କଳାହାଣ୍ଡି,୨୮/୭ : ସିପିଆଇ ମାଓବାଦୀ କେକେବିଏନ (କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼ ) ଡିଭିଜନ ପକ୍ଷରୁ ଆଜିଠାରୁ (ଜୁଲାଇ ୨୮ ତାରିଖ) ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଶହୀଦ ସପ୍ତାହ ପାଳନ କରାଯାଉଛି । ଏହା ପୂର୍ବରୁ କଳାହାଣ୍ଡିର ମ.ରାମପୁର ସମେତ ବିଭିନ୍ନ ସ୍ଥାନରେ ପୋଷ୍ଟର ଜାରିକରି ସାଧାରଣ ଜନତାଙ୍କୁ ଏହି ସପ୍ତାହ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ମାଓ ସଂଘଠନ । ପୋଷ୍ଟରରେ ଜଙ୍ଗଲ ଜମି ଅଧିକାର ପାଇଁ ଲଢେଇ ତଥା ଧାର୍ମିକ ମୌଳବାଦୀ ସଂଗଠନକୁ ବିରୋଧ କରିବାକୁ ଆହ୍ବାନ ଦିଆଯାଇଛି । ଏହାସହ ଅଗଷ୍ଟ ୨ ତାରିଖ ଦିନ ବିଶ୍ବ ଆଦିବାସୀ ଦିବସ ପାଳନ କରିବାକୁ କହିଛନ୍ତି ମାଓବାଦୀ । ପୋଷ୍ଟରରେ ଉଲ୍ଲେଖଅଛି ଯେ ୧୬ ରାଜ୍ୟର ୧୩ ଲକ୍ଷରୁ ଅଧିକ ଆଦିବାସୀ ଓ ପାରଂପାରିକ ବନବାସୀ ମାନଙ୍କୁ ବେଦଖଳ କରିବାକୁ ସୁପ୍ରିମ କୋର୍ଟ ନେଇଥିବା ନିଷ୍ପତ୍ତି ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ କରିବାକୁ ଆହ୍ବାନ ଦେଇଛି କେକେବିଏନ ଡିଭିଜନ ସିପିଆଇ ମାଓବାଦୀ ।
ଏଥିପାଇଁ ମାଓ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, କୋରାପୁଟ ଜିଲ୍ଲା ମାନଙ୍କରେ ମାଓବାଦୀଙ୍କ ସହିଦ ସପ୍ତାହ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ସମସ୍ତ ଜିଲ୍ଲାଗଡ଼ିକରେ ହିଂସାକୁ ଏଡ଼ାଇବାକୁ ସରକାରୀ ବସ୍ ଚଳାଚଳକୁ ବନ୍ଦ ରଖାଯାଇଛି । କାଁ ଭାଁ ସ୍ଥାନରେ ଘରୋଇ ବସ୍ ଚଳାଚଳ କରୁଛି । ବିଭିନ୍ନ ସ୍ଥାନରେ ପୋଲିସ, ଏସ୍ଓଜି ଯବାନମାନେ ଗାଡ଼ି ଗୁଡ଼ିକୁ ଯାଞ୍ଚ କରୁଛନ୍ତି । ଏହା ସହିତ କମ୍ବିଂ ଅପରେସନକୁ ମଧ୍ୟ ଜୋରଦାର କରାଯାଇଥିବା ଜଣାପଡିଛି
ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in