ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଲାଖପଦର ହାଇସ୍କୁଲରେ ୭୫ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। କେସିଙ୍ଗା ବନାଞ୍ଚଳ ଅଧିନରେ ଗତ ୧/୭ ରୁ ୭୫ ତମ ବନ ମହୋତ୍ସବ ବିଭିନ୍ନ ସ୍ଥାନରେ ପାଳିତ ହୋଇ ଆସୁଥିବା ବେଳେ ଆଜି ୫ମ ଦିନରେ ଲାଖପଦର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ୭୫ତମ ବନ ମହୋତ୍ସବ ସପ୍ତାହ। ଏହି କାର୍ଯ୍ୟକ୍ରମରେ ନର୍ଲା ବିଧାୟିକା ମନୋରମା ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଛାତ୍ରଛାତ୍ରୀ, ବନ ବିଭାଗ କର୍ମଚାରୀ, ହାଇସ୍କୁଲ କର୍ମଚାରୀ ଓ ଜନ ସାଧାରଙ୍କୁ ଉତ୍ସାହିତ କରିବା ସହ ପରିବେଶ ହେଉଛି ଆମ ଜୀବନ। ଗଛ ବଞ୍ଚିଲେ ଆମେ ବଞ୍ଚିବା। ପ୍ରତ୍ୟେକ ବ୍ୟକ୍ତି ଗୋଟାଏ ଲେଖାଏଁ ବୃକ୍ଷ ରୋପଣ କରି ପରିବେଶକୁ ସୁସ୍ଥ ରଖିବା। ଫଳରେ ଠିକ୍ ସମୟରେ, ଉତ୍ତମ ଅନୁପାତରେ ବର୍ଷା ମଧ୍ୟ ହେବ ଏବଂ ଜୀବ ଜଗତ ବଞ୍ଚିପରିବ। ବିଶେଷ କରି ଆଗାମୀ ପୀଢ଼ି ଏଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ। ଏହାପରେ ମୁଖ୍ୟ ଅତିଥି ବିଧାୟିକା ଶ୍ରୀମତୀ ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସାମ୍ୱାଦିକ ଅଜୟ ସେନାପତି ଓ ଉପସ୍ଥିତ ଅନ୍ୟ ଅତିଥି ବୃନ୍ଦ ବୃକ୍ଷ ରୋପଣ କରିଥିଲେ। ଏଥିରେ ବନ ବିଭାଗ ଅଧିକାରୀ, ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ବୃକ୍ଷ ରୋପଣରେ ସହଯୋଗ କରିଥିଲେ।