ଲଡୁଗାଁ ସୁନାମାଲ ରାସ୍ତାର ଉନ୍ନତିକରଣ: ଗୁଣାତ୍ମକ ମାନ ଓ ସ୍ଥାୟୀତ୍ବର ଗ୍ୟାରେଣ୍ଟି ନାହିଁ

● ଭିଜିଲାନ୍ସ ତଦନ୍ତ ପାଇଁ ଉଠିଲା ଦାବୀ 

ଜୁନାଗଡ: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଅନେକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ ବିଭାଗୀୟ ବେପରୁଆ ନିତି ଓ ଠିକାଦାର/ପେଟି ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନେକ ଠିକାଦାର ଶାସକ ଦଳର କ୍ଷମତା କେନ୍ଦ୍ରର ପଛେ ପଛେ ବୁଲୁଥିବା ଦେଖି, କୁଆଡେ ପ୍ରଶାସନିକ ଅଧିକାରୀ ମାନେ ଏହି ଠିକାଦାର ମାନଙ୍କ ବିରୁଦ୍ଧରେ ଆବଶ୍ୟକ ପଦକ୍ଷେପ ନେବାକୁ ସାହସ କୁଳାଉ ନ ଥିବା ଚର୍ଚ୍ଚା ହେଉଛି। ଏହି ପରିପ୍ରେକ୍ଷୀରେ ଲଡୁଗାଁ ଠାରୁ ସୁନାମାଲ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଗତି ଓ କାର୍ଯ୍ୟଧାରାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଲା।

ସୂଚନା ଅନୁସାରେ, ଲଡୁଗାଁ ଠାରୁ ସୁନାମାଲ ପର୍ଯ୍ୟନ୍ତ ୪ ଦଶମିକ ୧୫୦ କିମି ରାସ୍ତାକୁ ୨୦୦୯ ମସିହାରେ ୯୩ ଲକ୍ଷ, ୨୯ ହଜାର, ୯ ଶହ ୫୨ ଟଙ୍କା ବ୍ୟୟ ଅଟକଳରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ କରାଯାଇଥିଲା। ଏହି ରାସ୍ତାରେ ସମ୍ପ୍ରତି ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଏ ଶ୍ରେଣୀ ଠିକାଦାର ଏମ ଏସ ପ୍ରୟାସ କଂଷ୍ଟ୍ରକସନ ମାଧ୍ୟମରେ ଏଗ୍ରିମେଣ୍ଟ ସଂଖ୍ୟା ୫୧୧/୨୦୨୦/୨୧ ଦ୍ୱାରା ଅଟକଳ ପରିମାଣ ୧ କୋଟି ୮୧ ଲକ୍ଷ ୧୯ ହଜାର ୫ ଶହ ତେପନ, ଏଗ୍ରିମେଣ୍ଟ ପରିମାଣ ୧ କୋଟି ୫୪ ଲକ୍ଷ, ୩ ହଜାର, ଚାରିଶହ ସତାବନ ଅଟକଳରେ ନିର୍ମାଣ ଚାଲିଛି।


ଗ୍ରାମ୍ୟ ନିର୍ମାଣ ବିଭାଗ ସୂଚନା ଫଳକ ସୂଚନା ଅନୁଯାୟୀ ୪ ଦଶମିକ ୧୦ କିମି ରାସ୍ତା ଉନ୍ନତିକରଣ କାର୍ଯ୍ୟାରମ୍ଭ ୪ ମାର୍ଚ୍ଚ ୨୦୨୧ ଓ କାର୍ଯ୍ୟଶେଷ ୩ ସେପ୍ଟେମ୍ବର ୨୦୨୧ ଥିବା ଦର୍ଶାଯାଇଛି। ଆସନ୍ତା ସେପ୍ଟେମ୍ବର ମାସରେ କାର୍ଯ୍ୟଶେଷ ଦର୍ଶାଯାଇଥିବା ଏହି ଉନ୍ନତିକରଣ କାର୍ଯ୍ୟ ନିମ୍ନମାନର ହେଉଥିବା, ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ ହେଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ପିଚୁ କୋଟ ଅନେକ ସ୍ଥାନରେ ବାହାରି ଯିବା ଫଳରେ ଖଳାଖମା ସୃଷ୍ଟି ହେଲାଣି। ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ରାସ୍ତାରେ ଭରିଯାନ ସମେତ ଚାରିଚକିଆ, ଦୁଇ ଚକିଆ ଯାନ ସହ ହଜାର ହଜାର ଜନସାଧାରଣ ନିର୍ଭର କରିଥାନ୍ତି।ଲୋକଙ୍କ ନିମ୍ନମାନର ରାସ୍ତା କାର୍ଯ୍ୟ ଅଭିଯୋଗ ଓ ନିର୍ମାଣ କାର୍ଯ୍ୟ ବିଳମ୍ବ ସମ୍ପର୍କରେ ଧର୍ମଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ଯନ୍ତ୍ରୀ ଏକେ ସେଠୀଙ୍କୁ ପ୍ରତିକ୍ରିୟା ନେବା ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେହେଁ କୋୖଣସି ଉତ୍ତର ମିଳି ନଥିଲା। ସଂପୃକ୍ତ ରାସ୍ତା ଉନ୍ନତି କରଣ କାର୍ଯ୍ୟର ଏକ ଉଚ୍ଚସ୍ତରୀୟ ବିଭାଗୀୟ ତଦନ୍ତ ସହ ଓ ଭିଜିଲାନ୍ସ ତଦନ୍ତ କରାଯିବାକୁ ସର୍ବସାଧାରଣରେ ଦାବୀ ହେଉଛି।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.