ବାବା ମିଶ୍ରଙ୍କ ଉପରେ ଗର୍ଜିଲେ କନ୍ଧ ସମାଜ କାର୍ଯ୍ୟକର୍ତ୍ତା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ‘ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜ୍‌ ଏବଂ ହସ୍ପିଟାଲ’ ନାଁକୁ ବିରୋଧ କରି ଡ. ବାବା ମିଶ୍ର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଉଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି। ଆବେଦନକାରୀ ଡ଼. ମିଶ୍ର ପିଟିସନରେ ଦର୍ଶାଇଥିଲେ ଯେ, ରେଣ୍ଡୋ ମାଝୀ ଜଣେ ସ୍ବାଧୀନତା ସଂଗ୍ରାମୀ ନୁହଁନ୍ତି। ସ୍ବାଧୀନତା ଆନ୍ଦୋଳନ ପାଇଁ ସେ ଜେଲ୍ ଯାଇନାହାନ୍ତି। ତେଣୁ ତାଙ୍କ ନାଁରେ ଏହି ମେଡିକାଲ କଲେଜ୍ ନାଁ ରହିବା ଉଚିତ୍ ନୁହେଁ। ଏହି ଘଟଣା ପରେ ଡ. ବାବା ମିଶ୍ରଙ୍କୁ ତୀବ୍ର ବିରୋଧ କରିଛି କନ୍ଧ ସମାଜ, ଆଦିବାସୀ ସଂଘ ଓ କନ୍ଧ ସଂସ୍କୃତି ସୁରକ୍ଷା ସମିତି ନର୍ଲା ଶାଖା। କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନକୀଙ୍କ ଆବାହକତ୍ବରେ ଆଦିବାସୀ ସଂଘ ନର୍ଲା ବ୍ଲକ ସଭାପତି ହରିଶଙ୍କର ମାଝୀ, ଆଦି ସ୍କନ୍ଦ ସମାଜ ସଭାପତି ସୁରେଶ କୁମାର ଭୋଇ, ଦେବରାଜ ପାଟମାଝୀ, ଦୂର୍ଯ୍ୟୋଧନ ମାଝୀ, ଅମର ସିଂ ମାଝୀ, ଘନଶ୍ୟାମ ମାଝୀ, କ୍ଷିତିଶ ଚନ୍ଦ୍ର ମାଝୀ, ଶାନ୍ତି ମାଝୀ, ଭାନପୁର ସରପଞ୍ଚ ଅନନ୍ତ ରାମ ମାଝୀଙ୍କ ସମେତ ବୈଦ୍ୟରାଜ ପବିତ୍ର ଶବର, ରୁକଧର ଶବର, ନିରାକାର ପାତ୍ର ପ୍ରମୁଖ ଡ଼. ବାବା ମିଶ୍ରଙ୍କ ଆଦିବାସୀ ବିରୋଧୀ କାର୍ଯ୍ୟକୁ ଘୋର ବିରୋଧ କରିଛନ୍ତି। ଆଦିବାସୀ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ସୂଚନା ଦିଆଯାଇଛି ଯେ, କଳାହାଣ୍ଡିରେ ବିଟ୍ରିସ ବିରୋଧରେ କନ୍ଧମାନେ ତିନୋଟି ମେଳି କରିଥିଲେ। ସେସବୁ ହେଲା ୧) ହରିଡା ମେଳି, ୨) କନ୍ଧ ମେଳି (ଅସୁରଗଡ) ଓ ୩) ଉର୍ଲାଦାନି କନ୍ଧ ସର୍ଦ୍ଦାର ରେଣ୍ଡୋ ମାଝୀଙ୍କ କନ୍ଧ ମେଳି। ୧୮୮୩ ରୁ ୧୮୫୫ ପର୍ଯ୍ୟନ୍ତ ବୋରକିଆ କନ୍ଧମାନଙ୍କୁ ସଂଗଠିତ କରି ରେଣ୍ଡୋ ମାଝୀ ବିଟ୍ରିସ ସରକାରଙ୍କ ବିରୁଦ୍ଧରେ ଲଢେଇ କରିଥିଲେ। ପରିଶେଷରେ ୧୮୫୫ ମସିହା ଡିସେମ୍ବର ୧୦ ତାରିଖରେ ମ୍ୟାକଲେନ ସାହେବଙ୍କ ଗୁଳିରେ ସହିଦ୍ ହୋଇଥିଲେ ରେଣ୍ଡୋ ମାଝୀ। ସରକାର ରେଣ୍ଡୋ ମାଝୀଙ୍କୁ ସହିଦର ସମ୍ମାନ ପ୍ରଦାନ କରି ତାଙ୍କ ସ୍ମୃତିରେ ଉର୍ଲାଦାନି ଠାରେ ପ୍ରତିମୂର୍ତ୍ତି ନିର୍ମାଣ କରିବା, ଓଡ଼ିଶା ସରକାର ଭବାନୀପାଟଣାର ମେଡ଼ିକାଲ କଲେଜକୁ ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜ ନାମରେ ନାମିତ କରିବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଣ୍ଡୋ ମାଝୀଙ୍କ ବଂଶଧର ମାନଙ୍କୁ ସମ୍ବର୍ଦ୍ଧିତ କରିବା ଆଦି ଅନେକ ଉଦାହରଣ ରହିଛି। ରେଣ୍ଡୋ ମାଝୀଙ୍କୁ ନେଇ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଗର୍ବ କରୁଥିବାବେଳେ ଇତିହାସ ବିଭାଗର ପ୍ରାଧ୍ୟାପକ ହୋଇ ମଧ୍ୟ ଡ଼. ବାବା ମିଶ୍ର ତାଙ୍କୁ ସ୍ବାଧିନତା ସଂଗ୍ରାମୀ ନୁହନ୍ତି ବୋଲି କହିବା, ରେଣ୍ଡୋ ମାଝୀଙ୍କ ନାମରେ ନାମିତ ମେଡିକାଲ କଲେଜ ନାଁ କୁ ବିରୋଧ କରିବାକୁ ନେଇ ହୀନ ମାନସିକତା ବୋଲି କହିଛନ୍ତି ଆଦିବାସୀ ସଂସ୍କୃତି ସୁରକ୍ଷା ସମିତି ଓ କନ୍ଧ ସମାଜର କାର୍ଯ୍ୟକର୍ତ୍ତା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.