ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଚଳିତ ମାସର ୧୧ ତାରିଖରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ନିଜର ୨୬ତମ ସ୍ଥାପନା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଥିବା ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ପରିପେକ୍ଷୀରେ ସିକିଲ ସେଲ୍ ଆନିମିଆ ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ବିଭାଗ ଓ ପ୍ରାକ୍ତନ ଛାତ୍ର ସଂସଦର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରି ସେବା ଯୋଜନାର ଦାୟିତ୍ବବୋଧର ମୂଲ୍ଯ ବୁଝି ଅଧିକ ଲୋକଙ୍କ ପାଖରେ ଏହି ରୋଗ ଓ ଏହାର ନିରାକରଣ ସମ୍ବନ୍ଧିତ ସମସ୍ତ ମୂଲ୍ଯବାନ ସୂଚନା ପହଞ୍ଚାଇବାର ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ମୂଖ୍ଯବକ୍ତା ଭାବେ ଶିଶୁରୋଗ ବିଶେଷଜ୍ଞ ଡକ୍ଟର ନବକିଶୋର ପ୍ରଧାନ, ଅତିଥି ବକ୍ତା ଭାବେ ବାଲେଶ୍ଵର ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଓ ଏନଏସଏସ ସଂଯୋଜକ ଡକ୍ଟର ଦୀପକ କୁମାର ପାଣିଗ୍ରାହୀ, ବିଶ୍ବବିଦ୍ୟାଳୟର ଆଡଜଙ୍କ୍ଟ-ପ୍ରଫେସର ପ୍ରଫେସର ବିଷ୍ଣୁପ୍ରସାଦ ଦାଶ, ପ୍ରାକ୍ତନ ଛାତ୍ର ସଂସଦର ପ୍ରେସିଡେଣ୍ଟ ଡକ୍ଟର ଚୌଧୁରୀ ସତ୍ଯବ୍ରତ ନନ୍ଦ ଯୋଗଦେଇ ସିକିଲ ସେଲ ଆନିମିଆ ରୋଗର କାରଣ, ନିରାକରଣ ଓ ଅନ୍ଯାନ୍ଯ ଡାକ୍ତରୀ ବିଜ୍ଞାନଭିତ୍ତିକ ତଥ୍ଯ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସମସ୍ତ ମହାବିଦ୍ୟାଳୟଗୁଡ଼ିକର ଏନଏସଏସ ବିଭାଗର ସ୍ବେଚ୍ଛାସେବୀ ଅଂଶଗ୍ରହଣ କରି ଏହି ରୋଗ ସଂପର୍କରେ ଜ୍ଞାନ ଆହରଣ କରି ଏହାକୁ ବିଭିନ୍ନ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇବାର ଉଦ୍ୟମ କରିବାନେଇ ଆଶାବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ହୋଇ ସିକିଲ ସେଲ ଆନିମିଆ ସଂପର୍କରେ ସଚେତନତା ହେବାସହ ଏହାର ଚିକିତ୍ସା ବିଷୟରେ ଅଧିକ ଗୁରୁତ୍ବପୂର୍ଣ୍ଣ ତଥ୍ଯ ସମ୍ବନ୍ଧରେ ଅବଗତ ହୋଇଥିଲେ। ଏଥିସହ ‘ଆନିମିଆ ମୁକ୍ତ ଭାରତ : ଆନ୍ ଇନିସିଏଟିଭ ଆଟ୍ ଫକୀରମୋହନ ୟୁନିଭରସିଟି’ ନାମକ ଏକ ପୁସ୍ତିକାର ଉନ୍ମୋଚନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟର ଏନଏସଏସର ପ୍ରୋଗ୍ରାମ ଅଫିସର ଡ଼କ୍ଟର ପ୍ରତିମା ପ୍ରଧାନ ସଂଚାଳନ କରିଥିଲେ ତଥା ଡ଼କ୍ଟର ଜଗନ୍ନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।





