ଓଡ଼ିଆ ବାର୍ତ୍ତାର ମହା ପ୍ରଭାବ
ଚିତ୍ତରଞ୍ଜନ ମଣ୍ଡଳଙ୍କୁ ନର୍ଲା ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଭାପତି ନିଯୁକ୍ତ କରିବା ପରେ ସୃଷ୍ଟି ହୋଇଥିଲା ଅସନ୍ତୋଷ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ପଦବୀ ସ୍ଥାନୀୟ ନେତୃତ୍ବଙ୍କୁ ନଦେଇ ଭବାନୀପାଟଣା ବାସିନ୍ଦା ଚିତ୍ତରଞ୍ଜନ ମଣ୍ଡଳ ଓରଫ ବାବୁଲି ମଣ୍ଡଳଙ୍କୁ ଦେଇଥିଲା ବିଜୁ ଜନତା ଦଳ। ଚିତ୍ତରଞ୍ଜନ ମଣ୍ଡଳଙ୍କୁ ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ପଦବିରେ ନିଯୁକ୍ତି କରିବା ପରେ ନର୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଭଡାଟିଆ ନେତାଙ୍କୁ ଆଣି ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ସଭାପତି କରିବା କଥାକୁ ସହଜରେ ଗ୍ରହଣ କରି ପାରିନଥିଲେ ବିଜେଡି କର୍ମୀ ଓ ସ୍ଥାନୀୟ ଜନସାଧାରଣ। ଏହି କଥାକୁ ନେଇ ଏକ ସଚେତନ ଗଣମାଧ୍ୟମ ଭାବେ ସର୍ବପ୍ରଥମେ ‘ଓଡିଆ ବାର୍ତ୍ତା’ରେ ମଙ୍ଗଳବାର ୪ ଜୁଲାଇ ଦିନ “ଭଡାଟିଆ ନେତାଙ୍କ ହାତରେ ନର୍ଲାର ଭାଗ୍ୟ: ବିଜେଡ଼ି ନିର୍ବାଚନ ମଣ୍ଡଳୀ ସଭାପତି ନିଯୁକ୍ତି ନେଇ ଉଠିଲା ବିରାଟ ପ୍ରଶ୍ନବାଚୀ” ଶିର୍ଷକ ଏକ ଖବର ପ୍ରକାଶିତ ହୋଇଥିଲା। ଏହି ଖବର ପରେ ଆଜି ଜୁଲାଇ ୭ରେ ବିଜୁ ଜନତା ଦଳ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଶଙ୍ଖ ଭବନରୁ ଜାରି ହୋଇଥିବା ଏହି ଚିଠାରେ ବିଜୁ ଜନତା ଦଳ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାମ ଓ ଦସ୍ତଖତ ଥିବା ଦେଖାଯାଇଛି। ଏଥିରେ କଳାହାଣ୍ଡିର ବାବୁଲି ମଣ୍ଡଳଙ୍କୁ ବିଜେଡ଼ି ରାଜ୍ୟ ସଂପାଦକ ଭାବେ ନିଯୁକ୍ତ କରାଯାଇଥିବା ଲେଖା ହୋଇଛି। ଏହା ଏତେ ତରବରିଆ ଭାବେ ଜାରି ହୋଇଛି ଯେଉଁଠି ଚିତ୍ତରଞ୍ଜନ ମଣ୍ଡଳଙ୍କ ନିକ୍ ନେମ୍ ବାବୁଲି ଉଲ୍ଲେଖ ରହି ବାବୁଲି ମଣ୍ଡଳ ବୋଲି ଲେଖାହୋଇଛି। ତେବେ ସେ ଯାହାବି ହେଉ ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ହୋଇଥିବା ଏହି ନିଷ୍ପତ୍ତିକୁ ନର୍ଲାବାସୀ ଓ ବିଜେଡ଼ି କର୍ମୀ ସ୍ବାଗତ କରିଛନ୍ତି। ଆଗକୁ ବିଜେଡ଼ି ସୁପ୍ରିମୋ ନର୍ଲା ବାସୀଙ୍କୁ ତାଙ୍କ ଦୀର୍ଘଦିନର ଦାବି ସ୍ଥାନୀୟ ପ୍ରାର୍ଥୀତ୍ବ ଉପରେ ସଠିକ ବିଚାର କରିବେ ଓ ନର୍ଲା ନିର୍ବାଚନ ମଣ୍ଡଳୀ ଭିତରର ନେତା/ ନେତ୍ରୀଙ୍କୁ ବିଜେଡି ବିଧାୟକ ଟିକଟ ଦେବେ ବୋଲି ଆଶା କରାଯାଇପାରେ। ତେବେ ଆଗକୁ ମାନ୍ୟବର ମୁଖ୍ୟମନ୍ତ୍ରୀ କେଉଁ ନିଷ୍ପତ୍ତି ନେବେ ତାହା ସମୟ କହିବ।