଁ ମକା, ହରଡ଼ ଚାଷ ମଧ୍ୟ ପ୍ରଭାବିତ ହୋଇଛି। ପାଣି ପାଗ ବିଭାଗ କରିଥିବା ଆକଳନ ଅନୁସାରେ ଆସନ୍ତା ୪ ତାରିଖରେ ବର୍ଷା ହେବାର ସମ୍ଭାବନା ରହିଛି। ଯଦି ଏହି ଦିନ ବର୍ଷା ହୁଉ ତେବେ ଚାଷ ବାସ ବଞ୍ଚିଯିବ ନହେଲେ ଗଜା ମରୁଡି କୁ କେହି ରୋକି ପାରିବେ ନାହିଁ ବୋଲି ଅଭିଜ୍ଞ ଚାଷୀମାନେ ମତ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ କୃଷି କର୍ମଚାରୀମାନେ ଚାଷୀଙ୍କ ପାଖରେ ପହଞ୍ଚି ଚାଷ କାମ ପାଇଁ ପରାମର୍ଶ ଦେବା କଥା କିନ୍ତୁ କୋକସରା ବ୍ଲକର ଅନେକ ସ୍ଥାନରେ ଏହା ହୋଇ ପାରୁନାହିଁ। ଫଳରେ ଚାଷୀକୁଳ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.