ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ହାଇଦ୍ରାବାଦରୁ ସିନାପାଲି ଆସୁଥିବା ଏକ ଘରୋଇ ବସର ହେଲପର ମଙ୍ଗଳବାର ବସରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଯାତ୍ରୀମାନେ ଆମପାଣିଠାରେ ବସକୁ ଅଟକ ରଖି ହୋ ହାଲ୍ଲା କରିବା ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ଦେଇଥିଲା। ସୂଚନା ଅନୁଯାୟୀ ଜୟପାଟଣା ବ୍ଳକ ଚାଚିଗୁଡା ଗ୍ରାମର ନିରଞ୍ଜନ ସୁନାନୀ ତାଙ୍କ ଝିଅ ଓ ସ୍ତ୍ରୀ ସହ ହାଇଦ୍ରାବାଦରୁ ଆଜି ଗୁପ୍ତା ନାମକ ଘରୋଇ ବସ ଯୋଗେ ନିଜ ଗାଁକୁ ଫେରୁଥିଲେ। ତେବେ ବସ ହେଲପରଙ୍କ ସହିତ ସିଟ୍ ଦିଆନିଆ କଥାକୁ ନେଇ ବଚସା ହେଇଥିଲା। ହେଲପର ଜଣକ ରାଗିଯାଇ ବସିଲେ ବସ ନହେଲେ ଭାଗ କହି ବିଭିନ୍ନ ଅଶ୍ଲୀଳ ଭାଷା ପ୍ରୟୋଗ କରି ତାଙ୍କୁ ମାଡ଼ ମାରିଥିବା ଯାତ୍ରୀ ନିରଞ୍ଜନ ସୁନାନୀ ଅଭିଯୋଗ କରିଛନ୍ତି। ଏ ଘଟଣାକୁ ନେଇ ଗୁପ୍ତା ବସ ଆମପାଣି ପହଞ୍ଚିବା ପରେ ୨୬ ନମ୍ବର ଜାତୀୟ ରାଜପଥର ଆମପାଣି ମୂଖ୍ୟ ଛକରେ ଯାତ୍ରୀଙ୍କ ପରିଜନ ଏବଂ ଆମପାଣି ଗ୍ରାମର ଅନେକ ଲୋକ ସେଠାରେ ପହଞ୍ଚି ବସକୁ ଅଟକ ରଖି କଣ୍ଡକ୍ଟରକୁ ଘେରାଉ କରିଥିଲେ। ଦିର୍ଘ ତିନି ଘଣ୍ଟା ଧରି ବସକୁ ସେଠାରେ ଅଟକ ରଖିଥିଲେ ଲୋକେ। ଏବଂ ହୋ ହାଲ୍ଲା ହେବା ସହ ଉତ୍ତେଜନା ମୂଳକ ପରିସ୍ଥିତି ଦେଖା ଦେଇଥିଲା। ପରେ ଅନେକ ବୁଝା ସୁଝା କରିବା ପରେ ବସଟିକୁ ଲୋକେ ଛାଡ଼ିଥିବା ଜଣାପଡିଛି। ଏବଂ ଆଗକୁ ଏଭଳି ଯାତ୍ରୀଙ୍କ ସହ ଅଘଟଣ ନ ଘଟୁ ସେଥିପ୍ରତି ଧ୍ୟାନ ଦେବାକୁ ଯାତ୍ରୀମାନେ ବସ କଣ୍ଡକ୍ଟରକୁ ଚେତାବନୀ ଦେଇଛନ୍ତି। ସୂଚନା ଯେ’ ପୂର୍ବରୁ ମଧ୍ୟ ଏହି ବସର କର୍ମଚାରୀ ଜଣେ ଯାତ୍ରୀଙ୍କୁ ମାଡ଼ ମାରିଥିବା ଆମପାଣି ଥାନାରେ ଅଭିଯୋଗ ହୋଇଛି। ତେବେ ବାରମ୍ବାର ବସ କର୍ମଚାରୀଙ୍କ ଏଭଲି ଦବଙ୍ଗଗିରିକୁ ଲୋକେ ନାପସନ୍ଦ କରିବା ସହ ତିବ୍ର ନିନ୍ଦା କରିଛନ୍ତି।