ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ତରଫରୁ ଚାଲିଥିବା ଭାଷାପକ୍ଷ ଓ କୁଟୀର ବହିମେଳାର ଚତୁର୍ଥ ଦିବସରେ କବି ପ୍ରଶାନ୍ତ ଦାସ ସାହିତ୍ୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଗାଳ୍ପିକ ନିବାରଣ ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଭବ୍ୟ ସାରସ୍ୱତ ସନ୍ଧ୍ୟାରେ ଯୁବ ଗବେଷିକା ଲୋପାମୁଦ୍ରା ଦାସ, କବି ମଧୁସୂଦନ ମିଶ୍ର ଓ ଶୁଭଶ୍ରୀ ଦାଶ ଆଲୋଚକ ଭାବେ ଯୋଗ ଦେଇ କବି ପ୍ରଶାନ୍ତ ଦାସଙ୍କ ସମଗ୍ର ସାରସ୍ୱତ ସର୍ଜନା ସମ୍ପର୍କରେ ଆଲୋଚନା କରିଥିଲେ। କବିଙ୍କ କବିତାରେ ପ୍ରେମ ଓ ପ୍ରଣୟର ବାର୍ତ୍ତା ସହ ମାନବଜାତି ପାଇଁ ସମ୍ବେଦନା ଏବଂ ମାଆ ଓ ମାଟିର ଜୟଗାନର ସ୍ୱର ଶୁଭେ ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ। କବି ଶ୍ରୀଯୁକ୍ତ ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ ଅତିଚେତନ ମନରେ ପୁଞ୍ଜିଭୂତ ଥିବା ଶବ୍ଦ ଓ ଭାବନା ବେଳେବେଳେ ଅକସ୍ମାତ କବିତା ହୋଇ କାଗଜ କଲମରେ ଫୁଟିଉଠନ୍ତି। ନିଜର ସ୍ୱାକ୍ଷର ବହନ କରୁଥିବା କବିତା ହିଁ କାଳଜୟୀ ହୋଇଥାଏ। କବି ଶ୍ରୀଦେବ, ଡକ୍ଟର ରତ୍ନାକର ସିଂହ, ଗୀତାଞ୍ଜଳି ଶତପଥୀ, ଡକ୍ଟର ସମରବଲ୍ଲଭ ଭୋଇ, ତ୍ରିନାଥ ନନ୍ଦୀ, ଜୁମରନାଥ ପାତ୍ର ପ୍ରମୁଖ କବିଙ୍କ ବିଭିନ୍ନ କବିତା ଆବୃତ୍ତି କରିଥିଲେ। ଅନୁଷ୍ଠାନର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଉତ୍ସବର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିବାବେଳେ ଗବେଷକ ଡକ୍ଟର କଇଳାଶ ପଟ୍ଟନାୟକ କବି ଶ୍ରୀ ଦାସଙ୍କ ସୃଷ୍ଟିସମ୍ଭାର ସଂପର୍କରେ ବକ୍ତବ୍ୟ ରଖିଥିଲେ। ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ରଚିତ ତଥା କବି ଶ୍ରୀ ଦାସଙ୍କ ଉପରେ ଆଧାରିତ ଗୋଟିଏ କବିତାକୁ କଲ୍ୟାଣୀ ନନ୍ଦ ଗାନ କରିଥିଲେ। ଯୁଗ୍ମସମ୍ପାଦକ ଜୁମରନାଥ ପାତ୍ର ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ସାଧାରଣ ସଂପାଦକ ଡକ୍ଟର ତ୍ରିପାଠୀ ଶେଷକଥା ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ଚାଟ୍ଟାର୍ଜୀ, ଶରତ କୁମାର ମହାପାତ୍ର, ରାଜେନ୍ଦ୍ର ରାଉତ, ଡକ୍ଟର ଲକ୍ଷ୍ମଣ ଚରଣ ବିଶ୍ୱାଳ, ସଂଜୟ କୁମାର ପଣ୍ଡା, କବିତା ଜେନା, ଅର୍ଚ୍ଚନା କର, ଲମ୍ବୋଦର ନାୟକ, ବିଜୟ କୁମାର ମହାନ୍ତି, ପ୍ରଣୀତା ମିଶ୍ର, ନରେନ୍ଦ୍ରନାଥ ପାଣିଗ୍ରାହୀ, ପ୍ରଫୁଲ୍ଲ କୁମାର ଦାସ, ରଶ୍ମିତା ପରିଡ଼ା, ରାଜସ୍ମିତା ସାହୁ, ଅନିଶା ନାଏକ, ଊର୍ମିଳା ନାୟକ, ଭାସ୍କରଚନ୍ଦ୍ର ମିଶ୍ର, ପୀତାମ୍ବର ବେହେରା, ଦୀପକ ଦାସ, ବାସନ୍ତୀ ଦେ, ଅବନ୍ତୀ ପ୍ରଧାନ, ରମାକାନ୍ତ ମହାନ୍ତି, କରୁଣାକର ସ, ସୁଦୀପ୍ତ କୁମାର ସାହୁ ପ୍ରମୁଖ ବହୁ ସାହିତ୍ୟିକ ଉପସ୍ଥିତ ଥିଲେ।




