ଫକୀରମୋହନ ବିଶ୍ବବିଦ୍ୟାଳୟ ପକ୍ଷରୁ ଫକୀରମୋହନ ଜାତୀୟ ପୁରସ୍କାର ୨୦୨୩ ଘୋଷିତ

• ପାଇବେ ହିନ୍ଦୀ ଲେଖିକା ଅଳକା ସରାଗୀ

•’ବ୍ୟାସଗୌରବ ସମ୍ମାନ’ ପାଇବେ କଥାକାର ଗୌରହରି ଦାସ ଏବଂ ଶିକ୍ଷାବିତ୍ ପ୍ରଫେସର ସୁଦର୍ଶନ ନନ୍ଦ

• ସଞ୍ଜୟ ପଣ୍ଡା ପାଇବେ ଫକୀରମୋହନ ଯୁବଗାଳ୍ପିକ ପୁରସ୍କାର

• ବିଶ୍ବବିଦ୍ୟାଳୟ ୨୫ତମ ପ୍ରତିଷ୍ଠା ଦିବସରେ ଦିଆଯିବ ପୁରସ୍କାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ପ୍ରସିଦ୍ଧ ଭାରତୀୟ ହିନ୍ଦୀ ଲେଖିକା ଅଳକା ସରାଗୀଙ୍କୁ ୨୦୨୩ ବର୍ଷ ପାଇଁ ଫକୀରମୋହନ ଜାତୀୟ ପୁରସ୍କାର ପ୍ରଦାନ କରାଯିବ ବୋଲି ଆଜି ଫକୀରମୋହନ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଘୋଷଣା କରାଯାଇଛି। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଆସନ୍ତା ଜୁଲାଇ ୧୧ ତାରିଖରେ ବିଶ୍ବବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଲେଖିକା ସରାଗୀଙ୍କୁ ତାଙ୍କ କଥା ସାହିତ୍ୟ ପାଇଁ ଏହି ସାରସ୍ବତ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ଲେଖିକା ଅଳକା ସରାଗୀଙ୍କର ପ୍ରଥମ ଉପନ୍ୟାସ ‘କଲିକଥା ଭାୟା ବାଇପାସ୍‌’ ପାଇଁ ସେ ୨୦୦୧ରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି । ତାଙ୍କର ଉଲ୍ଲେଖନୀୟ କୃତିଗୁଡିକ ମଧ୍ୟରୁ ‘କାହାଣୀ କି ତଲାସ୍ ମେଁ’, ‘ଶେଷ କାଦମ୍ବରୀ’, ‘କୋଇବାତ୍ ନେହିଁ’,

‘କୁଲଭୁଷଣ କା ନାମ୍ ଦର୍ଜ କିଜିଏ’, ‘ଜାନକିଦାସ୍ ତେଜପାଲ୍ ମେନ୍‌ସନ୍’ ଆଦି ଅନ୍ୟତମ ଅଟେ। ପୂର୍ବରୁ
ବିଶ୍ବବିଦ୍ୟାଳୟ ତରଫରୁ ଭାରତୀୟ ସାହିତ୍ୟିକ ୟୁ.ଆର୍ ଅନନ୍ତମୂର୍ତ୍ତି ଓ ପେରୁମାଲ ମୁରୁଗାନ୍‌ଙ୍କୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ସ୍ଵରୂପ ଏକ ଲକ୍ଷ ଏକ ଟଙ୍କାର ନଗଦ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇଥାଏ। ଫକୀରମୋହନଙ୍କ ନାମରେ ନାମିତ ଏହି ପୁରସ୍କାର କଥା ସାହିତ୍ୟ ପାଇଁ ପ୍ରଦାନ କରାଯାଇ ଆସୁଛି।

