ରାୟଗଡାରେ ଢ଼ାବା କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାରେ ଜଣେ ଢ଼ାବା କର୍ମଚାରୀଙ୍କୁ ହତ୍ୟା କରାଯାଇଛି । ଗତକାଲି ବୁଧବାର ବିଳମ୍ବିତ ରାତ୍ରରେ ସହରର ସାଇପ୍ରିୟା ନଗର ଦଶମ ଲାଇନ ମୁଖ୍ୟ ରାସ୍ତା ଉପରେୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ । ମୃତ ଢ଼ାବା କର୍ମଚାରୀ ଜଣକ ହେଲେ ୩୨ ବର୍ଷିୟ ବିନୟ ପାଲ । ସେ ରାୟଗଡା ସହରର ତୁମ୍ବିଗୁଡା ନିକଟରେ ନିଜ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ରହି ଆସୁଥିବା ବେଳେ ତାଙ୍କ ନିଜ ଘର ଗୁଣପୁର ଥାନା ଅନ୍ତର୍ଗତ ଭୀମାପୁରରେ ବୋଲି ଜଣାପଡିଛି । ଆଜି ସକାଳେ ଶବ ବ୍ୟବଚ୍ଛେଦ ପାଇଁ ମୃତ ବିନୟଙ୍କ ମୃତ ଦେହକୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବା ସହ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି ଚାନ୍ଦିଲି ଥାନା ପୋଲିସ । ତେବେ ମୃତ ଯୁବକ ବିନୟର ମୁଣ୍ଡ ପଛରେ ଗଭୀର କ୍ଷତ ଥିବାରୁ ପ୍ରାଥମିକ ତଦନ୍ତରୁ ଏହା ଝଗଡାକୁ ନେଇ ହତ୍ୟା ହୋଇଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି । ରାୟଗଡା ସହରରେ ତୁମ୍ବିଗୁଡା ଛକ ନିକଟରେ ଥିବା ଏମ. ଜି .ଢାବାରେ ବିନୟ କାମ କରି ପ୍ରତିଦିନ ଭଳି ନିଜ ଘରକୁ ରାତ୍ର ସାଢେ ୧୦ଟା ସମୟରେ ପଂହଚୁଥିବା ବେଳେ ଗତକାଲି ରାତ୍ରରେ ସେ ଘରକୁ ଫେରି ନ ଥିବାରୁ ଚିନ୍ତାରେ ପଡିଥିଲେ ପରିବାର ଲୋକେ । ପରେ ବିନୟଙ୍କ ଶାଳକ ରାତ୍ରରେ ଢାବାକୁ ଯାଇ ପଚାରି ବୁଝିଥିବା ବେଳେ ବିନୟ ଘରକୁ ଚାଲି ଯାଇଥିବା ଢାବା କର୍ମଚାରୀମାନେ ପ୍ରକାଶ କରିଥିଲେ । ତେବେ ବିଳମ୍ବିତ ରାତ୍ରରେ ମଧ୍ୟ ବିନୟ ଘରକୁ ନ ଫେରିବାରୁ ଶାଳକଙ୍କ ସହ ଅନ୍ୟ ସଂପର୍କୀୟମାନେ ରାତ୍ରରେ ରେଳବାଇ ଷ୍ଟେସନ, କସ୍ତୁରୀ ନଗର ସହ ସାଇପ୍ରିୟା ନଗରରେ ଖୋଜାଖୋଜି କରୁଥିବା ବେଳେ ସାଇପ୍ରିୟା ନଗର ଦଶମ ଲାଇନରେ ଥିବା କୁକୁଡା ଫାର୍ମ ନିକଟ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିନୟଙ୍କ ମୃୃତ ଦେହ ପଡିଥିବା ଦେଖି ତୁରନ୍ତ ରାୟଗଡା ଥାନା ପୋଲିସକୁ ସୂଚନା ଦେଇଥିଲେ । ରାୟଗଡା ଥାନା ପୋଲିସ ଘଟଣା ସ୍ଥଳରେ ପଂହଚିଥିବା ବେଳେ ଉକ୍ତ ଅଂଚଳଟି ଚାନ୍ଦିଲି ଥାନା ଅଧିନରେ ଥିବାରୁ ଚାନ୍ଦିଲି ଥାନା ପୋଲିସ ପଂହଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ସ୍ଥାନୀୟ ଅଂଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରିବା ସହ ହତ୍ୟା ପଛର ପ୍ରକୃତ ରହସ୍ୟକୁ ପଦାକୁ ଆଣିବା ପାଇଁ ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିବାକୁ ଯାଉଥିବା ବେଳେ ବର୍ତ୍ତମାନ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ | ଘଟଣା ସ୍ଥଳରେ ସାଇଂଟିଫିକ୍ ଏବଂ ଡଗ୍ ସ୍କାର୍ଡ ଟିମ୍ ମଧ୍ୟ ପଂହଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.