ନର୍ଲା ବ୍ଲକରେ ପାନୀୟ ଜଳ ପ୍ରକଳ୍ପର ଦୟନିୟ ସ୍ଥିତି

୪୦ ଥର ଚୋରୀ ହୋଇସାରିଲାଣି କେବୁଲ ତାର

ଦୀର୍ଘ ଦିନ ଧରି ବନ୍ଦ ରହୁଛି ପାନୀୟ ଜଳ ଯୋଗାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ୩୭ ଗୋଟି ସ୍ଥାନରେ ଆରଡବ୍ଲୁଏସଏସ ବିଭାଗ ତରଫରୁ ଚାଲିଛି ପାନୀୟ ଜଳ ଯୋଗାଣ । ସାନ୍ଦୁଲ ନଦୀ ଓ ବାଗପୁର ନଦୀ କଡରେ ରହିଥିବା ଗ୍ରାମ ଗୁଡିକୁ ସାନ୍ଦୁଲ ନଦୀରୁ ପାନୀୟ ଜଳ ଯୋଗାଣ ଚାଲିଥିବା ବେଳେ ବାକି ସ୍ଥାନ ଗୁଡିକରେ ଓଭରହେଡ ଟାଙ୍କି କଡରେ ଇନଟେକ କୂଅ ନିର୍ମାଣ କରାଯାଇ ଚାଲିଛି ପାନୀୟ ଜଳ ଯୋଗାଣ । ଗତ ବର୍ଷ ଖରାଦିନେ ପାନୀୟ ଜଳ ଯୋଗାଣ ପାଣି ଅଭାବରେ ଅନେକ ସମସୟା ଦେଖାଦେଇଥିବା ବେଳେ ବିଦ୍ୟୁତ ଖମ୍ବରୁ ଇନଟେକ କୂଅ ଯାଏଁ ପ୍ରାୟ ୧୦୦ ରୁ ୧୫୦ କେଉଁଠି ୨୦୦ ମିଟର ପର୍ଯ୍ୟନ୍ତ ଲାଗିଛି କେବୁଲ ତାର । ହେଲେ ଏକ କେବୁଲତାର ଚୋରଙ୍କ ଗ୍ୟାଙ୍ଗ ଅନବରତ କେବୁଲ ତାର ଚୋରୀ କରୁଥିବା ହେତୁ ୧୫ ରୁ ଉର୍ଦ୍ଧ୍ବ ସ୍ଥାନରେ ପାନୀୟ ଜଳ ଯୋଗାଣ ଠପ ହୋଇ ପଡିଛି । ଗତ ବର୍ଷ ନର୍ଲା, ଶାନ୍ତପୁର, ଛତିକୁଡା, ଭୀମକେଲା ଭଳି ଗ୍ରାମରେ ଚାଲିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ କେବୁଲ ତାର ଚୋରୀ ଯୋଗୁଁ ସପ୍ତାହ ବ୍ୟାପୀ ବନ୍ଦ ହୋଇ ପଡିଥିଲା ପାନୀୟ ଜଳ ଯୋଗାଣ । ଚଳିତ ଜୁଲାଇ ମାସ ଗତ ସପ୍ତହରେ ଧୂବେନ, ସରିଆଁ, କେରାଣ୍ଡିଖୁଣ୍ଟି, ବାଗପୁର ସେରଗଡ କର୍ମେ ଏହି ସ୍ଥାନ ଗୁଡିକରେ ରହିଥିବା ପାନୀୟ ଜଳ ପ୍ରକଳ୍ପ ଗୁଡିକରୁ ୧୫୦୦ ମିଟରରୁ ଉର୍ଦ୍ଧ୍ବ ତାର ଚୋରୀ ହୋଇଥିବା ସୂଚନା ମିଳିଛି । ବୁଧବାର ରାତିରେ ବାଗପୁର ପ୍ରକଳ୍ପରୁ କେବୁଲ ତାର ଚୋରୀ ହୋଇଥିବାରୁ ଆଜି ନର୍ଲା ଥାନାରେ ଏନେଇ ଏତେଲା ଦାଏର କରିଛନ୍ତି ବାଗପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କିରଣ ଚନ୍ଦ୍ର ସାହୁ । ବାରମ୍ବାର କେବୁଲ ତାର ଚୋରୀ ହୋଇ ନର୍ଲା ଥାନାରେ ଏତେଲା ଦାଏର କରାଯାଉଥିଲେ ମଧ୍ୟ ତାର ଚୋର କାହିଁକି ଧରାପଡୁନି ସେନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବୁଧବାର ରାତିରେ ବାଗପୁର ପାନୀୟ ଜଳ ପ୍ରକଳ୍ପରୁ କେବୁଲ ତାର ଚୋରୀକୁ ମିଶାଇ ଏବକୁ ୩ ଥର ତାର ଚୋରୀ ହୋଇଯାଇଥିବା ବେଳେ କେସ ମଧ୍ୟ ୩ ଥର ଦାଏର ହୋଇଛି । ସେହିଭଳି କର୍ମେ ପାନୀୟ ଜଳ ପ୍ରକଳ୍ପରୁ ଏବକୁ ମିଶାଇ ୬ ଥର କେବୁଲ ତାର ଚୋରୀ ହେଲାଣି ଏବଂ ଉକ୍ତ ଗ୍ରାମ ପଞ୍ଚାୟତ ତରଫରୁ ଏତେଲା ମଧ୍ୟ ଦାଏର କରାଯାଇଛି । ହେଲେ କାହିଁକି ଧରାପଡୁ ନାହାନ୍ତି କୋବୁଲ ତାର ଚୋର ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କେବୁଲ ତାର ଚୋରୀ ଯୋଗୁଁ ଉକ୍ତ ଅଞ୍ଚଳ ଗୁଡିକର ଜନସାଧାରଣ ସପ୍ତାହ ବ୍ୟାପୀ ପାନୀୟ ଜଳ ପାଇ ପାରୁ ନାହାନ୍ତି । ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ଗୁଡିକ ତରଫରୁ ବାରମ୍ବାର କେବୁଲ ତାର କିଣି ଲଗାଯାଉଥିବା ବେଳେ ବାରମ୍ବାର ଚୋରୀ ହେଉଛି କେବୁଲ ତାର । ଚୋରମାନେ କେବୁଲତାର ଚୋରୀ କରି ସ୍ଥାନୀୟ କାବାଡିବାଲା ମାନଙ୍କ ପାଖରେ ବିକ୍ରୟ କରୁଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ପୋଲିସ୍ କାହିଁକି ଧରି ପାରୁନି ଚୋର ମାନଙ୍କୁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.