ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): କୃଷ୍ଣଗର୍ତ୍ତ ଓ ମହାକର୍ଷଣୀୟ ତରଙ୍ଗ ସମ୍ୱନ୍ଧରେ ଆମେରିକାର ଫ୍ଲୋରିଡା ବିଶ୍ବବିଦ୍ୟାଳୟରେ ଉଚ୍ଚକୋଟୀର ଗବେଷଣା କରି ଓଡ଼ିଶାର ତନ୍ମୟ ମିଶ୍ର ପି.ଏଚ.ଡି ଲାଭ କରିଛନ୍ତି। ଭୁବନେଶ୍ୱର ‘ନାଇଜର’ରେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ ପରେ ସେ ଫ୍ଲୋରିଡାରେ ଗତ ଛ’ ବର୍ଷ ଧରି ଗବେଷଣା ଜାରି ରଖିଥିଲେ। ତାଙ୍କ ସନ୍ଦର୍ଭରେ ଉପସ୍ଥାପିତ ମହାକର୍ଷଣୀୟ ତରଙ୍ଗ ଚିହ୍ନଟ ଓ ଅନୁସନ୍ଧାନ ନିମିତ୍ତ ଏମ୍ଏଲ୍.(M.L.) ପ୍ରୟୋଗର ଉନ୍ନୀତ ଅନୁକଳନା (ଆଲଗୋରିଦମ) ଏକ ନୂତନ ଦିଗ ଉନ୍ମୋଚିତ କରିଛି। ତାଙ୍କ ସନ୍ଦର୍ଭଟି ପ୍ରଫେସର ସର୍ଗେ କ୍ଲିମାନକୋଙ୍କ ଦିଗଦର୍ଶନ ସହ ପ୍ରସ୍ତୁତ ହୋଇଛି। ଆନ୍ତର୍ଜାତୀୟ ଗବେଷଣା ସଂସ୍ଥା ଲାଇଗୋ(LIGO)ର ସଦସ୍ୟ ଭାବେ ତନ୍ମୟଙ୍କ ଅବଦାନ ଉଲ୍ଲେଖନୀୟ। ତନ୍ମୟ ମିଶ୍ର ପୁରୀ ନିବାସୀ ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ତଥା କବି ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଓ ରୋଟାରିଆନ୍ ଶ୍ରୀମତୀ ସୁଷମା ମିଶ୍ରଙ୍କ ଦ୍ଵିତୀୟ ପୁତ୍ର । ତନ୍ମୟଙ୍କ ଜେଜେବାପା ବୀରପ୍ରତାପପୁରର ଶ୍ରୀ ଦିବାକର ମିଶ୍ର ଓ ଅଜା ବଲାଙ୍ଗୀରର ପ୍ରଫେସର ମଧୁସୂଦନ ପତି ଉଭୟ ସାରସ୍ଵତ ସାଧକ। ତନ୍ମୟଙ୍କ ଏ ସଫଳତା ଓଡିଶା ପାଇଁ ଗୌରବ ଆଣିଦେଇଛି।