୧୧ବାଇକ, ମୃତ ବରାହ, ଗୁଏ, ଗୁଞ୍ଛାମୂଷା ଓ ୨ ସାଇକେଲ ଜବତ, ୪ ଦିନ ପରେ ମଧ୍ୟ ବନ ବିଭାଗ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ
ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ରେଞ୍ଜ ଅଧିନସ୍ଥ କନ୍ଧକେଲଗାଁ ସେକ୍ସନରେ ବନପାଲ ଓ ବନ୍ୟଜନ୍ତୁ ଶିକାରୀଙ୍କ ମଧୁଚନ୍ଦ୍ରିକାରେ ଜଙ୍ଗଲର ବନ୍ୟଜନ୍ତୁ ଅବାଧର ଶିକାର ହେଉଥିବା ଅଭିଯୋଗ ହେଉଛି। ଏ ନେଇ ଗତ ୧ ତାରିଖ ଦିନ ଶିକାରୀମାନେ ଜଙ୍ଗଲକୁ ପଶିଥିବା ନେଇ ବନ ବିଭାଗ ଖବର ପାଇଁ ଚଢ଼ାଉ କରିଥିଲା। ଏଥିରେ ଶିକାରୀମାନେ ଚମ୍ପଟ ମାରି ଫେରାର ହୋଇଥିବା ବେଳେ ବନ ବିଭାଗ ମୃତ ବରାହ, ଗୋଧି (ଗୁଏ), ଗୁଞ୍ଛାମୂଷା ୨ ଗୋଟି, ୧୧ ଟି ବାଇକ, ୨ ଟି ସାଇକେଲକୁ ଜବତ କରି ସଇଁତଲା ରେଞ୍ଜକୁ ଆଣିଥିଲା। ଏଥିରେ ବନ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ମୃତ ବରାହ ଅନ୍ୟ ବନ୍ୟଜନ୍ତୁମାନଙ୍କ ଶବ ବ୍ୟବଛେଦ କରି ଚୁପ ହୋଇ ବସିଛି। କିନ୍ତୁ ଘଟଣାର ୪ ଦିନ ବିତି ଯାଇଥିଲେ ସୁଦ୍ଧା ବନ ବିଭାଗର ନିଷ୍କ୍ରିୟତା ଯୋଗୁଁ ଶିକାରୀମାନେ ବେଧଡ଼କ ବୁଲୁଥିବା ଅଭିଯୋଗ ହେଉଛି। ଘଟଣାରୁ ପ୍ରକାଶ ଯେ, ଏହି ସେକ୍ସନର ବନପାଲ ସୁଶୀଲ ପୁଟା ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ ହେବ କାର୍ଯ୍ୟରତ କରୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ବନପାଲ ଶ୍ରୀ ପୁଟା ନିଜ ସେକ୍ସନ ଏରିଆରେ ରହୁ ନ ଥିବାରୁ ଏହାର ସୁଯୋଗ ନେଇ ଶିକାରୀମାନଙ୍କ ଦୌରାମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି, ଏପରିକି ବନପାଲ ଓ ଶିକାରୀମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଜଙ୍ଗଲର ବନ୍ୟଜନ୍ତୁମାନେ ଶିକାର ହେଉଥିବା ଗୁରୁତର ଅଭିଯୋଗ ହେଉଛି। ଯାହା ଫଳରେ ଶିକାରୀମାନେ ଦୌରାମ୍ୟ ଯୋଗୁଁ ଧିରେ ଧିରେ ଜଙ୍ଗଲର ବନ୍ୟଜନ୍ତୁଗୁଡିକ ଲୋପ ପାଉଛି। ଏ ନେଇ ବନପାଳ ସୁଶୀଲ ପୁଟାଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ଖୁବ ଶୀଘ୍ର ଅଭିଯୁକ୍ତ ଧରାଯିବ ବୋଲି ପ୍ରକାଶ କରିଥିଲେ। ଯଦି ଏ ଘଟଣା ଉପରେ ବନ ବିଭାଗ ତୁରନ୍ତ ହସ୍ତକ୍ଷେପ ଗ୍ରହଣ ନ କଲେ ଶିକାରୀମାନେ ଅନ୍ୟ ସେକ୍ସନ ଉପରେ ମଧ୍ୟ ନଜର ପଡିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।