ସରୋଜିନୀ ବେହେରା (ଟିକି)ଙ୍କ କବିତା : ଫୁଲ ପସରା

ଫୁଲ ପସରା

ସରୋଜିନୀ ବେହେରା (ଟିକି)

 

ତୋଳି ଆଣି ମୁହିଁ ରଜନୀଗନ୍ଧା କୁ
ଗଭାରେ ତୋ ଖୋସି ଦେଲି
ଗଜରା ମଣ୍ଡିତ ଗଭାକୁ ଦେଖି ଲୋ
ବିଭୋର ଯେ ହୋଇଗଲି।

ଇନ୍ଦ୍ରଧନୁ ଠାରୁ ଗୋଲାପି ରଙ୍ଗକୁ
ଆଣିଥିଲି ଚୋରି କରି
କୋମଳ ଅଧରେ ଭରିଦେଲା ପରେ
ହସ ପଡୁଥିଲା ଝରି।

ଅମାବାସ୍ୟା ଦେହୁ କଳା ଟିକେ ଆଣି
ନୟନେ ଦେଲି ତୋ ମାଖି
କଜ୍ଜଳ ପୂରିତ ନୟନ ଯୁଗଳ
ଦେଖି ଯାଉଥିଲି ଲାଖି।

ପୁନେଇଁ ଚାନ୍ଦକୁ ଉହ୍ଲେଇ ଆଣିଲି
ତୋ ମଥାରେ ଦେଲି ଆଙ୍କି
ଗହମ ମୁହେଁ ତୋ ଚାନ୍ଦର ଟିକିଲି
ଲାଜ ଦେଉଥିଲା ଢାଙ୍କି।

ସାଗର ବକ୍ଷରୁ ମୁକୁତା କୁ ଆଣି
(ତୋ) ଗଳାରେ କରିଲି ହାର
ମୁକୁତାର ହାର ନାଚି ଯାଉଥିଲା
ଗଳାରେ ରହି ଲୋ ତୋର।

ରେଶମୀ ଶାଢ଼ୀ ଟେ ତନ୍ତୀ ଠାରୁ ଆଣି
ପିନ୍ଧାଇ ତତେ ମୁଁ ଦେଲି
ରେଶମୀ ଦେହକୁ ଆଲିଙ୍ଗନ କଲା
ଇର୍ଷାରେ ଗଲି ମୁଁ ଜଳି।

ଫଗୁଣ ଠୁ ନାଲି ରଙ୍ଗ ଟିକେ ଆଣି
ତୋ ମଥାରେ ଦେବି ବୋଲି
ନୀରବତା ତୋର ମାରିଦେଲା ମତେ
ପଛକୁ ଫେରି ଆସିଲି।

 

ଭଦ୍ରକ

Click here to get daily News  & Views updates
https://bit.ly/OBgroup3
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.