ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଗାଁର ବିକାଶ ମାନେ ପଂଚାୟତର ବିକାଶ । ଆଉ ପଂଚାୟତର ବିକାଶ ମାନେ ଗୋଟିଏ ବ୍ଳକ ତଥା ପଂଚାୟତ ସମିତିର ବିକାଶ । ତେବେ ପଂଚାତୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସରପଂଚ ଓ ସମିତି ସଭ୍ୟସଭ୍ୟାମାନେ ନିଜ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବା ପାଇଁ ଚେଷ୍ଠା କରୁଥିବା ବେଳେ ବ୍ଳକ ପ୍ରଶାସନିକ ଅଧିକାରୀମାନେ ଉଭୟ ଜନପ୍ରତିିନିଧିଙ୍କ ମଧ୍ୟରେ ଥିବା ସମନ୍ୱୟକୁ ନଷ୍ଟ କରି ଦୂରତା ବୃଦ୍ଧି କରିବାରେ ସହାୟକ ହେଉଛନ୍ତି ଏବଂ ବ୍ଳକ ପ୍ରଶାସନର ମନମୁଖୀ କାର୍ଯ୍ୟକ୍ରମ ପାଇଁ ଜନ ପ୍ରତିନିଧିମାନେ ନିଜ ଅଂଚଳରେ ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଇ ପାରୁନାହାନ୍ତି ବୋଲି ଆଜି ରାୟଗଡା ପଂଚାୟତ ସମିତି କାର୍ଯ୍ୟାଳୟର ସଦଭାବନା କକ୍ଷରେ ଅନୁଷ୍ଠିତ ସପ୍ତମ ତମ ପଂଚାୟତ ସମିତି ବୈଠକରେ ଅସନ୍ତୋଷ ପ୍ରକାଶ କରିବା ସହ ହୋହାଲ୍ଳା କରିଥିଲେ ପଂଚାୟତର ଜନ ପ୍ରତିନିଧିମାନେ ।
ତେବେ ରାୟଗଡା ପଂଚାୟତ ସମିତିର ସର୍ବାଙ୍ଗୀନ ଉନ୍ନତି ପାଇଁ ଜନ ପ୍ରତିନିଧିମାନଙ୍କ ସମସ୍ତ ପ୍ରସ୍ତାବ ତଥା ଆବଶ୍ୟକ ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ଦିଗରେ ବ୍ଳକ ପ୍ରଶାସନ କେବେ ବି ପାତର ଅନ୍ତର ନୀତି ଅବଲମ୍ବନ କରୁନାହିଁ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ନାରାୟଣ ସାବତ ପ୍ରକାଶ କରିଛନ୍ତି । ରାୟଗଡା ପଂଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକାଙ୍କ ନେତୃତ୍ୱରେ ଅନୁଷ୍ଠିତ ପଂଚାୟତ ସମିତି ବୈଠକରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ହର ପ୍ରସାଦ ହେପ୍ରୁୁକା, ବିଡିଓ ଲକ୍ଷ୍ମୀ ନାରାୟଣ ସାବତ, ଅତିରିକ୍ତ ବିଡିଓ କାଳୁଚରଣ ଲେଙ୍କା, ସହକାରୀ ନିର୍ବାହୀ ଯନ୍ତ୍ରୀ ଏ.ସନମୁଖା ପାତ୍ର, କୋରାପୁଟ ଲୋକସଭା ସାଂସଦ ପ୍ରତିନିଧି ଏସ.ଜିଭିତେଶ୍ୱର ରାଓଙ୍କ ସମେତ ଜିଲ୍ଳା ପରିଷଦ ସଭ୍ୟ ପ୍ରଶାନ୍ତ କୁଲେସିକା, ସନ୍ଧ୍ୟାରାଣୀ ପୁଲାକା ଓ ପଦ୍ମାବତି ମାଣ୍ଡାଙ୍ଗି ପ୍ରମୁଖ ମଂଚାସୀନ ହୋଇଥିଲେ ।
ନିର୍ବାଚିତ ପ୍ରତିନିଧିମାନେ ଅଧିକ କ୍ରିୟାଶୀଳ ହୋଇ ଜନ ସାଧାରଣଙ୍କ ଆବଶ୍ୟକତାକୁ ଭିତି କରି ପ୍ରକଳ୍ପ ଚୟନ ସହ ଯେପରି ସରକାରଙ୍କ ସମସ୍ତ ଯୋଜନାର ସୁଫଳ ଲୋକାଭିମୁଖୀ ହେବ ସେଥିପ୍ରତି ଯତ୍ନଶୀଳ ହେବାକୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମୁଦୁଲି ପରାମର୍ଶ ଦେଇଥିଲେ । ବୈଠକରେ ବ୍ଳକ ପ୍ରଶାସନ ପକ୍ଷରୁ କୈାଣସି ପ୍ରକାର କାର୍ଯ୍ୟକ୍ରମକୁ ନେଇ ଜନ ପ୍ରତିନିଧିମାନଙ୍କୁ ସୂଚନା ଦିଆଯାଉ ନ ଥିବା ଏବଂ ଜନ ପ୍ରତିନିଧିମାନଙ୍କ ପ୍ରସ୍ତାବକୁ ଅଣଦେଖା କରି ପରବର୍ତୀ ସମୟରେ ବ୍ଳକ ପ୍ରଶାସନ ନିଜ ଇଚ୍ଛା ମୁତାବକ ପ୍ରକଳ୍ପକୁ ସ୍ଥାନ ଦେଉଥିବା ଅଭିଯୋଗ କରିଥିଲେ ନାକଟି ଗ୍ରାମ ପଂଚାୟତ ସମିତି ସଭ୍ୟ ଭୂଷଣ ବିଡିକା । ସେହିପରି ମୀରାବାଲି, ବଡ ଆଲୁବାଡି, ବୈରାଗୀ ହାଲୁଆ ସରଂପଚମାନେ ମଧ୍ୟ ଅନୁରୂପ ଅଭିଯୋଗ ସହ ସ୍ୱାସ୍ଥ୍ୟ ସେବା ଓ ପାନୀୟ ଜଳ ସମସ୍ୟା ଉପରେ ଅଭିଯୋଗ ଆଣିଥିବା ବେଳେ ଉପାଧ୍ୟକ୍ଷ ହରପ୍ରାସଦ ହେପ୍ରୁକା ଆଗାମୀ ଦିନରେ ଏଭଳି ସମସ୍ୟାଗୁଡିକର ତ୍ୱରିତ ସମାଧାନ ଏବଂ ଜନ ପ୍ରତିନିଧିମାନଙ୍କ ପକ୍ଷରୁ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ ଯେପରି ଅଭିଯୋଗ ନ ଆସେ ସେଥିପାଇଁ ବ୍ଳକ ପ୍ରଶାସନିକ ଅଧିକାରୀଙ୍କୁ ତାଗିଦ କରିଥିଲେ । ଘରବାରି ପଟ୍ଟା ନ ଥିବାରୁ ଆବାସ ଯୋଜନାରେ ୧୫୪୦ଜଣ ହିତାଧିକାରୀଙ୍କ ପ୍ରଥମ କିସ୍ତି ପ୍ରଦାନ କରାଯାଇ ନ ଥିବା ନେଇ ଏବିଡିଓ ଶ୍ରୀ ନାୟକ ବୈଠକରେ ସୂଚନା ଦେଇଥିବା ବେଳେ ତହସିଲଦାର କାହିଁକି ଘରବାରି ପଟ୍ଟା ଯୋଗାଇବାରେ ବିଳମ୍ବ କରୁଛନ୍ତି ବୋଲି ସାଂସଦ ପ୍ରତିନିଧି ଶ୍ରୀ ରାଓ ପ୍ରଶ୍ନ କରିଥିଲେ । ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଅଧିକାରୀମାନେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ହେଉ ନ ଥିବାରୁ ପଂଚାୟତବାସୀମାନେ ଚିକିତ୍ସା ସେବାରୁ ବଂଚିତ ହେଉଥିବା ଅଭିଯୋଗ ବୈଠକରେ ଶୁଣିବାକୁ ମିଳିଥିଲା ।
ବୈଠକ ପ୍ରାରମ୍ଭରେ ଜିପିଓ ଗୋପାଳ ପଣ୍ଡା ପୂର୍ବ ବୈଠକର ବିବରଣୀ ପାଠ କରିଥିିବା ବେଳେ ରାୟଗଡା ବ୍ଳକର ୨୮ ଗୋଟି ପଂଚାୟତରେ ପାନୀୟ ଜଳ ଓ ପରିମଳ, ଆବାସ ଯୋଜନା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି,ସାମାଜିକ ସୁରକ୍ଷା, ପ୍ରାଣୀଧନ, ମହିଳା ଓ ଶିଶୁ ବିକାଶ, ସାଧାରଣ ବଂଟନ, ଉଠା ଜଳସେଚନ, ଶ୍ରମିକ କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ, ଉଦ୍ୟାନ, ଜଳଛାୟା, ଜଙ୍ଗଲ, ମତ୍ସ୍ୟ, କ୍ଷୁଦ୍ର ଜଳ ସେଚନ, ବିଜୁଳି, ଉନ୍ନୟନ, ଓଡିଶା ଜୀବିକା ମିଶନ ଭଳି ବିଭାଗର ଉନ୍ନୟନମୂଳକ କାର୍ଯ୍ୟଗୁଡିକ ଉପରେ ବିସ୍ୃତ ଭାବେ ଆଲୋଚନା କରାଯାଇଥିଲା । ସେହିପରି ପଂଚାୟତ ଗୁଡିକରେ ସରକାରଙ୍କ ନୂତନ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ବିକାଶମୂଳକ କାର୍ଯ୍ୟକୁ ସ୍ଥାନ ଦିଆଯିବା ସହ ମୋ ଘର ଭଳି ଯୋଜନାରେ ଅଧିକରୁ ଅଧିକ ଯୋଗ୍ୟ ହିତାଧିକାରୀ ଯେପରି ଉପକୃତ ହୋଇପାରିବେ ସେ ନେଇ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଗ୍ରାମ ପଂଚାତୟର ସରପଂଚ, ସମିତି ସଭ୍ୟସଭ୍ୟା, ବିଭାଗୀୟ କର୍ମକର୍ତାମାନେ ଉପସ୍ଥିତ ରହିଥିଲେ ।