ମିଳୁନି ବିହନ : ହତାଶ ଚାଷୀ

ସୋନପୁର, ୨୯/୬ : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଚାଷୀ ବିହନ ନପାଇ ଚଢାଦରରେ କ୍ରୟ କରୁଥିବା ଅଭିଯୋଗ ହେଉଛି । ଅନ୍ୟପଟେ ମୌସୁମି ବର୍ଷାର ଲୁଚକାଳି ଯୋଗୁଁ କାଳବୈଶାଖୀ ବର୍ଷାରେ ବୁଣିଥିବା ଧାନ ବିହନ ଗଜାମାରି ଶୁଖି pଯାଉଥିବା ଦେଖିବାକୁ ମିଳିଛି । ଫଳରେ ଚାଷୀକୁ ଏବେ ଆବଶ୍ୟକ ପରିମାଣଠୁ ଅଧିକ ବିହନ ଦରକାର ଥିବାବେଳେ ଅଧିକାରୀଙ୍କ ଉଦାସୀନତା ଚାଷଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବ୍ଲକରେ ଚଳିତ ଖରିଫ ଋତୁରେ ୨୨୬୫୦ ହେକ୍ଟର ଜମିରେ ଚାଷକାର୍ଯ୍ୟ କରିବା ନେଇ କୃଷିବିଭାଗ ତରଫରୁ ଆକଳନ କରାଯାଇଥିବା ବେଳେ ତନ୍ମଧ୍ୟରୁ ୧୬୯୯୦ ହେକ୍ଟର ଜମିରେ ଧାନଚାଷ କରାଯିବାର ସ୍ଥିର ହୋଇଛି ।

ଏଥିାଇଁ ସମୁଦାୟ ୭୭୦୦ କ୍ୱିଣ୍ଟାଲ ଧାନ ବିହନ ଆବଶ୍ୟକତା ଥିବା ବେଳେ ବୁଧବାର ପର୍ଯ୍ୟନ୍ତ ମାତ୍ର ୧୫୬୭ କ୍ୱିଣ୍ଟାଲ ଧାନ ବିହନ ସରକାରୀ ଭାବେ ଯୋଗାଇ ଦିଆଯାଇଛି । ତେବେ ଓଏସ୍‍ଏସ୍‍ସି ଜୋନାଲ ମ୍ୟାନେଜର କମଳାକାନ୍ତ କଟାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଗଣପତି ସିଡ୍ସ ୩୫୦, ପର୍ଡିଆ ସିଡ୍ସ ୨୨୪, ପଞ୍ଚଜନ୍ୟ ଗ୍ରୁଫ ସିଡ୍ସ ୪୯୧, ଜୟ ବଜରଙ୍ଗବଳି ସିଡ୍ସ ୧୩୦, ଦାଶରଥ ମହାକୁର ସିଡ୍ସ ୨୨୫ ଏବଂ ଗୌରୀଶଙ୍କର ପାଣ୍ଡିଆ ସିଡ୍ସ ୪୦ କ୍ୱିଣ୍ଟାଲ ଧାନ ବିହନ ଆଣିଛନ୍ତି । ସେହିରି ମହଦା ପିଏସିଏସ ୧୦୭ କ୍ୱିଣ୍ଟାଲ ବିହନ ଆଣିଥିବା ଜଣାଯାଇଛି । ତେବେ ବ୍ଲକରେ ଥିବା ପଞ୍ଚମହଲା, ନିମ୍ନା, ବିଶିଡା, ଉଲୁଣ୍ଡା, ଚଡେଇପଙ୍କ, କୋଟସମଲାଇ, ଏସ. ପତ୍ରାପାଲି, ରକ୍ସା, କଳାପଥର ଏବଂ ଜାଲୋଏ ପ୍ରଭୃତି ପିଏସିଏସ ଚଳିତ ବର୍ଷ ଧାନ ବିହନ ବିକ୍ରି ପାଇଁ ଆଣିନାହାଁନ୍ତି । ଅନ୍ୟପଟେ ଏହିସବୁ ପିଏସିଏସ ପ୍ରତି ଜିଲା ପ୍ରଶାସନର ଲଗାମ ନଥିବାରୁ ଏହା ଉପରେ ଭରସା ରଖି ଚାଷ କରୁଥିବା ଚାଷୀଙ୍କ ସମସ୍ୟା ଦ୍ୱିଗୁଣିତ ହେଉଛି ।

ତେବେ ନିର୍ଦ୍ଧାରିତ ସମୟ ଭିତରେ ବ୍ୟାଙ୍କ ଡ୍ରାଫଟ ଦାଖଲ ହୋଇନଥିବାରୁ ଏହିସବୁ ପିଏସିଏସକୁ ବିହନ ଦିଆଯାଇନଥିବା ଜଣାପଡିଛି । ଅନ୍ୟପଟେ ଅଣସ୍ୱୀକୃତି ପ୍ରାପ୍ତ ବିହନ ବେପାରୀ ପ୍ୟାକେଟ ପ୍ରତି ୬୦୦ ରୁ ୭୦୦ ଟଙ୍କା ନେଉଥିବା ବେଳେ କୌଣସି ପ୍ରକାର ଧରପଗଡ ହେଉନଥିବାରୁ ଏହା ଅସାଧୁ ବେପାରୀଙ୍କୁ ବେଶ ସୁହାଉଛି । ତେବେ ଏଥ୍ରିତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଚାଷିଙ୍କ ସମସ୍ୟା ଦୂର କରିବାକୁ ଦାବି ହେଉଛି ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.