ସେହିପରି ଚଳିତ ବର୍ଷ ବିଶିଷ୍ଟ ଓଡିଆ କଥାକାର ଗୌରହରି ଦାସ ଏବଂ ବିଶିଷ୍ଟ ଶିକ୍ଷାବିତ୍ ସୁଦର୍ଶନ ନନ୍ଦଙ୍କୁ ବିଶ୍ବବିଦ୍ୟାଳୟ ତରଫରୁ ବ୍ୟାସଗୌରବ ସମ୍ମାନ ପ୍ରଦାନ କରାଯିବ ବୋଲି କୁହାଯାଇଛି। ପ୍ରତିବର୍ଷ ପ୍ରତିଷ୍ଠା ଦିବସରେ ଭଦ୍ରକ ଓ ବାଲେଶ୍ବରର ଦୁଇଜଣ କୃତି ସନ୍ତାନଙ୍କୁ ବ୍ୟାସଗୌରବ ସମ୍ମାନ ପ୍ରଦାନ କରାଯାଇଥାଏ । ଗୌରହରି ଦାସ ଓଡ଼ିଆ କଥାସାହିତ୍ୟ କ୍ଷେତ୍ରରେ ଅତ୍ୟନ୍ତ ସୁପରିଚିତ । ପଚାଶରୁ ଊର୍ଦ୍ଧ୍ବ ପୁସ୍ତକର ସ୍ରଷ୍ଟା ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ପୁରସ୍କାର, ଓଡିଶା ସହିତ୍ୟ ଏକାଡେମୀ ପୁରସ୍କାର ପରି ଅନେକ ସାରସ୍ବତ ସ୍ବୀକୃତି ପ୍ରାପ୍ତ ହୋଇଛନ୍ତି । ସେହିପରି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସୁଦର୍ଶନ ନନ୍ଦଙ୍କୁ ମଧ୍ୟ ବ୍ୟାସଗୌରବ ସମ୍ମାନ ପ୍ରଦାନ କରାଯିବ । ସେ ଆଇ.ଆଇ.ଟି ଖଡଗପୁରରେ ଗଣିତ ବିଭାଗର ପ୍ରଫେସର ଭାବରେ କାର୍ଯ୍ୟକରିବା ସହିତ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର କୁଳପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କ ଦ୍ବାରା ରଚିତ ଦୁଇଶହରୁ ଅଧିକ ଗବେଷଣା ନିବନ୍ଧ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରକାଶିତ ହୋଇଛି । ଉଭୟଙ୍କୁ ବ୍ୟାସଗୌରବ ସମ୍ମାନ ଅବକାଶରେ ମାନପତ୍ର ଓ ପଚିଶ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ ।

ଚଳିତ ବର୍ଷ ‘ଫକୀରମୋହନ ଯୁବ ଗାଳ୍ପିକ ପୁରସ୍କାର’ (ଗାଳ୍ପିକା କବିତା ବାରିକ ପ୍ରଦତ୍ତ) ପାଇବେ ଯୁବଗାଳ୍ପିକ ସଞ୍ଜୟ ପଣ୍ଡା । ଗଳ୍ପ ସଂକଳନ ‘ହୁ ବାଇଆ’, ‘ତକିଆ’ ହେଉଛି ତାଙ୍କର ଗଳ୍ପଗ୍ରନ୍ଥ । ୩୫ ବର୍ଷରୁ କମ୍ ବୟସର ଯୁବ ଲେଖକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ପୁରସ୍କାର ବାବଦରେ ଶ୍ରୀ ପଣ୍ଡାଙ୍କୁ ପାଂଚହଜାର ନଗଦ ଅର୍ଥରାଶି ଓ ମାନପତ୍ରପ୍ରଦାନ କରାଯିବ । ସେହିପରି ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟ ଓ ଫକୀରମୋହନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଶ୍ରେଷ୍ଠ ଗଳ୍ପକୁ “ମନୋଜ ନବପ୍ରତିଭା କଥା ପୁରସ୍କାର” ପ୍ରଦାନ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.